ଓଡ଼ିଶାଲାଇଭ୍ ବ୍ୟୁରୋ

- ଜ୍ୟୋତ୍ସ୍ନା ଶବର ଓ ମୀନା ସନ୍ତାଙ୍କୁ ଯୁବ ବର୍ଗରେ ସ୍ଵର୍ଣ୍ଣ
- ଝିଲ୍ଲୀ ଦଳବେହେରା ସିନିୟର ମହିଳା ବର୍ଗରେ ରୌପ୍ୟ
- ପ୍ରତିଯୋଗିତାରେ ଓଡ଼ିଶାର ୪ ଖେଳାଳିଙ୍କ ମଧ୍ୟରୁ ୩ ଜଣଙ୍କୁ ପଦକ
ଉତ୍ତରପ୍ରଦେଶର ଗ୍ରେଟର୍ ନୋଏଡ଼ାରେ ଚାଲିଥିବା ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ପ୍ରତିଯୋଗିତାରେ ଚମକିଛନ୍ତି ୩ ଜଣ ଓଡ଼ିଆ ଝିଅ ଜ୍ୟୋତ୍ସ୍ନା ଶବର, ମୀନା ସନ୍ତା ଓ ଝିଲ୍ଲୀ ଦଳବେହେରା। ଟୁର୍ଣ୍ଣାମେଣ୍ଟର ୪୦ କିଲୋଗ୍ରାମ ଯୁବ ବର୍ଗରେ ଜ୍ୟୋତ୍ସ୍ନା ସ୍ଵର୍ଣ୍ଣ ପଦକ ଏବଂ ମୀନା ୫୫ କିଲୋଗ୍ରାମ ଯୁବ ବର୍ଗରେ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ଝିଲ୍ଲୀ ଦଳବେହେରା ସିନିୟର ମହିଳା ୪୯ କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ପାଇ ରାଜ୍ୟର ଗୌରବ ବଢ଼ାଇଛନ୍ତି।
ଏହି ପ୍ରତିଯୋଗିତା ଜ୍ୟୋତ୍ସ୍ନା ଶବର ନିଜ ବର୍ଗରେ ୫୨ କିଲୋଗ୍ରାମ ସ୍ନାଚ୍ ଏବଂ ୬୪ କିଲୋଗ୍ରାମ କ୍ଲିନ୍ ଆଣ୍ଡ ଜର୍କ ମୋଟ ୧୧୬ କିଲୋଗ୍ରାମ ଭାରୋତ୍ତୋଳନ କରି ପ୍ରଥମ ସ୍ଥାନ ହାସଲ କରିଥିଲେ। ସେହିପରି ମୀନା ସନ୍ତା ୭୩ କିଲୋଗ୍ରାମ ସ୍ନାଚ୍ ଏବଂ ୮୭ କିଲୋଗ୍ରାମ କ୍ଲିନ୍ ଆଣ୍ଡ ଜର୍କ ସହ ମୋଟ ୧୬୦ କିଲୋଗ୍ରାମ ଭାରୋତ୍ତୋଳନ କରି ନିଜ ବର୍ଗରେ ପ୍ରଥମ ସ୍ଥାନରେ ରହିଥିଲେ।
ଅନ୍ୟପଟେ ଝିଲ୍ଲୀ ଦଳବେହେରା ୭୫ କିଲୋଗ୍ରାମ ସ୍ନାଚ୍ ଏବଂ ୯୪ କିଲୋଗ୍ରାମ କ୍ଲିନ୍ ଆଣ୍ଡ ଜର୍କ ମୋଟ ୧୬୯ କେଜି ଭାରୋତ୍ତୋଳନ କରି ଦ୍ଵିତୀୟ ସ୍ଥାନରେ ରହିଥିଲେ।
ଏହି ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଜ୍ୟୋତ୍ସ୍ନା ଶବରଙ୍କ କ୍ରୀଡ଼ା ଯାତ୍ରା ଅନେକଙ୍କ ପାଇଁ ପ୍ରେରଣା। ଓଡ଼ିଶାର ଗଜପତି ଜିଲ୍ଲାର ପେକଟା ଭଳି ଆଦିବାସୀ ଗ୍ରାମରୁ ବାହାରି ଭାରୋତ୍ତୋଳନ ଦୁନିଆରେ ଏତେ କମ ବୟସରେ ନିଜ ପ୍ରଦର୍ଶନର ଛାପ ଛାଡ଼ିବା ବହୁତ କମ ଦେଖିବାକୁ ମିଳେ।
୨୦୧୬ ମସିହାରେ ଜ୍ୟୋତ୍ସ୍ନାଙ୍କ କ୍ରୀଡ଼ା ଯାତ୍ରା ଆରମ୍ଭ ହୋଇଥିଲା, ଯେତେବେଳେ ସେ ଗଜପତି ଜିଲ୍ଲାର କଙ୍କିଆ ସ୍ଥିତ ଗ୍ରାମ ବିକାଶ ହାଇସ୍କୁଲରେ ପଢ଼ିବା ଆରମ୍ଭ କଲେ। ଏହାପରେ ୨୦୧୮ ମସିହାରେ ଭୁବନେଶ୍ୱରର ଟେନଭିକ୍ ଭାରୋତ୍ତୋଳନ ହାଇ ପରଫରମାନ୍ସ ସେଣ୍ଟରରେ ଚୟନ ହେବାପରେ ସେ ଆଉ ପଛକୁ ଚାହିଁନଥିଲେ।
ବର୍ତ୍ତମାନ କିଟ ବିଶ୍ଵବିଦ୍ୟାଳୟରେ ପଢ଼ୁଥିବା ଜ୍ୟୋତ୍ସ୍ନା ୨୦୨୨ ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ମଧ୍ୟ ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ। ଏହାସହ ଭାରୋତ୍ତୋଳନରେ ଥିବା ରାଜ୍ୟସ୍ତରୀୟ ରେକର୍ଡକୁ ସେ ନିଜ ନାଁରେ କରିବାରେ ସଫଳ ହୋଇଥିଲେ।
ସେହିପରି ଏହି ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଥିବା ମୀନା ସନ୍ତା ଓ ଝିଲ୍ଲୀ ଦଳବେହେରାଙ୍କୁ ମଧ୍ୟ ଅନେକ ସ୍ଥାନରୁ ପ୍ରଶଂସା ମିଳିବାରେ ଲାଗିଛି। ଆଗକୁ ଆସୁଥିବା ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଏହି ଖେଳାଳିମାନଙ୍କ ପ୍ରଦର୍ଶନ ଭାରତୀୟ ଭାରୋତ୍ତୋଳନକୁ ଆହୁରି ଆଗକୁ ନେବ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି।
ଚଳିତବର୍ଷ ଗ୍ରେଟର୍ ନୋଏଡ଼ାର ଗୌତମ ବୁଦ୍ଧ ବିଶ୍ଵବିଦ୍ୟାଳୟରେ ଚାଲିଥିବା ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ପ୍ରତିଯୋଗିତାରେ ଭାରତର ୫୨ ଜଣ ପ୍ରତିଯୋଗୀ ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଓଡ଼ିଶାର ମୋଟ ୪ଜଣ ଖେଳାଳି ସାମିଲ ଅଛନ୍ତି।
Tags: #CommonwealthWeightliftingChampionships #Weightlifting #OdiaPlayers #Sports

















