ଓଡ଼ିଶାଲାଇଭ୍ ବ୍ୟୁରୋ

ରଥଯାତ୍ରାର ଆଜି ଅନ୍ତିମ ଦିନ। ମହାପ୍ରଭୁଙ୍କ ଉପରେ ଅଭିମାନ କରିଥିବା ମହାଲକ୍ଷ୍ମୀଙ୍କୁ ଆଜି ରସଗୋଲା ଦେଇ ମନେଇବେ କଳା ଠାକୁର। ରଥଯାତ୍ରାର ଏହା ହେଉଛି ଏକ ସ୍ଵତନ୍ତ୍ର ପରମ୍ପରା।

ନଅଦିନର ରଥଯାତ୍ରା ସାରିବା ପରେ ରଥ ଉପରେ ଭକ୍ତମାନଙ୍କୁ ସୁନାବେଶରେ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧାମୂରତି। ଅଧରପଣା ପିଇ ଆଜି ନୀଳାଦ୍ରି ବିଜେରେ ରତ୍ନବେଦୀକୁ ଶ୍ରୀଜୀଉମାନେ ଫେରିବେ। ଏହି ଦିବସରେ ମହାପ୍ରଭୁ ଏବଂ ମହାଲକ୍ଷ୍ମୀଙ୍କ ମଧ୍ୟରେ ସାଂସାରିକ ଜୀବନ ଭଳି ଏକ ମିଠା କଳହ ଦେଖିବାକୁ ମିଳେ। ଅଭିମାନୀ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବା ପାଇଁ କାଳିଆ ସାଆନ୍ତେ ଦିଅନ୍ତି ରସଗୋଲା। ନୀଳାଦ୍ରି ବିଜେର ଏହି ପରମ୍ପରାକୁ ମନେ ରଖିବା ପାଇଁ ୨୦୧୫ ମସିହାରୁ ଏହି ଦିବସ ଓଡ଼ିଶାରେ ରସଗୋଲା ଦିବସ ଭାବେ ପାଳନ ହୋଇଆସୁଛି।ପରମ୍ପରା ଅନୁସାରେ ପ୍ରଥମେ ଶ୍ରୀସୁର୍ଦଶନ, ବଡ଼ ଠାକୁର ବଳଭଦ୍ର ଏବଂ ଦେବୀ ସୁଭଦ୍ରା ଗୋଟି ପହଣ୍ଡିରେ ଶ୍ରୀମନ୍ଦିରରେ ଯିବା ପରେ ମହାପ୍ରଭୁ ଜଗନ୍ନାଥଙ୍କର ଗୋଟି ପହଣ୍ଡି ହୋଇଥାଏ। ମହାପ୍ରଭୁ ପହଣ୍ଡି ବିଜେ କରି ସିଂହଦ୍ଵାର ପାଖରେ ପହଞ୍ଚିବା ସମୟରେ ଲକ୍ଷ୍ମୀ ଠାକୁରାଣୀ ଭେଟ ମଣ୍ଡପକୁ ଆସିଥାନ୍ତି। ଏହି ସମୟରେ କିଛିସମୟ ପାଇଁ ସିଂହଦ୍ଵାରକୁ ବନ୍ଦ ରଖି ଖୋଲା ଯାଇଥାଏ।ପୁଣିଥରେ ମହାପ୍ରଭୁ ଜୟ ବିଜୟ ଦ୍ଵାର ନିକଟରେ ବିଜେ କରିବା ପରେ ଉକ୍ତ ଦ୍ଵାରକୁ ଭିତରପଟୁ ବନ୍ଦ କରିଦିଆଯାଏ। ଲକ୍ଷ୍ମୀ ଠାକୁରାଣୀଙ୍କ ତରଫରୁ ଜୟ ବିଜୟ ଦ୍ଵାରରେ ଭିତର ପଟେ ଜନୈକ ଦେବଦାସୀ ଏବଂ ମହାପ୍ରଭୁଙ୍କ ତରଫରୁ ଜଣେ ଦଇତାପତି ଦ୍ଵାରା ଅପରପାର୍ଶ୍ଵରେ ରହିବା ସଙ୍ଗେ ସଙ୍ଗେ ଉଭୟଙ୍କ ମଧ୍ୟରେ ଲୋକ ପରମ୍ପରାଗତ ବଚନିକା ହୋଇଥାଏ। ଏହାପରେ ଜୟ ବିଜୟ ଦ୍ଵାର ଫିଟାଯାଏ। ଏହି ସମୟରେ ଗଇଁଠାଳ (ଋକ୍ମଣୀ ବିବାହ କାଳର) ଫିଟେ ଓ ବନ୍ଦାପନା କରାଯାଏ ଏବଂ ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରନ୍ତି କଳାଦିଅଁ।

Tags: RathYatra #RathaJatra #NiladriBije #Rasagola #RasagolaDibas

Comment