ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ୍ ଉପରେ ଆୟକର ବିଭାଗର ଚଢ଼ାଉ ଗୁରୁବାର ମଧ୍ୟ ଜାରି ରହିଛି। ଦ୍ଵିତୀୟ ଦିନରେ ଗ୍ରୁପର ବିଭିନ୍ନ କାର୍ଯ୍ୟାଳୟ ଓ ଅଧିକାରୀଙ୍କ ଘରେ ରେଡ କରାଯାଇଛି। ଏଥିରେ ଆୟକର ବିଭାଗକୁ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ସହ ୧୦୦ କୋଟି ଟଙ୍କାର ମନି ରିସିପ୍ଟ ମିଳିଛି। ସେହିପରି ରେଡ୍ ବେଳେ କିଛି ଜାଲ ନୋଟ ମଧ୍ୟ ମିଳିଥିବା ସୂଚନା ମିଳିଛି। ଡିଏନ ଗ୍ରୁପ ବିରୋଧରେ ବେଆଇନ୍ ଆର୍ଥିକ କାରବାର ଅଭିଯୋଗକୁ ନେଇ ଏବେ ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)।

ମିଳିଥିବା ସୂଚନା ଅନୁସାରେ ଏହି ମାମଲାରେ ଇଡି ନିଜ ଆଡୁ କେସ ରୁଜୁ କରି ତଦନ୍ତ କରିବ। ଏଥିରେ ଗ୍ରୁପ ପାଖରେ ଥିବା ଟଙ୍କା କେଉଁଠୁ ଆସିଲା ଓ ଗ୍ରୁପ ଆଉ କେଉଁ ବ୍ୟବସାୟରେ ଟଙ୍କା ଲଗାଇଛି ସେ ସବୁର ଯାଞ୍ଚ କରାଯିବ।

ଡିଏନ୍ ଗ୍ରୁପ ଉପରେ ଆୟକର ଚଢ଼ାଉର ପ୍ରଥମ ଦିନରେ ଭୁବନେଶ୍ୱର ୟୁନିଟ୍-୪ ପୋଷ୍ଟାଲ କଲୋନିରେ ରହୁଥିବା ସଂସ୍ଥାର କର୍ମଚାରୀଙ୍କ ଘରୁ ନଗଦ ୩୦ କୋଟି ଟଙ୍କା ଜବତ ହୋଇଥିଲା। ୩ଟି ଟ୍ରଙ୍କ ଭରା ଏହି ଟଙ୍କାକୁ ଏବେ ଆଉ ଥରେ ଗଣିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ପଠାଯାଇଛି।

ସେହିପରି ବୁଧବାର ବିଳମ୍ବିତ ରାତି ଯାଏଁ ରେଡ୍ ହୋଇଥିବାବେଳେ ଗୁରୁବାର ସକାଳୁ ସକାଳୁ ଆୟକର ବିଭାଗର ଟିମ ଚଢ଼ାଉ ଆରମ୍ଭ କରିଥିଲା। ଏଥିରେ ଡିଏନ ଗ୍ରୁପର ମାଲିକ ଜଗଦୀଶ ପ୍ରସାଦ ନାୟକଙ୍କୁ ଆୟକର ଅଧିକାରୀମାନେ ଜବତ ଟଙ୍କା ସମ୍ପର୍କରେ ପଚରାଉଚରା କରଥିଲେ।

ଦ୍ଵିତୀୟ ଦିନର ଏହି ଚଢ଼ାଉ ବେଳେ ଗ୍ରୁପର ନିର୍ଦେଶକ ଓ ବରିଷ୍ଠ ଅଧିକାରୀଙ୍କୁ ଜେରା କରାଯାଇଥିଲା। ସେହିପରି ତଦନ୍ତକାରୀ ଟିମ୍ ହାତରେ ଡିଏନ ଗ୍ରୁପର ୨୦ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଓ ଲକରର ସୂଚନା ମିଳିଛି। ଗ୍ରୁପର ବ୍ୟାଙ୍କ ଆକାଉଣ୍ଟରେ କାରବାର ଓ ଲକର୍‌କୁ ଆଗକୁ ଯାଞ୍ଚ କରାଯିବ।

ଡିଏନ୍ ଗ୍ରୁପ ବିରୋଧରେ ଆୟକର ଫାଙ୍କିବା ଅଭିଯୋଗକୁ ନେଇ ବୁଧବାର ସକାଳୁ ଆୟକର ବିଭାଗର ୭ଟି ଟିମ୍ ରେଡ୍ କରିଥିଲେ। ଏଥିରେ ଭୁବନେଶ୍ଵର ନୂଆପଲ୍ଲୀ ସ୍ଥିତ ଗ୍ରୁପର ମୁଖ୍ୟ ଅଫିସ ସମେତ ୨୩ଟି ସ୍ଥାନରେ ଚଢ଼ାଉ ହୋଇଥିଲା। ରେଡ୍ ବେଳେ ଗ୍ରୁପର ଜଣେ କର୍ମଚାରୀଙ୍କ ଘରୁ ୩ଟି ଟ୍ରଙ୍କ ଭରା ନଗଦ ୩୦ କୋଟି ଟଙ୍କା ଜବତ ହେବା ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି। ଏବେ ଏହି ମାମଲାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ସରଗରମ ହେବାକୁ ଲାଗିଲାଣି।

Tags: #DNGroup #ITRaid #TaxEvasion #IncomeTaxDept #ED #Bhubaneswar

 

Comment