ଓଡ଼ିଶାଲାଇଭ୍ ବ୍ୟୁରୋ

“ମଣିଷଙ୍କ ପରି କୁକୁର ମଧ୍ୟ ହୃଦଘାତର ଶିକାର ହୋଇଥାନ୍ତି। ଅନେକ ଲୋକ ଘରେ କୁକୁର ପାଳିଥାନ୍ତି ସତ, କିନ୍ତୁ ତା’ର ହୃଦ ସମସ୍ୟା ସମ୍ପର୍କରେ ଜାଣନ୍ତି ନାହିଁ। କୁକୁରମାନଙ୍କଠାରେ ଏହି ସମସ୍ୟା ଜନ୍ମଗତ ହୋଇପାରେ କିମ୍ବା ପରବର୍ତ୍ତୀ ସମୟରେ ଦେଖାଦେଇଥାଏ”, ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ କୁକୁରଙ୍କ ହୃଦ୍‌ରୋଗ ସମ୍ପର୍କୀତ ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ବିଶେଷଜ୍ଞମାନେ କହିଛନ୍ତି।

କୁକୁରର ଆୟୁଷ ୧୨ରୁ ୧୫ ବର୍ଷ ହୋଇଥାଏ। ମଣିଷଙ୍କ ଭଳି କୁକୁରମାନେ ମଧ୍ୟ ହୃଦ୍‌ରୋଗର ଶିକାର ହୋଇଥାନ୍ତି। ୫ ରୁ ୬ ବର୍ଷ ବୟସରେ କୁକୁରଙ୍କଠାରେ ହୃଦରୋଗ ସମସ୍ୟା ଦେଖାଦେଇଥାଏ ବୋଲି ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରି ସାଇନ୍ସେସେସ ଆଣ୍ଡ ଆନିମଲ୍ ହଜବ୍ୟାଣ୍ଡ୍ରି (ଆଇଭିଏସ୍‌ଏଏଚ୍‌) ର ଡିନ୍ ପ୍ରଫେସର ଡାକ୍ତର ବ୍ରହ୍ମଦେବ ପଟ୍ଟନାୟକ କହିଛନ୍ତି।

ଘରେ ରଖୁଥିବା ପୋଷା କୁକୁର ଯଦି ହାଲିଆ ହେବା ପରି ଜଣାପଡ଼େ, ଠିକ୍ ଭାବେ ଚାଲି ପାରେ ନାହିଁ, ଖାଇବାକୁ ଇଚ୍ଛା କରେ ନାହିଁ କିମ୍ବା ଡାକିଲେ ଶୁଣେ ନାହିଁ ତେବେ ତୁରନ୍ତ ତା’ର ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଆବଶ୍ୟକ ବୋଲି ଡାକ୍ତର କୁହନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କୁକୁରଙ୍କର ହୃଦ ସମସ୍ୟା ସମ୍ପର୍କରେ ଜାଣିବା କଷ୍ଟକର ହୋଇଥାଏ। ତେଣୁ ନିୟମିତ ତା’ର ହୃଦୟ ସମ୍ପର୍କୀୟ ପରୀକ୍ଷା କରାଯିବା ଆବଶ୍ୟକ। ଆଧୁନିକ ପରୀକ୍ଷଣ ପ୍ରକ୍ରିୟା ଦ୍ୱାରା ଏହି ସମସ୍ୟାକୁ ଚିହ୍ନଟ କରିହେବ ବୋଲି ପ୍ରଫେସର ଡାକ୍ତର ବ୍ରହ୍ମଦେବ ପଟ୍ଟନାୟକ କହିଛନ୍ତି। ବର୍ତ୍ତମାନ କୁକୁରମାନଙ୍କ ଶରୀରରେ ପେସମେକର ଲଗା ଯାଇପାରୁଛି ବୋଲି ସେ କହିଛନ୍ତି।

ପ୍ରାଣୀ ପାଳନ ଓ ପ୍ରାଣୀଚିକିତ୍ସା ବିଭାଗର ନିର୍ଦ୍ଦେଶକ ଡାକ୍ତର ୟେଦୁଲା ବିଜୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗୃହପାଳିତ ପଶୁଙ୍କର ଠିକ୍ ଭାବେ ଯତ୍ନ ନେବା ସହ ନିୟମିତ ବ୍ୟବଧାନରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଆବଶ୍ୟକ ବୋଲି କହିଥିଲେ।

କୁକୁରମାନଙ୍କ ସ୍ୱାସ୍ଥ୍ୟକୁ ନେଇ କରାଯାଉଥିବା ଗବେଷଣା ଉପରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଥିଲେ।

କାର୍ଯ୍ୟକ୍ରମରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ଡାକ୍ତର ସଂଘମିତ୍ରା ମିଶ୍ର ଓ ଆଇଭିଏସ୍‌ଏଏଚ୍‌ର ଆସୋସିଏଟ୍ ଡିନ୍ ପ୍ରଫେସର ଡାକ୍ତର ସୁଶାନ୍ତ କୁମାର ଦାସ ଯୋଗ ଦେଇ ଗୃହପାଳିତ ପଶୁଙ୍କ ଯତ୍ନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମ୍ମିଳନୀର କାର୍ଯ୍ୟକାରୀ ସମ୍ପାଦକ ତଥା ଆଇଭିଏସ୍‌ଏଏଚ୍ ଅନ୍ତର୍ଗତ ଭେଟେରିନାରୀ କ୍ଲିନିକାଲ୍ କମ୍ପ୍ଲେକ୍ସର ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ଶ୍ରୀନିବାସ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ତାମିଲନାଡୁ, ମହାରାଷ୍ଟ୍ର, ହିମାଚଳପ୍ରଦେଶ, ପଞ୍ଜାବ, ସିକିମ, ଉତ୍ତରପ୍ରଦେଶ, ତ୍ରିପୁରା ଓ ତେଲେଙ୍ଗାନାରୁ ୮ ଜଣ ବିଶେଷଜ୍ଞ ତଥା ୨୦ ଜଣ ପ୍ରତିନିଧି ଯୋଗ ଦେଇଥିଲେ।

Tags: #CardiacAttack #CanineCardiology #Dogs #Treatment #DogCare

Comment