ଓଡ଼ିଶାଲାଇଭ୍ ବ୍ୟୁରୋ

ଏବେ ଆଖିଧରା ରୋଗକୁ ନେଇ ଛାନିଆଁ ହେଲେଣି ଲୋକେ। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ଆଖିଧରା ସମସ୍ୟା ଭୋଗୁଛନ୍ତି।

ଗତ କିଛି ଦିନ ହେଲା ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଖିଧରା ରୋଗ ବ୍ୟାପିଥିବା ଦେଖିବାକୁ ମିଳୁଛି। ଏହା ଏକ ସଂକ୍ରାମକ ରୋଗ ଏବଂ ମୁଖ୍ୟତଃ ଏହା ସ୍ପର୍ଶ ମାଧ୍ୟମରେ ବ୍ୟାପିଥାଏ ବୋଲି ବିଶେଷଜ୍ଞ କୁହନ୍ତି।

ଏହି ସମସ୍ୟାରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି।

ଜାଣନ୍ତୁ କେମିତି ରହିବେ ସତର୍କ

ଆଖିଧରାରେ ଆକ୍ରାନ୍ତ ବ୍ୟକ୍ତିଙ୍କର ରୁମାଲ, ତଉଲିଆ, ତକିଆ କିମ୍ବା ସେ ବ୍ୟବହାର କରୁଥିବା ଆଇ ଡ୍ରପ ଅନ୍ୟମାନେ ବ୍ୟବହାର କରିବା ଉଚିତ୍ ନୁହେଁ। ଏହା ସହିତ ଚଷମା ବ୍ୟବହାର କରୁଥିଲେ ଏହାକୁ ନିୟମିତ ସଫା ରଖିବା ଆବଶ୍ୟକ। କଣ୍ଟାକ୍ଟ ଲେନ୍ସ ବ୍ୟବହାର କରୁଥିଲେ ଚକ୍ଷୁ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରି ସାବଧାନତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି।

ବର୍ତ୍ତମାନ ସମୟରେ ପୋଖରି କିମ୍ବା ସୁଇମିଂ ପୁଲରେ ମୁହଁ ବୁଡ଼ାନ୍ତୁ ନାହିଁ। ଆଖିରେ କୌଣସି ପ୍ରସାଧନ ସାମଗ୍ରୀ ବ୍ୟବହାର କରିବାଠାରୁ ଦୂରେଇ ରହିବା ଭଲ।

 

ଯଦି ଆଖିଧରା ସମସ୍ୟା ଉପୁଜିଛି, ତେବେ ପରିଷ୍କାର କପଡ଼ାକୁ ଉଷୁମ ପାଣିରେ ପକାଇ ଆଖିକୁ ପୋଛନ୍ତୁ। ଆଖି ପୁଛୁଥିବା କପଡ଼ାକୁ ଗରମ ପାଣି ଏବଂ ଡିଟରଜେଣ୍ଟ ପାଉଡରରେ ଭିଜାଇବା ପରେ ତାକୁ ନଷ୍ଟ କରିଦିଅନ୍ତୁ।

ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଆଖି ଔଷଧ ବ୍ୟବହାର କରିବା ଆଦୌ ଉଚିତ୍ ନୁହେଁ। ଏହି ସମୟରେ ଆବଶ୍ୟକ ହେଲେ ଡାକ୍ତରଙ୍କ ପରାମର୍ଶ ନେବା ଦରକାର।

Tags: #EyeRedness #GuidelineForEyeRedness #DoctorsAdvice #HealthCare #OdiaHealthTips

LEAVE A REPLY

Please enter your comment!
Please enter your name here