ଓଡ଼ିଶାଲାଇଭ୍‌ ବ୍ୟୁରୋ

ନଅ ଦିନର ଜନ୍ମବେଦୀକୁ ଯାତ୍ରା, ସୁନାବେଶ ଏବଂ ଅଧରପଣା ନୀତି ଶନିବାର ଶ୍ରୀକ୍ଷେତ୍ରରେ ନୀଳାଦ୍ରି ବିଜେ ଶେଷ ହୋଇଛି। ଗୋଟି ପହଣ୍ଡିରେ ଯାଇ ତିନି ଠାକୁର ରତ୍ନସିଂହାସନରେ ବିରାଜମାନ କରିଛନ୍ତି।

ଶନିବାର ରଥାରୂଢ଼ ଶ୍ରୀଜୀଉଙ୍କ ସନ୍ଧ୍ୟା ଆଳତୀ ଶେଷ ହେବା ପରେ ତିନି ରଥରେ ଚାରମାଳ ବନ୍ଧା ଯାଇଥିଲା। ବିଜେ କାହାଳି ବାଜିବା ପରେ ବନ୍ଦାପନା ଓ ଡୋରି ଲାଗି ନୀତି ଅନୁଷ୍ଠିତ ହୋଇଥିଲା। ପୁଷ୍ପାଳକ ମହାଜନମାନେ ପ୍ରଥମେ ମଦନମୋହନ ଓ ରାମକୃଷ୍ଣଙ୍କ ବିଗ୍ରହକୁ ଦକ୍ଷିଣି ଘରକୁ ବିଜେ କରିଥିଲେ। ପରେ ଚତୁର୍ଦ୍ଧାମୂରତିଙ୍କ ଗୋଟି ପହଣ୍ଡି ନୀତି ଅନୁଷ୍ଠିତ ହୋଇଥିଲା।

ପ୍ରଥମେ ଶ୍ରୀସୁଦର୍ଶନଙ୍କ ପହଣ୍ଡି ଶେଷ ହେବା ପରେ ବଡ଼ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ଶ୍ରୀଜଗନ୍ନାଥଙ୍କ ଗୋଟି ପହଣ୍ଡି ଅନୁଷ୍ଠିତ ହୋଇଥିଲା। ମସ୍ତକରେ ଟାହିଆ ଲଗାଇ ଝୁଲିଝୁଲି ଶ୍ରୀଜୀଉମାନେ ଶ୍ରୀମନ୍ଦିରର ରତ୍ନବେଦୀକୁ ଯାଇଥିଲେ।ଜଗନ୍ନାଥ ମହାପ୍ରଭୁ ପହଣ୍ଡି ବିଜେ କରି ଚାର ଉପରକୁ ଆସିଲେ। ଲକ୍ଷ୍ମୀ ଠାକୁରାଣୀ ଭେଟ ମଣ୍ଡପକୁ ଆସିଥିଲେ। ଜଗନ୍ନାଥ ଏବଂ ଲକ୍ଷ୍ମୀ ଠାକୁରାଣୀ ପରସ୍ପରକୁ ଭେଟ କରିଥିଲେ। ମହାପ୍ରଭୁ ଭାଇ, ଭଉଣୀଙ୍କୁ ନେଇ ଯାତ୍ରା କରିଥିବାରୁ ମହାଲକ୍ଷ୍ମୀ ଅଭିମାନ କରିଥିଲେ। ଏହାପରେ ମହାପ୍ରଭୁ ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିଥିଲେ।

Tags: #NiladiBije #MahapravuJagannath #RathJatra #Puri #SriMandir

Comment