ଓଡ଼ିଶାଲାଇଭ୍ ବ୍ୟୁରୋ

(ଆଲମେରେ): ନେଦରଲ୍ୟାଣ୍ଡସର ଆଲମେରେ ନଗରଠାରେ ଧୁମଧାମରେ ପାଳନ କରାଯାଇଛି ରଥଯାତ୍ରା। ଓଡ଼ିଆ ସୋସିଓ କଲଚରାଲ ଆସୋସିଏସନ, ନେଦରଲ୍ୟାଣ୍ଡସ (ଓସକାନ) ପକ୍ଷରୁ ପ୍ରଥମ ଥର ଲାଗି ଏଠାରେ ଆୟୋଜନ କରାଯାଇଥିବା ରଥଯାତ୍ରାରେ ସାମିଲ ହୋଇଥିଲେ ଶତାଧିକ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତ।

ସମସ୍ତ ରୀତିନୀତି ଓ ପରମ୍ପରା ଅନୁସାରେ ଆୟୋଜନ କରାଯାଇଥିଲା ରଥଯାତ୍ରା। ଚତୁର୍ଦ୍ଧା ମୂର୍ତ୍ତିଙ୍କ ରଥ ଟାଣିବାକୁ ଏକାଠି ହୋଇଥିଲେ ଅନେକ ଓଡ଼ିଆ ଏବଂ ଅଣଓଡ଼ିଆ ଭକ୍ତ। ସକାଳେ ଆଲମେରେଠାରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତିଙ୍କର ସ୍ଵତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ଏହା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦି ରୁଇମଟ ପ୍ରେକ୍ଷାଳୟ ମଧ୍ୟ ଭାଗରେ ସୁସଜ୍ଜିତ ରଥ ଉପରେ ବିରାଜମାନ କରାଯାଇଥିଲା।

ରଥ ଉପରେ ଶ୍ରୀଜୀଉମାନଙ୍କର ପୂଜାର୍ଚ୍ଚନା ସମ୍ପନ୍ନ ହେବା ପରେ ଦିନ ସାଢ଼େ ୧୨ଟା ସମୟରେ ଆରମ୍ଭ ହୋଇଥିଲା ରଥଟଣା ପର୍ବ। ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ରଥ ଅଡିଟୋରିୟମର ଚତୁଃପାର୍ଶ୍ଵରେ ଏକ କିଲୋମିଟର ପରିଧି ପରିକ୍ରମା କରିବା ପରେ ପୁଣି ଉତ୍ସବ ସ୍ଥଳକୁ ଅଣାଯାଇଥିଲା।

ନେଦରଲ୍ୟାଣ୍ଡସରେ ରାଜକୀୟ ଠାଣିରେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କର ରଥ ଗଡ଼ିବାର ଦୃଶ୍ୟ ଅନନ୍ୟ ଓ ଅଭୁଲା ଥିଲା। ହେଗସ୍ଥିତ ଭାରତୀୟ ଦୂତାବାସର ଡେପୁଟି ଚିଫ୍ ମିଶନ ଜିନ୍ସ ମତ୍ତମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। କଳାକାରମାନଙ୍କ ଦ୍ଵାରା ଜଗନ୍ନାଥ ଭଜନ ସହ ଓଡ଼ିଶୀ ଓ ଭାରତନାଟ୍ୟମ୍ ନୃତ୍ୟ ପରିବେଷଣ କରାଯାଇଥିଲା। ଶିଶୁ କଳାକାରମାନଙ୍କ ଦ୍ଵାରା ଯନ୍ତ୍ର ବାଦନ ବେଶ୍ ଆକର୍ଷଣୀୟ ଥିଲା।

ଓସକାନର ସଦସ୍ୟମାନଙ୍କ ଦ୍ଵାରା ମଞ୍ଚସ୍ଥ ‘ଭକ୍ତର ଭଗବାନ-ଦାସିଆ ବାଉରୀ’ ନାଟକରେ କଳାକାରମାନଙ୍କର ଅଭିନୟ ଖୁବ ଜୀବନ୍ତ ଓ ନିଖୁଣ ଥିଲା। ଏହି ଅବସରରେ କୁନି କୁନି ପିଲାମାନଙ୍କ ନିମନ୍ତେ ଚିତ୍ରାଙ୍କନ ଏବଂ ପାରମ୍ପରିକ ପୋଷାକ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା।

ଶେଷରେ ସମସ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା। ରଥଯାତ୍ରା ଉତ୍ସବକୁ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ମାର୍ଗଦର୍ଶନରେ ସମ୍ପନ୍ନ କରାଯାଇଥିଲା।

ଓସକାନର ସଂଗଠକ ସଭାପତି ଶାଶ୍ଵତ ପାଢ଼ୀ, ସୁଶିଲ ଦାସ ମହାପାତ୍ର, ଅଂଶୁମାନ ମିଶ୍ର, ପରିତୋଷ ମହାପାତ୍ର, ନୀଳମାଧବ ମିଶ୍ର, ସୋମନାଥ ଲେଙ୍କା, ଲୋପାମୁଦ୍ରା  ନାୟକ, ଦୀପକ ପରିଡ଼ା, ଦେବଦତ୍ତ ଦାସ, ଅରବିନ୍ଦ ଘଡ଼େଇ ଏବଂ ଶୁଭେନ୍ଦୁ ଆଚାର୍ଯ୍ୟ ପ୍ରମୁଖ କାର୍ଯ୍ୟକ୍ରମ ସମ୍ପାଦନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

Tags: #RathYatra #Celebration #Culture #RathYatraInNetherlands

Comment