ଓଡ଼ିଶାଲାଇଭ୍ ବ୍ୟୁରୋ

(କାନବେରା): ଅଷ୍ଟ୍ରେଲିଆର ରାଜଧାନୀ କାନବେରାଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦ୍ଵାଦଶତମ ପବିତ୍ର ରଥଯାତ୍ରା ପର୍ବ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳନ କରାଯାଇଛି। ଏଠାରେ ଚତୁର୍ଦ୍ଧା ମୂର୍ତ୍ତି ବିରାଜମାନ କରୁଥିବା ହିନ୍ଦୁ ମନ୍ଦିର ଓ ସାଂସ୍କୃତିକ କେନ୍ଦ୍ର ପକ୍ଷରୁ ରଥଯାତ୍ରା ପର୍ବର ଆୟୋଜନ କରାଯାଇଥିଲା।

ରଥଯାତ୍ରା ନିମନ୍ତେ ଫ୍ଲୋରି ଅଞ୍ଚଳର ୮୧ନମ୍ବର ରାଟକ୍ଲିଫ୍ କ୍ରିସେଣ୍ଟଠାରେ ସ୍ଥାପିତ ହିନ୍ଦୁ ମନ୍ଦିର ଓ ସାଂସ୍କୃତିକ କେନ୍ଦ୍ରକୁ ଆକର୍ଷଣୀୟ ଭାବେ ସଜ୍ଜିତ କରାଯାଇଥିଲା। ସମସ୍ତ ରୀତିନୀତି ଅନୁଯାୟୀ ସକାଳେ ପୂଜକ ଆଚାର୍ଯ୍ୟ ପ୍ରକାଶ ପାଣ୍ଡେଙ୍କ ଦ୍ୱାରା ଚତୁର୍ଦ୍ଧା ମୂର୍ତ୍ତିଙ୍କର ମଙ୍ଗଳ ଆରତୀ ଓ ସଂକଳ୍ପ ପୂଜା ସମ୍ପନ୍ନ କରାଯାଇଥିଲା।

ଚଳିତ ବର୍ଷ ରଥଯାତ୍ରାରେ କାନବେରାର ଅଧିବାସୀଙ୍କ ସମେତ ସିଡନୀ, ବ୍ରିସବେନ ଏବଂ ମେଲବର୍ଣ୍ଣ ମହାନଗରୀରୁ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତମାନେ ସାମିଲ ହୋଇଥିଲେ।

ସକାଳ ୧୦ଟା ବେଳେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନ, ତା’ ପରେ ବଡ଼ ଭାଇ ବଳଭଦ୍ର, ପରେ ପରେ ଦେବୀ ସୁଭଦ୍ରା ଓ ଶେଷରେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କୁ ରୋଷଣୀରେ ନେଇ ସୁସଜ୍ଜିତ ରଥରେ ବିରାଜିତ କରାଯାଇଥିଲା। ହରିବୋଲ, ହୁଳହୁଳି ଏବଂ ଜୟ ଜଗନ୍ନାଥ ଧ୍ୱନି ସହ ଭଜନ କୀର୍ତ୍ତନରେ ପ୍ରକମ୍ପିତ ହୋଇଉଠିଥିଲା ପରିବେଶ।

