ଓଡ଼ିଶାଲାଇଭ୍ ବ୍ୟୁରୋ

ସରକାରୀ ଡାକ୍ତରଖାନାରେ ଆଉ ଚାଲିବନି ଦଲାଲଙ୍କ ଦଦାଗିରି। ଏବେ ସାବାଡ଼ ହେବେ ଦଲାଲ, ମୁକ୍ତି ପାଇବେ ନିରୀହ ରୋଗୀ।

ଦଲାଲଙ୍କ କବ୍ଜାରେ ରାଜ୍ୟର ସରକାରୀ ଡାକ୍ତରଖାନା। ସରକାରୀ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କୁ ଭଣ୍ଡେଇ ଘରୋଇ ହସ୍ପିଟାଲକୁ ପାଠଉଛନ୍ତି ଏହି ଦଲାଲ। ଫଳରେ ଘରୋଇ ହସ୍ପିଟାଲ ମାଲିକମାନେ ମାଲାମାଲ ହେଉଥିବାବେଳେ ଦଲାଲମାନେ ମଧ୍ୟ କମାଉଛନ୍ତି ମୋଟା ଅଙ୍କର କମିସନ। ଅନେକ ସମୟରେ ଦଲାଲମାନଙ୍କ ଶୋଷଣର ଶିକାର ହେଉଛନ୍ତି ଗରିବ ରୋଗୀ ଓ ସେମାନଙ୍କ ପରିବାର ଲୋକେ। ଏବେ ଏହି ଦଲାଲମାନଙ୍କୁ ସାବାଡ଼ କରିବାକୁ ଆକ୍ସନ ମୋଡରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ।

ଓଡ଼ିଶାର ବିଭିନ୍ନ ସରକାରୀ ଡାକ୍ତରଖାନାରେ ବଢ଼ୁଥିବା ଦଲାଲଙ୍କ ପ୍ରାଦୁର୍ଭାବକୁ ନେଇ ଅଭିଯୋଗ ପରେ ଚେତିଛନ୍ତି ରାଜ୍ୟ ସରକାର। ଏଥିପାଇଁ ସବୁ ଦଲାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏ ବାବଦରେ ପଦକ୍ଷେପ ନେବାପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କମିଶନର ତଥା ସଚିବ ଶାଳିନୀ ପଣ୍ଡିତ ବୁଧବାର ଦିନ ଓଡ଼ିଶାର ସବୁ ଜିଲ୍ଲାର ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ପୋଲିସ ପ୍ରଶାସନକୁ ଚିଠି ଲେଖିଛନ୍ତି।

ସ୍ୱାସ୍ଥ୍ୟ ବିଭାଗର ନିର୍ଦେଶ ଅନୁସାରେ ରାଜ୍ୟର ସରକାରୀ ଡାକ୍ତରଖାନା ଓ ମେଡିକାଲ କଲେଜଗୁଡ଼ିକରେ ଘୁରି ବୁଲୁଥିବା ଦଲାଲମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। ଦଲାଲମାନେ ଯେଭଳି ସରକାରୀ ହସପିଟାଲରେ କୌଣସି ରୋଗୀଙ୍କୁ ପ୍ରଲୋଭନ ଦେଖାଇ ଘରୋଇ ହସ୍ପିଟାଲ କିମ୍ବା କ୍ଲିନିକକୁ ନେବାକୁ ଚେଷ୍ଟା ନକରିବେ ସେ ଦିଗରେ ପଦକ୍ଷେପ ନେବାକୁ ଚିଠିରେ ଉଲ୍ଲେଖ କରାଯାଇଛି।

ଦଲାଲମାନଙ୍କୁ ଚିହ୍ନଟ କରିବା ପାଇଁ ଡାକ୍ତରଖାନାରେ ଯାଞ୍ଚ ବ୍ୟବସ୍ଥାକୁ ବ୍ୟପକ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦିଆଯାଇଛି। ଏଥିପାଇଁ ଆବଶ୍ୟକ ସ୍ଥଳେ ପୋଲିସର ସହାୟତା ନେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଚିହ୍ନଟ ହୋଇଥିବା ଦଲାଲମାନେ ଯେପରି ଭବିଷ୍ୟତରେ ଆଉ କୌଣସି ସରକାରୀ ଡାକ୍ତରଖାନାରେ ନିଜର କାର୍ଯ୍ୟକଳାପ ଜାରି ନରଖିବେ ସେ ଦିଗରେ ଦୃଷ୍ଟି ଦେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ଏହା ପୂର୍ବରୁ ରାଜ୍ୟର ସରକାରୀ ଡାକ୍ତରଖାନାରେ ଦଲାଲଙ୍କ କାର୍ଯ୍ୟକଳାପ ବାବଦରେ ବିଭିନ୍ନ ସମୟରେ ଆସୁଥିବା ଅଭିଯୋଗକୁ ନେଇ ଓଡ଼ିଶା ହାଇକୋର୍ଟ ମଧ୍ୟ ଚିନ୍ତା ପ୍ରକାଶ କରିଥିଲେ। ଗତ ଜୁନ ମାସରେ ଏ ସଂକ୍ରାନ୍ତରେ ହାଇକୋର୍ଟ ଦେଇଥିବା ନିଜ ରାୟରେ ଦଲାଲମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ।

ଦଲାଲମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆବଶ୍ୟକୀୟ ରୋଡମ୍ୟାପ ପ୍ରସ୍ତୁତ କରିବା ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ଦଲାଲମାନଙ୍କୁ ରୋକିବା ପାଇଁ କେଉଁ କେଉଁ ପଦକ୍ଷେପ ନିଆଯାଇଛି ଏବଂ ଆଗକୁ କ’ଣ ଯୋଜନା ରହିଛି, ସେ ବାବଦରେ ସତ୍ୟପାଠ ଦାଖଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ ହାଇକୋର୍ଟ।

ଅନ୍ୟପଟେ ସରକାରୀ ଡାକ୍ତରଖାନାରେ ଦଲାଲଙ୍କ କାର୍ଯ୍ୟକଳାପ ରୋକିବା ପାଇଁ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ୨୦୨୧ ମସିହାରେ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇଥିଲା। ଏହାକୁ ନେଇ କିଛି ସ୍ଥାନରେ ଦଲାଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଥିଲା। ଏହା ସତ୍ତ୍ୱେ ଅନେକ ଡାକ୍ତରଖାନାରେ ଦଲାଲମାନେ ବିନା ଭୟରେ ନିଜର କାୟା ବିସ୍ତାର କରିଚାଲିଛନ୍ତି। ସେମାନେ ଘରୋଇ ହସ୍ପିଟାଲରେ ଭଲ ଚିକିତ୍ସାର ପ୍ରଲୋଭନ ଦେଇ ସରକାରୀ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କଠାରୁ ଟଙ୍କା ଆଦାୟ କରୁଥିବା ମଧ୍ୟ ଅଭିଯୋଗ ହେଉଛି।

ଏବେ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପ ଯୋଗୁଁ କେବଳ ଦଲାଲମାନେ ସାବାଡ଼ ହେବେନାହିଁ, ଏହାଦ୍ଵାରା ଘରୋଇ ହସ୍ପିଟାଲ ଓ କ୍ଲିନିକଗୁଡ଼ିକ ଉପରେ ମଧ୍ୟ ପ୍ରଭାବ ପଡ଼ିବ।

Tags: #GovtHospitals #Patients #Healthcare #PrivateHospitals #HFWOdisha

 

Comment