ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ପାଇଁ ସୋମବାରଠୁ ଆରମ୍ଭ ହୋଇଛି ମାଟି ସର୍ଭେକ୍ଷଣ ପ୍ରକ୍ରିୟା। କଟକର ତ୍ରିଶୂଳିଆ ଛକରୁ ଭୁବନେଶ୍ଵରର ବିଜୁ ପଟ୍ଟନାୟକ ବିମାନବନ୍ଦର ଯାଏଁ ୨୪ଟି ସ୍ଥାନରେ ଏହି ପ୍ରକ୍ରିୟାରେ ମାଟି ଯାଞ୍ଚ କରାଯିବ। ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) ଦ୍ୱାରା ଏହି ସର୍ଭେକ୍ଷଣ କରାଯାଉଛି।

ଏହି ସର୍ଭେକ୍ଷଣ ପ୍ରକ୍ରିୟାରେ ଭୁବନେଶ୍ଵର ମେଟ୍ରୋ ଯେଉଁ ଯେଉଁ ସ୍ଥାନ ଦେଇ ଯିବ, ସେ ସବୁର ଜିଓ ଟେକ୍ନିକାଲ ଇନଭେଷ୍ଟିଗେସନ କରାଯିବ। ଏଥିରେ ୩୦ ଫୁଟ ତଳରୁ ମାଟି ଖୋଳାଯାଉଛି। ଏହାପରେ ପ୍ରତି ଦେଢ଼ ମିଟର ତଳର ମାଟିକୁ ପରୀକ୍ଷା କରାଯିବ।

ଏହାଛଡ଼ା ମେଟ୍ରୋ ଚାଲିବାକୁଥିବା ରାସ୍ତାର ଦୁଇ ପାଖରେ କେତେ ଘର ଓ ଗଛ ରହିଛି ସେଗୁଡ଼ିକର ମଧ୍ୟ ଚିହ୍ନଟ କରାଯାଉଛି। ୨ରୁ ୩ ସପ୍ତାହ ଭିତରେ ଏହି ଯାଞ୍ଚ କାମ ସାରିବ।

ସେହିପରି ସର୍ଭେକ୍ଷଣରେ ସଂଗୃହୀତ ମାଟିକୁ ଲ୍ୟାବରେ ପରୀକ୍ଷା କରାଯିବ। ମେଟ୍ରୋ ଚାଲିବା ପାଇଁ ଭୁବନେଶ୍ୱରର ମାଟି କେତେ ଭଲ ତାହା ଏଥିରୁ ଜଣାପଡ଼ିବ। ଏହାପରେ ଡିଏମଆରସି ପକ୍ଷରୁ ଏହି ମେଟ୍ରୋ ପ୍ରକଳ୍ପର ଡିପିଆର ପ୍ରସ୍ତୁତ କରାଯାଇ ରାଜ୍ୟ ସରକାରଙ୍କୁ ଦିଆଯିବ। ଏହାପରେ ମେଟ୍ରୋ ନିର୍ମାଣ ପାଇଁ ଟେଣ୍ଡର ଡକାଯିବ।

ଓଡ଼ିଶା ସରକାର କଟକ-ଭୁବନେଶ୍ଵର-ଖୋର୍ଦ୍ଧା-ପୁରୀକୁ ମଧ୍ୟରେ ମେଟ୍ରୋ ରେଳ ଚଳାଚଳ ପାଇଁ ଯୋଜନା ରଖିଛନ୍ତି ପ୍ରଥମ ପର୍ଯ୍ୟାୟରେ କଟକର ତ୍ରିଶୂଳିଆରୁ ଭୁବନେଶ୍ଵର ବିମାନବନ୍ଦର ମଧ୍ୟରେ ମେଟ୍ରୋ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ପରବର୍ତ୍ତୀ ସମୟରେ ଏହାର ସମ୍ପ୍ରସାରଣ କରାଯିବ। ରାଜ୍ୟ ସରକାର ନିଜସ୍ଵ ଅର୍ଥରେ ଏହି ପ୍ରକଳ୍ପ କରିବେ। ଏନେଇ ଚଳିତବର୍ଷ ଏପ୍ରିଲ ୧ ତାରିଖ ଉତ୍କଳ ଦିବସ ଅବସରରେ ଘୋଷଣା କରାଯାଇଥିଲା।

Tags: #BhubaneswarMetroProject #MetroRail #DMRC #Bhubaneswar

 

Comment