ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଜଗନ୍ନାଥଙ୍କ ନବଦିନାତ୍ମକ ଘୋଷଯାତ୍ରା ଶେଷ ପର୍ଯ୍ୟାୟ ଆସି ପହଞ୍ଚିଛି। ରଥ ଉପରେ ସୁନାବେଶ ଓ ଅଧରପଣା ନୀତି ଶେଷ ହେବା ପରେ ଶନିବାର ଶ୍ରୀମନ୍ଦିର ରତ୍ନ ସିଂହାସନକୁ ବିଜେ କରିବେ ଶ୍ରୀଜୀଉ। ମହାପ୍ରଭୁ ସିଂହଦ୍ଵାର ଦେଇ ଗୋଟି ପହଣ୍ଡିରେ ରତ୍ନସିଂହାସନକୁ ଫେରିବେ। ଶ୍ରୀମନ୍ଦିରକୁ ପ୍ରବେଶ କରିବା ସମୟରେ ମା’ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ ମହାପ୍ରଭୁ ଜଗନ୍ନାଥ। ନୀଳାଦ୍ରି ବିଜେକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ନୀଳାଦ୍ରି ବିଜେ ପାଇଁ ଶନିବାର ଭୋର ୪ଟାରୁ ସ୍ୱତନ୍ତ୍ର ତିନି ରଥରେ ନୀତିକାନ୍ତି ଆରମ୍ଭ ହୋଇଛି। ପ୍ରଥମେ ଶ୍ରୀଜୀଉଙ୍କ ଆଳତି ପରେ ମଇଲମ ଓ ତଡ଼ପଲାଗି ହୋଇଥିଲା। ଅବକାଶ ନୀତି ପରେ ସକାଳ ସାଢ଼େ ୬ଟାରେ ଗୋପାଳବଲ୍ଲଭ ପୂଜା ଓ ସକାଳଧୂପ ଅନୁଷ୍ଠିତ ହୋଇଥିଲା। ଏବେ ମଧ୍ୟାହ୍ନଧୂପ ଶେଷ ହୋଇଥିବାବେଳେ ଏହାପରେ ସନ୍ଧ୍ୟାଧୂପ ଅନୁଷ୍ଠିତ ହେବ।

୩ ରଥରେ ଚାରବନ୍ଧା ସରିବାପରେ ଶନିବାର ଅପରାହ୍ଣ ସାଢ଼େ ୩ଟାରେ ସିଂହାସନ ମାଜଣା କରାଯିବ। ଏହାପରେ ରାତିରେ ସର୍ବାଙ୍ଗ, ଶ୍ରୀମୁଖ ଖଣ୍ଡୁଆ, ଚାରମାଳ ଫିଟା ହେବାପରେ ଶ୍ରୀଜୀଉଙ୍କ ପହଣ୍ଡି ଆରମ୍ଭ ହେବ। ଶ୍ରୀଜୀଉମାନେ ରତ୍ନ ସଂହାସନରେ ବିଜେ କରିବା ପରେ ରାବିବାର ବଡ଼ ସିଂହାର ବେଶ ଅନୁଷ୍ଠିତ ହେବ।

ନୀଳାଦ୍ରି ବିଜେ ପାଇଁ ଶ୍ରୀମନ୍ଦିର ଆଖ ପାଖରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପୋଲିସ ପକ୍ଷରୁ ଅଧିକ ଫୋର୍ସ ମୁତୟନ ହୋଇଛନ୍ତି। ଭକ୍ତମାନଙ୍କ ଶାନ୍ତି ଶୃଙ୍ଖଳାର ସହ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି।

Tags: #RathJatra2023 #NiladriBije #SriMandir #Puri

 

Comment