ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଶ୍ରୀମନ୍ଦିର ଆନନ୍ଦ ବଜାରରେ ବାରମ୍ବାର ଦେଖାଯାଉଥିବା ବିଶୃଙ୍ଖଳା ଓ ଅନିୟମିତତା ଉପରେ ରୋକ ଲଗାଇବା ପାଇଁ ଆଗକୁ ଆସିଛି ଶ୍ରୀମନ୍ଦିର ପ୍ରଶାସନ। ଏବେ ଆନନ୍ଦ ବଜାରରେ ମହାପ୍ରସାଦର ଦର ତାଲିକା ଲଗାଯିବ। ଭକ୍ତମାନେ ଯେପରି ଅସାଧୁ ବ୍ୟବସାୟୀଙ୍କ ଶୋଷଣର ଶିକାର ନହେବେ, ସେ ନେଇ ପଦକ୍ଷେପ ନିଆଯିବ। ଏଥିପାଇଁ ଆନନ୍ଦ ବଜାର ଶୃଙ୍ଖଳା ସବକମିଟି ଗଠନ କରାଯାଇଛି। ଶନିବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି।

ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଏବେ ଶ୍ରୀମନ୍ଦିର ସ୍ଵତ୍ଵଲିପି ଆଧାରରେ ଯେଉଁମାନଙ୍କ ଅଧିକାର ରହିଛି, ସେହି ସୁପକାରମାନେ ହିଁ କେବଳ ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି କରିବେ। ଏହାର ତାଲିକା ସୁଆର ମହାସୁଆର ନିଯୋଗ ଆଗକୁ ପ୍ରଦାନ କରିବେ। କିଏ, କେତେ ପରିମାଣର ମହାପ୍ରସାଦ ବିକ୍ରି କରିବ, ତାର ତାଲିକା ମଧ୍ୟ ନିଯୋଗ ଦେବେ। ଏହାସହ ଆନନ୍ଦ ବଜାରରେ ସୁପକାରମାନଙ୍କ ପାଇଁ ଆଉଥରେ ନୂଆ ଜାଗା ଚିହ୍ନଟ ହେବ।

ସେହିପରି ଆନନ୍ଦ ବଜାରରେ ଦର ତାଲିକା ଲଗାଯାଇ, ଭକ୍ତମାନେ ଯେପରି ଠିକ ମୂଲ୍ୟରେ ମହାପ୍ରସାଦ ପାଇବେ ତାହାର ବ୍ୟବସ୍ଥା କରାଯିବ। ଭକ୍ତଙ୍କ ପାଇଁ ଆନନ୍ଦ ବଜାରରେ ପୋଲିସ ସହାୟତା କେନ୍ଦ୍ର ଖୋଲିବ।

ଅନ୍ୟପଟେ ଏବେ ଆନନ୍ଦ ବଜାରରେ କେବଳ ଶ୍ରୀମନ୍ଦିର ରୋଷଘରେ ପ୍ରସ୍ତୁତ ଭୋଗ ହିଁ ବିକ୍ରି ହେବ। କ୍ଷୀରା, ରାବିଡ଼ି ଆଦି ବିକ୍ରି ବନ୍ଦ ହେବ। କୋଇଲି ବୈକୁଣ୍ଠ, ଭୋଗମଣ୍ଡପ ନିକଟରେ ମହାପ୍ରସାଦ ବିକ୍ରିକୁ ବନ୍ଦ କରାଯିବ। ବାସି ମହାପ୍ରସାଦ ବିକ୍ରି ରୋକିବା ପାଇଁ ଖାଦ୍ୟ ନିରାପତ୍ତା ଅଧିକାରୀ ଆନନ୍ଦ ବଜାରରେ ନିୟମିତ ଯାଞ୍ଚ କରିବେ।

ସେହିପରି ବୈଠକରେ ଅନନ୍ଦ ବଜାର ପାଇଁ ଆଗକୁ ଆସିବାକୁ ଥିବା ନିର୍ଦେଶାବଳୀ ପାଇଁ ଶୃଙ୍ଖଳା ସବକମିଟି ଗଠନ କରାଯାଇଛି। ଏଥିରେ ଶ୍ରୀମନ୍ଦିର ତିନିଜଣ ପ୍ରଶାସକ, ପୁରୀ ଉପଜିଲ୍ଲାପାଳ, ଶ୍ରୀମନ୍ଦିର କମାଣ୍ଡାଣ୍ଡ୍‌, ସୁଆର ମହାସୁଆର ନିଯୋଗର ସଭାପତି ଓ ଅନ୍ୟ ସଦସ୍ୟମାନେ ରହିଛନ୍ତି। ଏହି କମିଟି ୭ରୁ ୧୦ ଦିନ ମଧ୍ୟରେ ଆବଶ୍ୟକୀୟ ନିର୍ଦେଶବଳୀ ଶ୍ରୀମନ୍ଦିର ପ୍ରଶାସନକୁ ସୁପାରିସ କରିବ।

ଶନିବାର ହୋଇଥିବା ଦଇତାପତି ନିଯୋଗ ବୈଠକରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ସୁରକ୍ଷା ପ୍ରଶାସକ ଭି ଏସ୍‌ ଚନ୍ଦ୍ରଶେଖର ରାଓ, ଉପଜିଲ୍ଲାପାଳ ଭବତାରଣ ସାହୁ, ସୁଆର ମହାସୁଆର ନିଯୋଗ ସଭାପତି ଦାମୋଦର ମହାସୁଆର ପ୍ରମୁଖ ଯୋଗ ଦେଇଥିଲେ।

Tags: #SriMandir #AnandaBazar #Mahaprasad #SriMandirTempleAdministration #Puri

LEAVE A REPLY

Please enter your comment!
Please enter your name here