ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ର ରାଜନୀତି ପୁଣିଥରେ ନାଟକୀୟ ମୋଡ଼ ନେଇଛି। ଏନସିପି ନେତା ଅଜିତ ପାୱାର ରବିବାର ଦଳର ୩୫ ଜଣ ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସରକାରରେ ସାମିଲ ହୋଇଛନ୍ତି। ଏଥିସହ ଅଜିତ ପାୱାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେହିପରି ଏନସିପିର ୮ ଜଣ ନେତା ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହି ସବୁ ଘଟଣା ଏତେ କ୍ଷୀପ୍ର ଗତିରେ ଘଟିବା ସମସ୍ତଙ୍କୁ ଚକିତ କରିଛି।

ରବିବାର ମଧ୍ୟାହ୍ନରେ ଅଜିତ ପାୱାର ତାଙ୍କ ସମର୍ଥକ ବିଧାୟକମାନଙ୍କ ସହ ନିଜ ବାସଭବନରେ ଏକ ବୈଠକ ଡାକିଥିଲେ। ଏହି ବୈଠକ ପରେ ସିନ୍ଦେ ସରକାରରେ ନିଜ ସମର୍ଥକଙ୍କ ସହିତ ସାମିଲ ହେବେ ବୋଲି ଅଜିତ ଘୋଷଣା କରିଥିଲେ। ବୈଠକରେ ଶରଦ ପାୱାରଙ୍କ ଝିଅ ତଥ‌ା ଏନସିପିର କାର୍ଯ୍ୟକାରୀ ସଭାନେତ୍ରୀ ସୁପ୍ରିୟା ସୁଲେ ଉପସ୍ଥିତ ଥାଇ ମଧ୍ୟ କିଛି ଜାଣି ପାରିନଥିଲେ।

ଏହାପରେ ମହାରାଷ୍ଟ୍ର ରାଜଭବନରେ ତତ୍କାଳ ଶପଥ ଗ୍ରହଣ ଉତ୍ସବ ଆୟୋଜନ ହୋଇଥିଲା। ଶପଥ ନେବା ପୂର୍ବରୁ ଅଜିତ ପାୱାର ତାଙ୍କ ସହିତ ଥିବା ଦଳର ୩୫ ବିଧାୟକଙ୍କ ସମର୍ଥନପତ୍ର ରାଜ୍ୟପାଳ ରମେଶ ବୈଶଙ୍କୁ ପ୍ରଦାନ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କ ସମେତ ତିନି ଦଳର ବରିଷ୍ଠ ନେତୃବୃନ୍ଦ ରାଜଭବନ ପହଞ୍ଚିଥିଲେ। ଏଠାରେ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଏବଂ ୮ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଥିଲେ।

ମନ୍ତ୍ରୀ ଭାବେ ଶପଥ ନେଇଥିବା ଏନସିପି ବିଧାୟକମାନେ ହେଲେ ଛଗନ ଭୁଜୱଲ, ଦିଲୀପ ୱାସ୍‌ଲେ ପାଟିଲ, ଆଦିତି ତତ୍‌କରେ, ଧନଞ୍ଜୟ ମୁଣ୍ଡେ, ହସନ ମୁସରିଫ୍‌, ଧର୍ମରାଓ ବାବାରାଓ ଆତ୍ରାମ, ସଂଜୟ ବନସୋଡ଼େ ଏବଂ ଅନୀଲ ଭାଇଦାସ ପାଟିଲ। ଶପଥ ଗ୍ରହଣ ଉତ୍ସବରେ ଏନ୍‌ସିପି କାର୍ଯ୍ୟକାରୀ ସଭାପତି ପ୍ରଫୁଲ ପଟେଲ ମଧ୍ୟ ଉପସ୍ଥିତ ରହିଥିଲେ।

ସିନ୍ଦେ ସରକାରରେ ସାମିଲ ହୋଇ ଅଜିତ ପାୱାର ଦାବି କରିଛନ୍ତି ଯେ ଏନସିପିରେ ବିଭାଜନ ଘଟିନାହିଁ। ସମଗ୍ର ଏନସିପି ତାଙ୍କ ସହିତ ରହିଛି।ଦଳର ସବୁ ବିଧାୟକ ଓ ସାଂସଦ ତାଙ୍କ ସପକ୍ଷରେ ରହିଛନ୍ତି। ଏଥିପାଇଁ ତାଙ୍କ ଗୋଷ୍ଠୀ ବିରୋଧରେ ଦଳବଦଳ ନିରୋଧୀ ଆଇନ ଲାଗୁ ହେବା ନାହିଁ। ଏବେ ସେ ଏନସିପିର ନିର୍ବାଚନ ଚିହ୍ନରେ ହିଁ ଆଗକୁ ଆସୁଥିବା ନିର୍ବାଚନଗୁଡ଼ିକ ଲଢ଼ିବେ।

ସେହିପରି ମହାରାଷ୍ଟ୍ର ସରକାରରେ ଏନସିପି ସାମିଲ ହେବାପରେ ଏବେ କେନ୍ଦ୍ରରେ ଏନଡିଏ ସରକାରରେ ମଧ୍ୟ ଦଳର କିଛି ନେତାଙ୍କୁ ମନ୍ତ୍ରୀ ପଦ ଦିଆଯିବା ବୋଲି ଚର୍ଚ୍ଚା ଜୋର ଧରିଛି। ଏଥିପାଇଁ ବିଜେପିର ଶୀର୍ଷ ନେତାମାନେ ବୈଠକ ପରେ ବୈଠକ କରୁଛନ୍ତି। ସେହିପରି ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ମନ୍ତ୍ରୀ ପରିଷଦର ବୈଠକ ବସିବାକୁ ଯାଉଛି।

ଅନ୍ୟପଟେ ଅଜିତଙ୍କ ଏହି ବିଦ୍ରୋହ ଶରଦ ପାୱାରଙ୍କୁ ବଡ଼ ଧରଣର ଝଟକା ଦେଇଛି। ଶରଦଙ୍କ କିଛି ବିଶ୍ଵସ୍ତ ନେତା ମଧ୍ୟ ଅଜିତଙ୍କ ଗୋଷ୍ଠୀରେ ସାମିଲ ହୋଇଛନ୍ତି। ଛଗନ ଭୁଜୱଲ ଓ ଅନ୍ୟ କିଛି ବିଶ୍ଵସ୍ତ ନେତାଙ୍କ ବିଦ୍ରୋହ ଦଳକୁ ଭାଙ୍ଗି ଦେଇଛି।  ତେବେ ତାଙ୍କ ଦଳ ଏହାଦ୍ବାରା ବିଶେଷ ପ୍ରଭାବିତ ହେବନାହିଁ ବୋଲି କହିଛନ୍ତି ଶରଦ ପାୱାର। ଆସନ୍ତା ବୁଧବାର ଦିନ ସେ ଦଳର ଗୁରୁତ୍ତ୍ଵପୂର୍ଣ୍ଣ ବୈଠକ ଡାକିଛନ୍ତି।

ଏବେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ବିରୋଧୀ ଏକତାର ଚର୍ଚ୍ଚା ଜୋର ଧରିଥିବାବେଳେ ଏନସିପିରେ ଫାଟ ପଡ଼ିବା, ଏହାପ୍ରତି କ୍ଷତିକାରକ ହେବ ବୋଲି ଅନେକ ରାଜନୀତିଜ୍ଞମାନେ ମତ ପ୍ରକାଶ କରିଛନ୍ତି।

Tags: #MaharshtraPolitics #AjitPower #NCP #StateGovt #Politics

 

Comment