ଓଡ଼ିଶାଲାଇଭ୍ ବ୍ୟୁରୋ

ଜଣେ ୮ ମାସ ଶିଶୁର ପିଠିରେ ମେନିଙ୍ଗୋମାଇଲୋସିଲ ଯୋଗୁଁ ସୃଷ୍ଟି ହୋଇଥିବା ମାଂସ ପିଣ୍ଡୁଳାକୁ ଅସ୍ତ୍ରୋପଚାର ଦ୍ୱାରା ବାହାର କରିଛନ୍ତି ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲର ନ୍ୟୁରୋସର୍ଜନ। ଶିଶୁଟିର ପିଠିରେ ୪,୩୦୦ ସ୍କୋୟାର ସେମି ଭଲ୍ୟୁମର ଏକ ମାଂସ ପିଣ୍ଡୁଳା ହୋଇଥିଲା। ବିଶିଷ୍ଟ ନ୍ୟୁରୋସର୍ଜନ ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଏହି ଅସ୍ତ୍ରୋପଚାର କରାଯାଇଥିଲା।

ଜନ୍ମ ସମୟରେ ଶିଶୁଟିର ପିଠିରେ ଛୋଟିଆ ମାଂସ ପିଣ୍ଡୁଳାଟିଏ ଦେଖିବାକୁ ମିଳିଥିଲା। କିନ୍ତୁ ଚିକିତ୍ସା ଅଭାବରୁ ବୟସ ପଢ଼ିବା ସହ ଏହି ମାଂସ ପିଣ୍ଡୁଳାଟି ବହୁତ ବଢ଼ିଯାଇଥିଲା। ଏହାକୁ ଅସ୍ତ୍ରୋପଚାର କରି ବାହାର କରାଯାଇଛି।

“ଗର୍ଭଧାରଣର ଏକ ମାସ ମଧ୍ୟରେ ଗର୍ଭାଶୟରେ ଏକ ଇଞ୍ଚର ଏକ ନ୍ୟୁରାଲ୍ ଟ୍ୟୁବ୍ ସୃଷ୍ଟି ହୋଇଥାଏ, ଯାହା ଆଗକୁ ସୁଷୁମ୍ନାକାଣ୍ଡରେ ପରିଣତ ହୋଇଥାଏ। ଯଦି କୌଣସି କାରଣରୁ ଏହା ଫାଟିଯାଏ, ତେବେ ସେହି ସ୍ଥାନରେ ତରଳ ପଦାର୍ଥ ନିର୍ଗତ ହୋଇଥାଏ। ଏହି ପଦାର୍ଥଗୁଡ଼ିକ ସହିତ ଅନେକ ନ୍ୟୁରାଲ୍ ଟିସ୍ୟୁ ପିଠି ପାଖରେ ଜମା ହୋଇ ଧୀରେ ଧୀରେ ଏହାର ଆକାର ବୃଦ୍ଧି ପାଇଥାଏ। ଏହା ଏକ ବିରଳ ସମସ୍ୟା”, କୁହନ୍ତି ଡାକ୍ତର ଅଶୋକ କୁମାର ମହାପାତ୍ର।

ପ୍ରାୟ ୩ ସପ୍ତାହ ତଳେ ଅସ୍ତ୍ରୋପଚାର କରି ଶିଶୁଟିର ପିଠିରୁ ମାଂସପିଣ୍ଡୁଳା ବାହାର କରାଯାଇଥିଲା। ୩ରୁ ୪ ଘଣ୍ଟା ଧରି ଅସ୍ତ୍ରୋପଚାର କରାଯାଇଥିଲା। ଶିଶୁଟି ବର୍ତ୍ତମାନ ବିପଦମୁକ୍ତ ରହିଥିବାବେଳେ ଏହି ସମସ୍ୟା ଯୋଗୁଁ ଶିଶୁର ଅଣ୍ଟା ତଳକୁ ପକ୍ଷାଘାତ ହୋଇଯାଇଥିବା ଡକ୍ତାର କହିଛନ୍ତି।

ବିଏସ୍‌କେୱାଇ ଯୋଜନା ଅଧୀନରେ ଏଭିଳି ଅସ୍ତ୍ରୋପଚାର କରାଯାଉଥିବା ସମ ହସ୍ପିଟାଲର ନ୍ୟୁରୋସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ସୌଭାଗ୍ୟ ପାଣିଗ୍ରାହୀ କହିଛନ୍ତି।

ମେନିଙ୍ଗୋମାଇଲୋସିଲ ସମ୍ପର୍କରେ ଅନେକ ଲୋକ ଜାଣନ୍ତି ନାହିଁ। ଫଳରେ ଶିଶୁ ପିଠିରେ ମାଂସପିଣ୍ଡୁଳା ଦେଖିମଧ୍ୟ ଏହାକୁ ଅବହେଳା କରନ୍ତି। ଫଳରେ ବିଳମ୍ବ ଚିକିତ୍ସା ଯୋଗୁଁ ଅନେକ ସମସ୍ୟା ଦେଖାଦେଇଥାଏ। ଏଭଳି ସମସ୍ୟାରେ ତୁରନ୍ତ ଚିକିତ୍ସା ନିମନ୍ତେ ଲୋକଙ୍କ ମଧ୍ୟରେ ସଚେତନତାର ଆବଶ୍ୟତା ରହିଛି ବୋଲି କୁହନ୍ତି ନ୍ୟୁରୋସର୍ଜନ ପ୍ରଫେସର ଡାକ୍ତର ରାମଚନ୍ଦ୍ର ଦେଓ।

Tags: #Meningomyelocele #MeningomyeloceleOperation #Treatment

LEAVE A REPLY

Please enter your comment!
Please enter your name here