ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରର ପ୍ରମୁଖ ବ୍ୟାବସାୟିକ ପ୍ରତିଷ୍ଠାନ ଡିଏନ ଗ୍ରୁପ୍ ଉପରେ ବୁଧବାର ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଟିକସ ଫାଙ୍କିବା ଅଭିଯୋଗରେ ଡିଏନ ଗ୍ରୁପର ଭୁବନେଶ୍ଵର ସମେତ ୨୦ରୁ ଅଧିକ ସ୍ଥାନରେ ଆୟକର କର୍ମଚାରୀମାନେ ରେଡ୍ କରିଛନ୍ତି। ଏହି ଚଢ଼ାଉ ବେଳେ ଗ୍ରୁପର ଜଣେ କର୍ମଚାରୀଙ୍କ ଘରୁ ୩୦ କୋଟି ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି।

ଡିଏନ ଗ୍ରୁପ୍ ଉପରେ ଟିକସ ଫାଙ୍କିବା ଅଭିଯୋଗରେ ଆୟକର ଚଢ଼ାଉ କରାଯାଇଛି। ୟୁନିଟ୍-୪ ପୋଷ୍ଟାଲ କଲୋନୀ ସ୍ଥିତ ଗ୍ରୁପର ଜଣେ କର୍ମଚାରୀଙ୍କ ଘରେ ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ନଗଦ ୩୦ କୋଟି ଟଙ୍କା ଜବତ ହୋଇଛି। ତେବେ ଏହି ଟଙ୍କା କେଉଁଠୁ ଆସିଲା, ଏହାର ବୈଧତା କ’ଣ ରହିଛି ସେ ନେଇ ଆଗକୁ ଯାଞ୍ଚ କରାଯିବ।

ସେହିପରି ଭୁବନେଶ୍ଵର ଆଇଆରସି ଭିଲେଜ ସ୍ଥିତ ଡିଏନ ଗ୍ରୁପର ମୁଖ୍ୟ କାର୍ଯ୍ୟାଳୟରେ ମଧ୍ୟ ଚଢ଼ାଉ କରାଯାଇଛି। ଏହାଛଡ଼ା ଗ୍ରୁପର ନିର୍ଦ୍ଦେଶକଙ୍କ ସମେତ କେତେକ ବରିଷ୍ଠ ଅଧିକାରୀଙ୍କ ଘରେ ଆୟକର ରେଡ୍ ହୋଇଛି।

ଏହି ରେଡ୍ ବେଳେ ଆୟକର ବିଭାଗର ଅଧିକାରୀମାନେ ଡିଏନ ଗ୍ରୁପର ମାସକୁ କେତେ ଆୟ ହେଉଛି, ସେହି ଅନୁସାରେ ଏହି ବ୍ୟାବସାୟିକ ପ୍ରତିଷ୍ଠାନ ଇନକମ୍‌ ଟ୍ୟାକ୍ସ ଦେଉଛି କି ନାହିଁ ତାହାର ଯାଞ୍ଚ କରିଥିଲେ।

ଏହି ବ୍ୟାବସାୟିକ ପ୍ରତିଷ୍ଠାନ ମୁଖ୍ୟତଃ କନଷ୍ଟ୍ରସନ୍ ବିଜନେସ ସହ ଜଡ଼ିତ। ଗ୍ରୁପ କନଷ୍ଟ୍ରସନ୍ ଛଡ଼ା ଅନ୍ୟାନ୍ୟ ବ୍ୟବସାୟରେ ମଧ୍ୟ କୋଟି କୋଟି ଟଙ୍କା ନିବେଶ କରିଛି। ଏହି ଗ୍ରୁପର ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ବିଭିନ୍ନ ବ୍ୟବସାୟ ରହିଛି।

Tags: #DNGroup #ITRaid #TaxEvasion #IncomeTaxDept #Bhubaneswar

Comment