ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ମହାରାଷ୍ଟ୍ରରେ କ୍ଷମତା ଲଢ଼େଇ। ଦାଦାଙ୍କୁ ଗାଦିଚ୍ୟୁତ କରିବାରେ ସଫଳ ହୋଇଛନ୍ତି ଅଜିତ ପାୱାର।

ରାଜନୀତିରେ କେତେବେଳେ କ’ଣ ହେବ ଏହାର ଆକଳନ କରିହୁଏ ନାହିଁ। ଏହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ। ମହାରାଷ୍ଟ୍ରରେ କ୍ଷମତା ଲଢ଼େଇରେ ଦାଦା ଶରଦ ପାୱାରଙ୍କୁ ପଛରେ ପକାଇଛନ୍ତି ପୁତୁରା ଅଜିତ ପାୱାର।

ନ୍ୟାସନାଲ କଂଗ୍ରେସ ପାର୍ଟି (ଏନସିପି) ଦଖଲ ପାଇଁ ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଜୋରଦାର ଲଢ଼େଇ। ଏନସିପିର ମୋଟ ୫୪ ବିଧାୟକଙ୍କ ମଧ୍ୟରୁ ୩୧ ଜଣ ଅଜିତଙ୍କ ସମର୍ଥନରେ ପହଞ୍ଚିଥିବାବେଳେ ଶରଦ ପାୱାରଙ୍କ ବୈଠକରେ ସାମିଲ ହୋଇଥିଲେ ୧୪ ଜଣ ବିଧାୟକ, ୩ ଜଣ ଏମଏଲସି ଓ ୫ ଜଣ ସାଂସଦ। ସଂଖ୍ୟା ଖେଳରେ ଶରଦଙ୍କୁ ମାତ୍ ଦେଇଥିଲେ ପୁତୁରା ଅଜିତ।

ବୁଧବାର ଦିନ ଅଜିତଙ୍କଠାରୁ ମାତ୍ ଖାଇଥିବା ଶରଦ ପାୱାର ଗୁରୁବାର ଦିନ ଦିଲ୍ଲୀରେ ଏନସିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଡାକିଛନ୍ତି। ଏହି ବୈଠକରେ ଶରଦ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଏନସିପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଜିତ

ଆଜି ୱାର୍କିଂ କମିଟି ବୈଠକ ଅନୁଷ୍ଠିତ ହେବ। ନିର୍ବାଚନ କମିଶନଙ୍କ ପାଖରେ ଅଜିତ ଗୋଷ୍ଠୀଙ୍କ ପକ୍ଷରୁ ଦିଆଯାଇଥିବା ପିଟିସନରେ ଅଜିତ ପାୱାରଙ୍କୁ ଦଳର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦର୍ଶାଯାଇଛି। ସବୁ ବିଧାୟକଙ୍କ ସହମତିରେ ଅଜିତ ପାୱାର ଦଳର ଅଧ୍ୟକ୍ଷ ହୋଇଥିବା ଉଲ୍ଲେଖ ରହିଛି।

ଶରଦଙ୍କ ପାାର ଗଲା

ଜୁଲାଇ ୨ ତାରିଖରେ ଏନସିପିରେ ବିଦ୍ରୋହ ଆଣିଥିଲେ ଅଜିତ ପାୱାର। ଏହା ପରେ ସେ ୮ ଜଣ ବିଧାୟକଙ୍କୁ ସାଙ୍ଗରେ ଧରି ମହାରାଷ୍ଟ୍ର ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହା ପରେ ଶରଦ ପାୱାର ଏନସିପିରୁ ପ୍ରଫୁଲ୍ଲ ପଟେଲ ଏବଂ ସନୁଲ ତଟକରେଙ୍କୁ ଦଳରୁ ବହିଷ୍କାର କରିଥିଲେ।

ଏହା ପରେ ଅଜିତ୍ ପାୱାର ଆକ୍ସନ ମୋଡକୁ ଆସିଥିଲେ। ଅଜିତ ଏନସିପି ଉପରେ ଅଧିକାର ସାବ୍ୟସ୍ତ କରିବା ସହ ସଞ୍ଜୟ ପାଟିଲଙ୍କୁ ମହାରାଷ୍ଟ୍ରର ସଭାପତି ପଦବୀରୁ ହଟାଇ ସୁନୀତ ତଟକରେଙ୍କୁ ଦଳର ସଭାପତି କରିଦେଇଥିଲେ। ଏହା ପରେ ଶରଦ ପାୱାରଙ୍କୁ ଗାଦିଚ୍ୟୁତ କରି ନିଜେ ଏନସିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେଲେ।

ଏନସିପି ଉପରେ ଦାବି

ବର୍ତ୍ତମାନ ଏନସିପିର ନାଁ ଏବଂ ଦଳୀୟ ଚିହ୍ନ ଉପରେ ଅଧିକାରକୁ ନେଇ ଚାଲିଛି ଲଢ଼େଇ। ଏହାକୁ ନେଇ ନିର୍ବାଚନ ଆୟୋଗଙ୍କ ଦ୍ଵାରସ୍ଥ ହୋଇଛନ୍ତି ଉଭୟ ଶରଦ ପାୱାର ଓ ଅଜିତ ପାୱାର।

Tags: #Politics #MaharashtraPolitics #NCP #AjitPawar #SaradPawar

Comment