ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ଵର ଜିଲ୍ଲା ବାହାନଗା ଟ୍ରେନ ଟ୍ରାଜେଡିକୁ ନେଇ ଏବେ ଖୋଳତାଡ଼ କରୁଛି ସିବିଆଇ। ଏହି ମାମଲାରେ ଗିରଫ ହୋଇଥିବା ୩ ଜଣ ରେଳ ଅଧିକାରୀଙ୍କୁ ପଚରାଉଚରା କରିବାପାଇଁ ଶନିବାର ସିବିଆଇର ଟିମ୍ ଭୁବନେଶ୍ଵର ଉପକଣ୍ଠସ୍ଥ ଚନ୍ଦକା ଥାନାରେ ପହଞ୍ଚିଛି। ସିବିଆଇର ୫ ଜଣ ସଦସ୍ୟ ଗିରଫ ଅଧିକାରୀଙ୍କୁ ଜେରା କରିବେ।

ସିବିଆଇ ଏବେ ଏହି ରେଳ ଅଧିକାରୀମାନଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି। ଶୁକ୍ରବାର ସ୍ୱତନ୍ତ୍ର ସିବିଆଇ କୋର୍ଟ ମାମଲାର ଶୁଣାଣି କରି ରିମାଣ୍ଡ ଅନୁମତି ପ୍ରଦାନ କରିଥିଲେ। ଏବେ ସିବିଆଇ ଘଟଣାରେ ବିଭିନ୍ନ ଦିଗ ଉପରେ ତଦନ୍ତ କରିବ।

ଅନ୍ୟପଟେ ଏହି ମାମଲାରେ ଆଉ ଜଣେ ରେଳ କର୍ମଚାରୀଙ୍କୁ ମଧ୍ୟ ସିବିଆଇ ପକ୍ଷରୁ ସମନ ଦିଆଯାଇଛି। ରିମାଣ୍ଡ ଅବଧି ମଧ୍ୟରେ ସମସ୍ତ ଅଭିଯୁକ୍ତଙ୍କୁ ଜେରା କରି ଆସନ୍ତା ୧୧ ତାରିଖରେ କୋର୍ଟରେ ହାଜର କରିବାକୁ ନିର୍ଦେଶ ରହିଛି।

ବାହାନଗା ରେଳ ଦୁର୍ଘଟଣା ମାମଲାରେ ସିବିଆଇ ଶୁକ୍ରବାର ଦକ୍ଷିଣପୂର୍ବ ରେଳବାଇର ତିନି ଜଣ ବୈଷୟିକ ଅଧିକାରୀଙ୍କୁ ଗିରଫ କରିଥିଲା। ଗିରଫ ଅଧିକାରୀଙ୍କ ମଧ୍ୟରେ ସିଗନାଲ୍ ବିଭାଗର ବରିଷ୍ଠ ସେକ୍ସନ୍ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ୍ ଇଞ୍ଜିନିୟର ମହମ୍ମଦ ଅମୀର ଖାନ ଓ ଟେକ୍ନିସିଆନ୍ ପପୁ କୁମାର ସାମିଲ ଅଛନ୍ତି।

ଏହି ଅଧିକାରୀମାନଙ୍କୁ କାର୍ଯ୍ୟରେ ଅବହେଳା ଓ ଦୁର୍ଘଟଣାର କାରଣ ଲୁଚାଇବା ଅଭିଯୋଗରେ ଗିରଫ କରାଯାଇଛି। ସେମାନଙ୍କ ବିରୋଧରେ ଆଇପିସିର ଧାରା ୩୦୪ ଓ ସିଆରପିସି ୨୦୧ ଭଳି ଧାରା ଲଗାଯାଇଛି।

ସେହିପରି ରେଳ ସୁରକ୍ଷା କମିଶନର (ସିଆରଏସ) ରେଳବାଇ ବୋର୍ଡକୁ ଦେଇଥିବା ରିପୋର୍ଟରେ ସିଗନାଲ, ବୈଷୟିକ ତ୍ରୁଟି ଓ କର୍ମଚାରୀଙ୍କ ଅବହେଳାକୁ ବାହାନଗା ଟ୍ରାଜେଡି ପାଇଁ ଦାୟୀ କରିଥିଲେ। ସିବିଆଇ ଏହି ରିପୋର୍ଟକୁ ଆଧାର କରି ସମ୍ପୃକ୍ତ ଅଧିକାରୀମାନଙ୍କୁ ଗିରଫ କରିଛି।

ବାହାନଗା ଷ୍ଟେସନ ନିକଟରେ ସିଗନାଲିଂ ସର୍କିଟ୍ ବଦଳାଯିବା ବେଳେ ବୈଷୟିକ ତ୍ରୁଟି ଯୋଗୁଁ ଇଣ୍ଟରଲକିଂ ସିଷ୍ଟମ୍ ପ୍ରଭାବିତ ହୋଇଥିଲା। ଏହି କାରଣରୁ କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ସିଆରଏସ ରିପୋର୍ଟ ଦେଇଥିଲେ।

ଜୁନ ୨ ତାରିଖରେ ବାହନଗା ରେଳ ଷ୍ଟେସନ ନିକଟରେ ଭୟଙ୍କର ରେଳ ଦୁର୍ଘଟଣା ହୋଇଥିଲା। କଲିକତାର ଶାଲିମାର ଷ୍ଟେସନରୂ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକପ୍ରେସ ଏକ ମାଲଗାଡ଼ିକୁ ଧକ୍କା ଦେଇଥିଲା। ଦୁର୍ଘଟଣାର ତୀବ୍ରତା ଏତେ ଥିଲା କି, କରମଣ୍ଡଳ ଏକପ୍ରେସର ବଗି ସେହି ସମୟରେ ଅନ୍ୟ ଲାଇନରେ ଆସୁଥିବା ଯଶୋବନ୍ତପୁର-ହାୱଡା ଏକ୍ସପ୍ରେସ ସହ ମାଡ଼ ହୋଇଥିଲା।

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଏ ଯାଏଁ ୨୯୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ଏଥିରେ ୨ ହଜାରରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ଏବେ ଯାଏଁ ମଧ୍ୟ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅନେକ ବ୍ୟକ୍ତିଙ୍କ ମୃତଦେହ ଚିହ୍ନଟ ହୋଇନାହିଁ।

Tags: #BahanagaTrainTragedy #TrainAccidentinOdisha #CBIInvestigation #IndianRailways

 

Comment