ମହିଳା ଭକ୍ତମାନେ ଦେବୀ ସୁଭଦ୍ରାଙ୍କୁ ରଥାରୁଢ଼ କରିଥିଲେ। ଅଷ୍ଟ୍ରେଲିଆନ କ୍ୟାପିଟାଲ ଟେରିଟୋରୀ (ଏସିଟି) କାନବେରାର ମୁଖ୍ୟମନ୍ତ୍ରୀ ଆଣ୍ଡ୍ରୁ ବାରଙ୍କ ପ୍ରତିନିଧି ଦୀପକ ରାଜ ଗୁପ୍ତା ରଥ ଉପରେ ପାରମ୍ପରିକ ଛେରା ପହଁରା କାର୍ଯ୍ୟ ସମ୍ପାଦନ କରିଥିଲେ। ଏହାପରେ ଦିନ ୧୧ଟା ବେଳେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ଫ୍ଲୋରିର ରାଜରାସ୍ତାରେ ରାଜକୀୟ ଠାଣିରେ ଭକ୍ତମାନଙ୍କ ଗହଣରେ ଗଡ଼ି ଚାଲିଥିଲା ବଡ଼ଠାକୁରଙ୍କ ଆକର୍ଷଣୀୟ ରଥ। ଓଡ଼ିଆ ତଥା ଅଣଓଡ଼ିଆ ଭକ୍ତମାନେ ରଥ ଦଉଡ଼ି ଟାଣିଥିଲେ। ରଥକୁ ୨ କିଲୋମିଟର ପର୍ଯ୍ୟନ୍ତ ଟାଣି ନେବା ପରେ ପୁଣି ମନ୍ଦିର ବେଢ଼ ନିକଟକୁ ଅଣାଯାଇଥିଲା ରଥରୁଢ଼ ଦିଅଁଙ୍କୁ।

ଭାରତୀୟ ରାଷ୍ଟ୍ରଦୂତଙ୍କର ପ୍ରତିନିଧି କାଉନସିଲର ନରେନ୍ଦ୍ର ରାଣା, ଏସିଟି ବିଧାନସଭାର ସଦସ୍ୟଗଣ ଯଥା ଜୋ କ୍ଲେ ଓ ଆଣ୍ଡ୍ରୁ ବ୍ରାଡକ୍ ଏବଂ କାନବେରାସ୍ଥିତ ଓଡ଼ିଆ ସମ୍ପ୍ରଦାୟର ମୁଖ୍ୟ ରୋଜାଲିନ ରାଉତ ପ୍ରମୁଖ ରଥଯାତ୍ରାରେ ସାମିଲ ହୋଇଥିଲେ।

ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସ୍ଥାନୀୟ ସଙ୍ଗୀତ ବିଦ୍ୟାଳୟର କଳାକାରମାନେ ଭଜନ ଗାୟନ ଏବଂ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।

ହିନ୍ଦୁ ମନ୍ଦିର ଓ ସାଂସ୍କୃତିକ କେନ୍ଦ୍ରର ସଭାପତି ପ୍ରକାଶ ମେହେଟ୍ଟା, ସମ୍ପାଦକ ତରୁଣ ଅଗସ୍ତି, ଅଷ୍ଟ୍ରେଲିଆ ଓଡ଼ିଆ ସମାଜ(ଓରିଓଜ ଇଙ୍କ)ର ପୂର୍ବତନ ସଭାପତି ଡକ୍ଟର ନଳିନୀ ପତି, ଓରିଓଜ ଇଙ୍କର କାର୍ଯ୍ୟକାରୀ କମିଟିର ପ୍ରତିନିଧି ମମତାଜ ଲେଙ୍କା, ଅଷ୍ଟ୍ରେଲିଆର ହିନ୍ଦୁ ପରିଷଦର ସଭାପତି ସନ୍ତୋଷ ଗୁପ୍ତା, ସ୍ଥାନୀୟ ପ୍ରବାସୀ ଭାରତୀୟ ସମ୍ପ୍ରଦାୟ, ଓରିଓଜ, ହିନ୍ଦୁ ପରିଷଦ ସଂଗଠନର କର୍ମକର୍ତ୍ତା ଏବଂ ସେଠାରେ ଥିବା ଓଡ଼ିଆ ଭାଇଭଉଣୀମାନେ ରଥଯାତ୍ରା ପର୍ବ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଏହି ଅବସରରେ ସିନେଟର କ୍ୟାଟି ଗାଲାଘର ସମସ୍ତଙ୍କୁ ରଥଯାତ୍ରାର ଶୁଭେଚ୍ଛା ଜଣାଇଥିଲେ।

Tags: #RathYatra #RathYatraCelebrationInAustrelia #Culture

Comment