ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ବିଶୃଙ୍ଖଳା ବାବଦରେ ଦତ୍ତମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନୋଟିସ ଜାରି ହୋଇଛି। ଏଥିରେ ୪ ଦିନ ଭିତରେ ଉତ୍ତର ଦେବା ପାଇଁ ନିଯୋଗକୁ ନିର୍ଦେଶ ଦିଆଯାଇଛି। ଶ୍ରୀମନ୍ଦିର ଆଇନର ଧାରା ୨୦ ଓ ୩୦ ଅନୁସାରେ ଏହି ନୋଟିସ ଦିଆଯାଇଛି।

ଶ୍ରୀମନ୍ଦିରରେ ନୀଳାଦ୍ରୀ ବିଜେ ପରଠାରୁ ଏ ଯାଏଁ ମହାପ୍ରଭୁଙ୍କ ବନକଲାଗି ନୀତି ବା ଶ୍ରୀମୁଖ ଶୃଙ୍ଗାର ହୋଇନାହିଁ। ୨୦୧୮ ମସିହାରୁ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁସାରେ ପ୍ରତି ବୁଧବାର ବନକଲାଗି ନୀତି ହୋଇ ଆସୁଥିଲା। ହେଲେ ଏବେ ଗୁରୁବାର ଏହି ନୀତି କରିବା ପାଇଁ ଦତ୍ତମହାପାତ୍ର ନିଯୋଗ ଜିଦ ଧରି ବସିଛି।

ଶ୍ରୀମନ୍ଦିରରେ ଆଗରୁ ଗୁରୁବାର ବନକଲାଗି ନୀତି ହେଉଥିଲା। ତେବେ ଗୁରୁବାର ମା’ ଲକ୍ଷ୍ମୀ, ମା’ ସରସ୍ଵତୀ ଓ ପ୍ରଭୁ ମଦନମୋହନଙ୍କ ମାର୍ଜନା ବିଧି ରହୁଥିବାରୁ ମହାପ୍ରଭୁଙ୍କ ନୀତିରେ ବିଳମ୍ବକୁ ଏଡ଼ାଇବା ପାଇଁ ପରବର୍ତ୍ତୀ ସମୟରେ ବୁଧବାର ବନକଲାଗି କରାଯିବ ବୋଲି ସ୍ଥିର ହୋଇଥିଲା।

ଅନ୍ୟପଟେ ଶ୍ରୀମନ୍ଦିର ସତ୍ତ୍ୱଲିପି ଆଧାରରେ ଗୁରୁବାର ହିଁ ମହାପ୍ରଭୁଙ୍କ ବନକଲାଗି ନୀତି କରାଯିବା ଦରକାର ବୋଲି ଦତ୍ତମହାପାତ୍ର ନିଯୋଗ ପକ୍ଷରୁ କୁହାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ନିଜ ନିଷ୍ପତ୍ତିରେ ଅଟଳ ରହିବା ଯୋଗୁଁ ମହାପ୍ରଭୁଙ୍କ ପୂଜାର୍ଚ୍ଚନାରେ ବିଳମ୍ବ ହେଉଥିବା ନିଯୋଗ ଅଭିଯୋଗ କରିଛି।

ଏବେ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଲାଗିଥିବା ଏହି ବିବାଦ, ଶ୍ରୀମନ୍ଦିର ରୀତିନୀତି ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଗକୁ ଜୁଲାଇ ୨୭ ତାରିଖରେ ହେବାକୁ ଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ମଧ୍ୟ ଏହି ପ୍ରସଙ୍ଗ ଉଠିବ ବୋଲି ଆଶା କରାଯାଉଛି।

Tags: #SriMandir #BanakaLagiRitual #LordJagannath #SJTA #Puri

 

Comment