ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵର ଉପକଣ୍ଠ ବାଲିଅନ୍ତା ବ୍ଲକ ବଇଁଚୁଆ ପଞ୍ଚାୟତର ଧବଳହାର ନିକଟ ଦେଇ ପ୍ରବାହିତ କୁଆଖାଇ ନଦୀରେ ଗାଧୋଇବା ବେଳେ ମଙ୍ଗଳବାର ଦିନ ୪ ସାଙ୍ଗ ବୁଡ଼ି ଯାଇଥିଲେ। ମଙ୍ଗବାର ଦୁଇଜଣଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ଦୁଇଜଣ ନିଖୋଜ ଥିଲେ। ନିଖୋଜ ଥିବା ଦୁଇ ଛାତ୍ରଙ୍କ ମୃତଦେହ ବୁଧବାର ଦିନ ଉଦ୍ଧାର କରାଯାଇଛି।

ମୃତକମାନେ ହେଲେ ବାଲେଶ୍ଵରର ରୋହିତ ପରିଡ଼ା ଏବଂ ପ୍ରତୀକ ଧଳସାମନ୍ତ। ମଙ୍ଗଳବାର ଦିନ ଜାମସେଦପୁରର ଆର୍ଯ୍ୟନ ଏବଂ କଟକର ଅଭିନାଶଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ମଙ୍ଗଳବାର ଦିନ ଏକ ଘରୋଇ କଲେଜର ୯ ଜଣ ଛାତ୍ର ଭୋଜି ସାରି ଧବଳହାର ନିକଟ ଦେଇ ପ୍ରବାହିତ ହେଉଥିବା କୁଆଖାଇ ନଦୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ରୋହିତ, ପ୍ରତୀକ, ଆର୍ଯ୍ୟନ ଏବଂ ଅଭିନାଶ ନଦୀରେ ବୁଡ଼ି ଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ୍ ଛାତ୍ରମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ।

ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ଆର୍ଯ୍ୟନ ଏବଂ ଅଭିନାଶଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। କିନ୍ତୁ ପ୍ରତୀକ ଏବଂ ରୋହିତଙ୍କର କୌଣସି ଖୋଜ ଖବର ମିଳିନଥିଲା।

ମଙ୍ଗଳବାରଠାରୁ ନିଖୋଜ ଦୁଇ ଛାତ୍ରଙ୍କୁ ଖୋଜାଖୋଜି ପରେ ବୁଧବାର ସକାଳେ ପ୍ରତୀକ ଏବଂ ରୋହିତଙ୍କର ମୃତଦେହ ଉଦ୍ଧାର କରାଯାଇଛି।

Tags: #Balianta #Bhubaneswar #Death #KuakhaiRiver #RescueDeadbody

Comment