ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବତନ ଦ୍ରୁତ ବୋଲର ଅଜିତ ଅଗରକର ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ନିଯୁକ୍ତ ହୋଇଛନ୍ତି। ସେ ଏବେ ଚେତନ ଶର୍ମାଙ୍କ ସ୍ଥାନରେ ମୁଖ୍ୟ ଚୟନକର୍ତ୍ତା ଭାବେ ଦାୟିତ୍ଵ ତୁଲାଇବେ। ଏନେଇ ମଙ୍ଗଳବାର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ସୂଚନା ଦିଆଯାଇଛି।

ବିସିସିଆଇର କ୍ରିକେଟ୍‌ ପରାମର୍ଶଦାତା ସମିତିର ସୁପାରିସକ୍ରମେ ଅଗରକରଙ୍କୁ ଏହି ନିଯୁକ୍ତି ଦିଆଯାଇଛି। ଏବେ ବିସିସିଆଇର ନୂତନ ଚୟନ କମିଟିରେ ଅଗରକରଙ୍କ ସହିତ ଶିବସୁନ୍ଦର ଦାସ, ସୁବ୍ରତ ବାନାର୍ଜୀ, ସଲିଲ ଅଙ୍କୋଲା ଓ ଶ୍ରୀଧରନ୍‌ ଶରତ ସଦସ୍ୟ ଭାବେ କାର୍ଯ୍ୟ କରିବେ।

ଅଜିତ ଅଗରକର ଭାରତ ପକ୍ଷରୁ ୨୬ଟି ଟେଷ୍ଟ, ୧୯୧ଟି ଦିନିକିଆ ଏବଂ ଚାରିଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଏହାସହିତ ସେ ୧୧୦ଟି ପ୍ରଥମ ଶ୍ରେଣୀ, ୨୭୦ଟି ଲିଷ୍ଟ ଏ ଏବଂ ୬୨ ଘରୋଇ ଟି-୨୦ ମ୍ୟାଚ୍ ଖେଳିଛନ୍ତି।

ଅଜିତ ୨୦୦୭ ମସିହାରେ ଦକ୍ଷିଣ ଆଫ୍ରିକାରେ ଭାରତ ବିଜୟୀ ହୋଇଥିବା ପ୍ରଥମ ଟି-୨୦ ବିଶ୍ୱକପରେ ଦଳର ସଦସ୍ୟ ଥିଲେ। ଦିନିକିଆ କ୍ରିକେଟରେ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଦ୍ୱାରା ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ଏବେ ବି ତାଙ୍କ ନାଁରେ ରହିଛି। ୨୦୦୦ ମସିହାରେ ଜିମ୍ବାୱେ ବିପକ୍ଷରେ ୨୧ ବଲରୁ ୫୦ ରନ କରି ସେ ଏହି ରେକର୍ଡ କରିଥିଲେ। ଏହାଛଡ଼ା ସେ ନିଜ ସମୟରେ ୨୩ଟି ଦିନିକିଆ ମ୍ୟାଚରୁ ୫୦ଟି ୱିକେଟ ହାସଲ କରି ନୂଆ ରେକର୍ଡ ସୃଷ୍ଟି କରିଥିଲେ।

ଅଜିତ ଅଗରକର କ୍ରିକେଟରୁ ଅବସର ନେବା ପରେ ଅନେକ ଦଳର ଚୟନକର୍ତ୍ତା ଓ କୋଚ ଭାବେ ଦାୟିତ୍ଵ ତୁଲାଇଛନ୍ତି। ସେ ମୁମ୍ବାଇ ରଣଜୀ ଦଳର ମୁଖ୍ୟ ଚୟନକର୍ତ୍ତା ଭାବେ ନିୟୁକ୍ତ ହେବା ସହ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର କୋଚିଂ ମଧ୍ୟ ଦାୟିତ୍ୱ ତୁଲାଇଥିଲେ।

ଅଗରକରଙ୍କୁ ବରିଷ୍ଠତା ଆଧାରରେ ଜାତୀୟ ପୁରୁଷ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତ କରାଯାଇଥିବା ବିସିସିଆଇ ପକ୍ଷରୁ କୁହାଯାଇଛି। ତେବେ ଆଗକୁ ଆସୁଥିବା ଆଇସିସି କ୍ରିକେଟ ବିଶ୍ଵକପ ପାଇଁ ଦଳ ଚୟନ କରିବାରେ ତାଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିବ।

Tags: #AjitAgarkar #IndianCricketTeam #ChiefSelector #BCCI

 

Comment