ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ସଂସଦର ମୌସୁମୀ ଅଧିବେଶନ ଗୁରୁବାରଠାରୁ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭରୁ ସଂସଦରେ ବିରୋଧୀ ନେତାମାନଙ୍କ ହଙ୍ଗାମା ଦେଖିବାକୁ ମିଳିଛି। କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନେ ମଣିପୁର ହିଂସା ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଥିଲେ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଉଭୟ ଲୋକସଭା ଓ ରାଜ୍ୟସଭାକୁ ଶୁକ୍ରବାର ଯାଏଁ ମୁଲତବୀ ଘୋଷଣା କରାଯାଇଛି।

ଗୁରୁବାର ସଂସଦ ଆରମ୍ଭରୁ ମଣିପୁରରେ ହିଂସା ବାବଦରେ ଚର୍ଚ୍ଚା ପାଇଁ ବିରୋଧୀ ଦଳର ନେତାମାନେ ପ୍ରସଙ୍ଗ ଉଠାଇଥିଲେ। କେନ୍ଦ୍ର ସରକାର ଏହି ଘଟଣାର ଚର୍ଚ୍ଚା ପାଇଁ ସର୍ବଦଳୀୟ ବୈଠକର ପ୍ରସ୍ତବ ଦେଇଥିଲେ। ତେବେ ସଂସଦରେ ଏ ବାବଦରେ ଚର୍ଚ୍ଚା ନହେବାରୁ ବିରୋଧୀ ନେତାମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ।

ତେବେ ସଂସଦର ଉଭୟ ସଦନରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ କୌଣସି କାର୍ଯ୍ୟ ହୋଇପାରିନଥିଲା। ଏହାପରେ ଉଭୟ ଗୃହକୁ ଶୁକ୍ରବାର ଦିନ ୧୧ଟା ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା।

ଅନ୍ୟପଟେ ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବୁଧବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ‌ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅଧ୍ୟକ୍ଷତା କରିଥିଲେ। ବୈଠକରେ କଂଗ୍ରେସ, ବିଜେଡି, ସମାଜବାଦୀ ପାର୍ଟି, ୱାଇଏସଆର କଂଗ୍ରେସ, ବିଆରଏସ୍‌ ସମେତ ଅନ୍ୟ ଦଳର ନେତାମାନେ ଯୋଗ ଦେଇଥିଲେ।

ଚଳିତବର୍ଷର ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାର ୩୧ଟି ବିଲ୍‌ ଆଗତ କରିବା ପାଇଁ ଯୋଜନା ରଖିଛନ୍ତି। ତଥ୍ୟ ସୁରକ୍ଷା ବିଲ୍‌, ଦିଲ୍ଲୀ ଅଧ୍ୟାଦେଶ, ଜନ ବିଶ୍ଵାସ, ଜଙ୍ଗଲ ସଂରକ୍ଷଣ ସମେତ ଅନ୍ୟାନ୍ୟ ଗୁରୁତ୍ଵପୂର୍ଣ୍ଣ ବିଲ୍‌ ଆଗତ କରିବେ କେନ୍ଦ୍ର ସରକାର। ଅଗଷ୍ଟ ୧୧ ତାରିଖରେ ସଂସଦର ମୌସୁମୀ ଅଧିବେଶନ ଶେଷ ହେବ।

Tags: #ParliamentofIndia #MonsoonSession #LokSabha #RajyaSabha #Politics #India

 

Comment