ଓଡ଼ିଶାଲାଇଭ୍ ବ୍ୟୁରୋ

କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଓମନ ଚାଣ୍ଡିଙ୍କ ମଙ୍ଗଳବାର ସକାଳେ ଦେହାନ୍ତ ହୋଇଛି। ବେଙ୍ଗାଳୁରୁର ଏକ ଘରୋଇ ହସ୍ପିଟାଲରେ ତାଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁବେଳେ ତାଙ୍କୁ ୭୯ ବର୍ଷ ହୋଇଥିଲା। ଏନେଇ ଓମନ ଚାଣ୍ଡିଙ୍କ ପୁଅ କେ ସୁଧାକରନ ସୂଚନା ଦେଇଛନ୍ତି।

ଓମନ ଚାଣ୍ଡିଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ କିଛି ମାସ ଧରି ତାଙ୍କର ଚିକିତ୍ସା ଚାଲିଥିଲା। ତାଙ୍କୁ ବେଙ୍ଗାଳୁରୁର ମିଶନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଇଠାରେ ହିଁ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି।

କେ ସୁଧାକରନ ନିଜ ଟ୍ଵିଟରେ ଲେଖିଛନ୍ତି, “ଲୋକଙ୍କ ଭଲ ପାଇବାକୁ ନେଇ ସାରା ବିଶ୍ଵରେ ନିଜ ଛାପ ଛାଡ଼ିଥିବା ଜଣେ ଜନନାୟକଙ୍କ କାହାଣୀର ଦୁଃଖଦ ଅନ୍ତ ଘଟିଛି। ବାପାଙ୍କ ଭଳି ଜଣେ କିମ୍ବଦନ୍ତୀକୁ ହରାଇ ମୁଁ ଗଭୀର ଭାବେ ଦୁଃଖିତ। ସେ ଅନେକ ବ୍ୟକ୍ତିଙ୍କ ଜୀବନକୁ ଛୁଇଁପାରିଥିଲେ। ତାଙ୍କ କାହାଣୀ ସବୁବେଳେ ଜୀବନ୍ତ ରହିବ। ତାଙ୍କ ଅମର ଆତ୍ମାକୁ ଶାନ୍ତି ମିଳୁ।”

ଓମନ ଚାଣ୍ଡିଙ୍କ ଦେହାନ୍ତ ପରେ କଂଗ୍ରେସ ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। କଂଗ୍ରେସ ପକ୍ଷରୁ ଟ୍ଵିଟ କରି ଲେଖାଯାଇଛି, “ଆମର ଅତି ପ୍ରିୟ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମନ ଚାଣ୍ଡିଙ୍କୁ ଅତ୍ୟନ୍ତ ଦୁଃଖର ସହ ବିଦାୟ ଦେବାକୁ ପଡ଼ିଛି। କେରଳର ଲୋକପ୍ରିୟ ନେତାମାନଙ୍କ ମଧ୍ୟରୁ ସେ ଅନ୍ୟତମ। କଂଗ୍ରେସ ପରିବାର ତାଙ୍କ ନେତୃତ୍ୱ ଏବଂ ଶକ୍ତିକୁ ସଦା ମନେ ରଖିବ”

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ଅଧ୍ୟକ୍ଷ ଜେ ପି ନଡ୍ଡା, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ଦେଶର ଅନ୍ୟ ରାଜନୈତିକ ଦଳ ଓ ନେତାମାନେ ଓମନ ଚାଣ୍ଡିଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି।

ଓମନ ଚାଣ୍ଡିଙ୍କ ରାଜନୈତିକ ଜୀବନ ବେଶ ବିଶାଳ ଥିଲା। ୭୦ ଦଶକରୁ କେରଳର ଛାତ୍ର ରାଜନୀତିରେ ପାଦ ରଖିଥିବା ଓମନ ଚାଣ୍ଡି କେରଳର ଦୁଇ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୯୭୦ ମସିହାରେ କେରଳ ଯୁବ କଂଗ୍ରେସର ସଭାପତି ଚୟନ ହେବାପରେ ସେ ବିଧାୟକ ଭାବେ କେରଳ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ କେରଳରେ କଂଗ୍ରେସ ସରକାରରେ ଅନେକ ମନ୍ତ୍ରୀ ପଦ ମଧ୍ୟ ସମ୍ଭାଳିଥିଲେ। ଏହାପରେ ସେ ୨୦୦୪ରୁ ୨୦୦୬ ଯାଏଁ ପ୍ରଥମ ଥର ପାଇଁ କେରଳର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପରେ ସେ ୨୦୧୧ରୁ ୨୦୧୬ ଯାଏଁ ପୁଣିଥରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ।

Tags: #OommenChandy #FormerKerelaCM #CongressLeader #Politics #Kerela

 

Comment