ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ଵର ଜିଲ୍ଲା ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ମାସେ ବିତିଥିବାବେଳେ ଏହାକୁ ନେଇ ସାଂଘାତିକ ତଥ୍ୟ ମିଳିଛି। ରେଲୱେ ସେଫ୍ଟି କମିଶନରଙ୍କ ରିପୋର୍ଟ ଅନୁସାରେ ରିଲେ ରୁମ୍ ଷ୍ଟାଫଙ୍କ ତ୍ରୁଟି ଦୁର୍ଘଟଣାର ବଡ଼ କାରଣ ବୋଲି ଜଣାପଡିଛି। ସିଗନାଲିଂ ଓ ଟେଲି କମ୍ୟୁନିକେସନ୍ ଷ୍ଟାଫଙ୍କ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି।

ବାହାନଗା ଟ୍ରାଜେଡିର ଏବେ ସିବିଆଇ ତଦନ୍ତ ଚାଲିଥିବାରୁ ରେଲୱେ ସେଫ୍ଟି କମିଶନରଙ୍କ ରିପୋର୍ଟକୁ ସାର୍ବଜନୀନ କରାଯାଇନାହିଁ। କେବଳ ଟେକନିକାଲ ତ୍ରୁଟି ନେଇ ସେଫ୍ଟି କମିଶନରଙ୍କ ରିପୋର୍ଟରେ ଥିବା ତଥ୍ୟ ବାହାରକୁ ଆସିଛି। ଦୁର୍ଘଟଣା ପଛରେ ଯଦି ଅନ୍ୟ କୌଣସି  ଷଡ଼ଯନ୍ତ୍ର ହୋଇଥାଏ ତେବେ ସିବିଆଇ ତଦନ୍ତରୁ ସ୍ପଷ୍ଟ ହେବ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି।

ତେବେ କେଉଁ ଷ୍ଟାଫଙ୍କ ତ୍ରୁଟି ପାଇଁ ଏତେ ବଡ଼ ଦୁର୍ଘଟଣା ଘଟିଲା, ସେ ନେଇ କିଛି ତଥ୍ୟ ପ୍ରକାଶ କରାଯାଇ ନାହିଁ। ସିବିଆଇ ତଦନ୍ତ ଚାଲିଥିବାରୁ କାଳେ ଏହା ଯାଞ୍ଚକୁ ପ୍ରଭାବିତ କରିବ, ସେଥିପାଇଁ ରେଲୱେ ପକ୍ଷରୁ ସମ୍ବନ୍ଧିତ ତଥ୍ୟକୁ ପ୍ରକାଶ କରାଯାଇ ନାହିଁ।

ଅନ୍ୟପଟେ ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ବଦଳିଛନ୍ତି ଦକ୍ଷିଣ ପୂର୍ବ ରେଲୱେ ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀ। ତାଙ୍କ ସ୍ଥାନରେ ଅନୀଲ କୁମାର ମିଶ୍ରଙ୍କୁ ନୂଆ ଜେନେରାଲ ମ୍ୟାନେଜର ଭାବେ ନିଯୁକ୍ତି ଦିଆଯାଇଛି। ଅର୍ଚ୍ଚନା ଯୋଶୀଙ୍କୁ କର୍ଣ୍ଣାଟକରେ ରେଲୱେ ହ୍ୱିଲ୍ ଫ୍ୟାକ୍ଟ୍ରିରେ ଜେନେରାଲ ମ୍ୟାନେଜର ଭାବେ ଦାୟିତ୍ୱ ଦିଆଯାଇଛି। ଏନେଇ କେନ୍ଦ୍ର କ୍ୟାବିନେଟ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ଜୁନ ୨ ତାରିଖରେ ବାହନଗା ରେଳ ଷ୍ଟେସନ ନିକଟରେ ଭୟଙ୍କର ରେଳ ଦୁର୍ଘଟଣା ହୋଇଥିଲା। କଲିକତାର ଶାଲିମାର ଷ୍ଟେସନରୂ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକପ୍ରେସ ଏକ ମାଲଗାଡ଼ିକୁ ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାର ତୀବ୍ରତା ଏତେ ଥିଲା କି, କରମଣ୍ଡଳ ଏକପ୍ରେସର ବଗି ସେହି ସମୟରେ ଅନ୍ୟ ଲାଇନରେ ଆସୁଥିବା ଯଶୋବନ୍ତପୁର-ହାୱଡା ଏକ୍ସପ୍ରେସ ସହ ଧକ୍କା ହୋଇଥିଲା।

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଏ ଯାଏଁ ୨୯୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ଏଥିରେ ୨ ହଜାରରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ଏବେ ଯାଏଁ ମଧ୍ୟ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅନେକ ବ୍ୟକ୍ତିଙ୍କ ମୃତଦେହ ଚିହ୍ନଟ ହୋଇନାହିଁ।

Tags: #BahanagaTrainTragedy #TrainAccidentinOdisha #SignalFault #IndianRailways

 

Comment