ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ମୌସୁମୀ ଋତୁରେ ଜୁନ ୧ ତାରିଖରୁ ଜୁଲାଇ ୧୦ ତାରିଖ ମଧ୍ୟରେ ୨୨୨.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ଵାଭାବିକ ବର୍ଷା ୩୦୪.୨ ମିଲିମିଟର ତୁଳନାରେ ୨୭ ପ୍ରତିଶତ କମ୍ ରହିଛି ବୋଲି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଏହି ସମୟ ମଧ୍ୟରେ ଦେବଗଡ଼ ଜିଲ୍ଲାରେ ସର୍ବାଧିକ ୪୫୨.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ଵାଭାବିକ ବର୍ଷା ତୁଳନାରେ ୪୮ ପ୍ରତିଶତ ଅଧିକ ରହିଛି। ସେହିପରି କଳାହାଣ୍ଡି ଜିଲ୍ଲାରେ ୧୨୩.୮ ମିଲିମିଟର ସହ ସବୁଠାରୁ କମ୍ ପ୍ରତିଶତ ବର୍ଷା ରେକର୍ଡ କରାଯାଇଛି। ଏହା ସ୍ଵାଭବିକ ବର୍ଷା ତୁଳନାରେ ୬୬ ପ୍ରତିଶତ କମ୍ ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨.୧ ପ୍ରତିଶତ ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ଵାଭାବିକ ବର୍ଷା ୯.୨ ମିଲିମିଟର ତୁଳନାରେ ୭୭ ପ୍ରତିଶତ କମ୍ ରହିଛି।

ମୌସୁମୀ ଚାପ ରେଖାର ପୂର୍ବ ଭାଗ ତା’ର ସାଧାରଣ ଅବସ୍ଥାନଠାରୁ ଉତ୍ତରରେ ରହୁଥିବାରୁ ତଥା ଓଡ଼ିଶା ଉପରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବାରୁ ଗତ ଦୁଇ ତିନିଦିନ ଧରି ରାଜ୍ୟରେ ବର୍ଷା ପରିମାଣ କମିଛି।

ଆସନ୍ତା ୩ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ସୋମବାର ଦିନ ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ଅନୁଗୁଳ ଓ ଢେଙ୍କାନାଳ।

ଆସନ୍ତା ୧୧ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଏବଂ ଢେଙ୍କାନାଳ ଜିଲ୍ଲାକୁ ପ୍ରବଳ ବର୍ଷା ହେବା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଆସନ୍ତା ୧୨ ତାରିଖରେ ପ୍ରବଳ ବର୍ଷା ହେବା ନେଇ ୧୦ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।

ଏହି ଜିଲ୍ଲାଗୁଡ଼ିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୁଳ, କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, ଗଜପତି ଏବଂ କୋରାପୁଟ। ଏହା ସହ ଆସନ୍ତା ୧୩ ତାରିଖ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, ଢେଙ୍କାନାଳ, ଯାଜପୁର, ଭଦ୍ରକ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ, ଗଜପତି ଏବଂ କୋରାପୁଟକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

Tags: #WeatherUpdates #Monsoon #RainFall #RainfallWarning

Comment