ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ସାହସିକତା ଏବଂ ବଳିଦାନ ପାଇଁ ଶିମିଳିପାଳ ଅଭୟାରଣ୍ୟର ୩ ଜଣ କର୍ତ୍ତବ୍ୟରତ ବନ କର୍ମଚାରୀଙ୍କୁ ପୁରସ୍କୃତ କରିବେ ଭାରତ ସରକାର। ତିନିଜଣଙ୍କ ମଧ୍ୟରୁ ଦୁଇଜଣଙ୍କୁ ମରଣୋତ୍ତର ଭାବେ ସମ୍ମାନ ପ୍ରଦାନା କରାଯିବ। ଏହି ଅଧିକାରୀମାନେ ହେଉଛନ୍ତି ହିମାଂଶୁ ଶେଖର ସେଠୀ, ସ୍ଵର୍ଗତ ମାଥି ହାଁସଦା ଏବଂ ସ୍ଵର୍ଗତ ବିମଳ କୁମାର ଜେନା।
ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଏହି ପୁରସ୍କାର ଘୋଷଣା କରାଯାଇଛି। ଆସନ୍ତା ଜୁଲାଇ ୨୯ ତାରିଖରେ ଉତ୍ତରାଖଣ୍ଡ ରାଜ୍ୟର କର୍ବେଟ ଟାଇଗର ରିଜର୍ଭଠାରେ ‘ବିଶ୍ଵ ବ୍ୟାଘ୍ର ଦିବସ’ ପାଳନ ଅବସରରେ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯିବ।
ସ୍ଵର୍ଗତ ମାଥି ହାଂସଦା ନିଜ କାର୍ଯ୍ୟକାଳ ମଧ୍ୟରେ ଶିମିଳିପାଳ ଅଭୟାରଣ୍ୟ ଭିତରେ ଶିକାରୀଙ୍କ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଗତ ଜୁନ ୧୬ ତାରିଖରେ ମାଥି ହାଂସଦା ଶିମିଳିପାଳ ଟାଇଗର ରିଜର୍ଭରେ ନିଜ ସହକର୍ମୀଙ୍କୁ ନେଇ ପେଟ୍ରୋଲିଂ କରୁଥିବାବେଳେ ୬ ଜଣ ଶିକାରୀଙ୍କୁ କାବୁ କରିଥିଲେ। ସେମାନଙ୍କଠାରୁ ବନ୍ଧୁକ ଛଡ଼ାଇବା ସମୟରେ ଶିକାରୀଙ୍କ ବନ୍ଧୁକ ଗୁଳିରେ ମାଥି ହାଂସଦା ଗୁରୁତର ଆହତ ହୋଇଥିଲେ। ତାଙ୍କୁ କରଞ୍ଜିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସେହିପରି ଗତ ମେ ୨୨ ତାରିଖ ସନ୍ଧ୍ୟାରେ ବିମଲ କୁମାର ଜେନା କଳସିଡ଼ୁବା ଅଞ୍ଚଳରେ ପେଟ୍ରୋଲିଂ ପାଇଁ ଯାଇଥିବାବେଳେ ପ୍ରାୟ ୧୦ ଜଣ ଶିକାରୀ ଗୋଟିଏ ହରିଣ ଶିକାର କରି ବୋହି ନେଉଥିବା ଦେଖିବାକୁ ପାଇଥିଲେ। ସମସ୍ତଙ୍କୁ ଅଟକାଇବା ସହ ଅଧିକ ଫୋର୍ସ ମଗାଇଥିଲେ। ଧରାପଡ଼ିବା ଭୟରେ ଫେରାର ହୋଇଯାଇଥିବା ଶିକାରୀମାନେ ଫେରିଆସି ବନ କର୍ମଚାରୀ ବିମଲ କୁମାର ଜେନାଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା।
Tags: #Mayurbhanj #SimlipalTigerReserve #SimlipalSanctuary #BraveryAward #ForestOfficer


















