ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରମୁଖ ବ୍ୟବସାୟିକ ସଂସ୍ଥା ଡିଏନ ଗ୍ରୁପ୍ ଉପରେ ଆୟକର ବିଭାଗର ଚଢ଼ାଉ ଶେଷ ହେବାର ନାଁ ଧରୁନି। ଶନିବାର ଲଗାତର ଚତୁର୍ଥ ଦିନରେ ପହଞ୍ଚିଛି ଆୟକର ବିଭାଗର ରେଡ୍। ଆୟକର ଅଧିକାରୀମାନେ ଡିଏନ ଗ୍ରୁପ୍ ମୁଖ୍ୟ ଜଗଦୀଶ ନାୟକଙ୍କୁ ପଚରାଉଚରା କରିଛନ୍ତି। ଶନିବାର ରେଡ୍ ବେଳେ ଆହୁରି ଅଢ଼େଇ କୋଟି ଟଙ୍କା ମିଳିଥିବା ସୂଚନା ମିଳିଛି।

ଆୟକର ବିଭାଗ ଅଧିକାରୀମାନେ ଶନିବାର ନୟାପଲ୍ଲୀ ସ୍ଥିତ ଡିଏନ ଗ୍ରୁପର ମୁଖ୍ୟ କାର୍ଯ୍ୟଳୟରେ ଜଗଦୀଶ ନାୟକଙ୍କୁ ଜେରା କରିଥିଲେ। କୋଟି କୋଟି ଟଙ୍କାର ହିସାବ ପାଇଁ ଜଗଦିଶ ଓ ଡିଏନ ଗ୍ରୁପର କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କୁ ସାମ୍ନାସାମ୍ନି କରି ପଚରାଉଚରା କରାଯାଇଥିଲା।

ଡିଏନ ଗ୍ରୁପ୍ ଉପରେ ଶନିବାର ରେଡ୍ ବେଳେ ଆହୁରି ଅଢ଼େଇ କୋଟି ଟଙ୍କା ମିଳିଛି। ଏହାକୁ ମିଶାଇ ଗ୍ରୁପ୍ ନିକଟରୁ ୩୨ କୋଟିରୁ ଅଧିକ ଟଙ୍କା ମିଳି ସାରିଲାଣି। ଏହାଛଡ଼ା ରେଡ୍ ବେଳେ ଆୟକର ବିଭାଗ ହାତରେ ଆଉ କିଛି କାଗଜପତ୍ର ମଧ୍ୟ ଲାଗିଥିଲା।

ଏବେ ଆୟକର ବିଭାଗ ଅଧିକାରୀମାନେ ଚଢ଼ାଉବେଳେ ମିଳିଥିବା ପେନଡ୍ରାଇଭ, କମ୍ପ୍ୟୁଟର ହାର୍ଡ ଡିସ୍କର ଯାଞ୍ଚ କରୁଛନ୍ତି। ଟିମ୍ ହାତରେ ଲାଗିଥିବା ଗ୍ରୁପର ୨୦ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଓ ଲକରକୁ ଆଗକୁ ଯାଞ୍ଚ କରାଯିବ।

ଟିକସ ଫାଙ୍କିବା ଅଭିଯୋଗରେ ବୁଧବାର ଡିଏନ ଗ୍ରୁପର ମୁଖ୍ୟ କାର୍ଯ୍ୟାଳୟ ସମେତ ୨୩ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଏହି ରେଡ୍ ବେଳେ ଭୁବନେଶ୍ଵର ୟୁନିଟ୍-୪ ସ୍ଥିତ ପୋଷ୍ଟାଲ କଲୋନିରେ ରହୁଥିବା ସଂସ୍ଥାର କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଘରୁ ନଗଦ ୩୦ କୋଟି ଟଙ୍କା ମିଳିଥିଲା। ଏହା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା।

ଆସନ୍ତା ସପ୍ତାହରେ ଏହି ମାମଲାରେ ଇଡି ନିଜ ଆଡୁ କେସ ରୁଜୁ କରି ତଦନ୍ତ କରିବ। ଏଥିରେ ଗ୍ରୁପ୍ ପାଖରେ ଥିବା ଟଙ୍କା କେଉଁଠୁ ଆସିଲା ଓ ଗ୍ରୁପ ଆଉ କେଉଁ ବ୍ୟବସାୟରେ ଟଙ୍କା ଲଗାଇଛି ସେ ସବୁର ଯାଞ୍ଚ କରାଯିବ।

Tags: #DNGroup #ITRaid #TaxEvasion #IncomeTaxDept #ED #Bhubaneswar

 

Comment