ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ବଢ଼ିଲା ମେଡିକାଲ ସିଟ୍‌। ଚଳିତ ଶିକ୍ଷାବର୍ଷରେ ରାଜ୍ୟରେ ଅତିରିକ୍ତ ୨୦୦ଟି ଏମବିବିଏସ୍‌ ସିଟ୍‌ରେ ନାମଲେଖା ହେବ। ଏଥର ଓଡ଼ିଶାର ଦୁଇଟି ନୂଆ ମେଡିକାଲ କଲେଜରେ ପ୍ରଥମ ଥର ପାଇଁ ନାମଲେଖା ଅନୁଷ୍ଠିତ ହେବ। ଏଥିରେ ଭବାନୀପାଟଣାର ସରକାରୀ ମେଡିକାଲ କଲେଜ ଓ କଟକ ଟାଙ୍ଗୀ ସ୍ଥିତ ଡ୍ରିମସ ବେସରକାରୀ ମେଡିକାଲ କଲେଜ ସାମିଲ ଅଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

୨୦୨୩-୨୪ ଶିକ୍ଷାବର୍ଷରେ ମେଡିକାଲ କଲେଜରେ ନାମଲେଖା ପାଇଁ ସୋମବାରଠାରୁ ଚଏସ୍‌ ଫିଲିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଜୁଲାଇ ୨୭ ତାରିଖ ରାତି ଯାଏଁ ଚାଲିବ। ଜୁଲାଇ ୨୯ ତାରିଖରେ ଛାତ୍ରଛାତ୍ରୀଙ୍କୁ ପ୍ରଥମ ରାଉଣ୍ଡ ପ୍ରୋଭିଜନାଲ୍‌ ସିଟ ଆଲଟ୍‌ମେଣ୍ଟ ହେବ। ଏହାପରେ ଅଗଷ୍ଟ ୨ରୁ ୮ ତାରିଖ ମଧ୍ୟରେ ଓଜେଇଇ ପକ୍ଷରୁ ପ୍ରୋଭିଜନାଲ ନାମଲେଖା ହେବ।

ଏହାପରେ ଅଗଷ୍ଟ ୧୦ ତାରିଖରେ ଖାଲିଥିବା ମେଡିକାଲ ସିଟ ସଂଖ୍ୟା ପ୍ରକାଶ କରାଯିବ। ଏଥିପାଇଁ ଚଏସ୍‌ ଫିଲିଂ ଆଦି ସବୁ ପ୍ରକ୍ରିୟା ହୋଇ ଦ୍ଵିତୀୟ ପର୍ଯ୍ୟାୟ ସିଟ ଆଲଟ୍‌ମେଣ୍ଟ କରାଯିବ। ଶେଷରେ ଅଗଷ୍ଟ ୨୭ରୁ ୩୧ତାରିଖ ଯାଏଁ ନାମଲେଖା ଚାଲିବ।

ଚଳିତବର୍ଷ ଓଡ଼ିଶାର ୧୪ଟି ସରକାରୀ ଓ ୨ଟି ବେସରକାରୀ କଲେଜକୁ ମିଶାଇ ମୋଟ ୧୬ଟି ମେଡିକାଲ କଲେଜରେ ନାମଲେଖା ହେବ। ଏଥର ୧ ହଜାର ୯୦୦ଟି ଏମବିବିଏସ୍‌ ଓ ୧୬୩ ବିଡିଏସ୍‌ ସିଟ୍‌କୁ ମିଶାଇ ମୋଟ ୨ ହାଜର ୬୩ଟି ସିଟ୍‌ରେ ନାମଲେଖା କରାଯିବ। ଏଥର ଦୁଇ ନୂଆ ମେଡିକାଲ କଲେଜରେ ୧୦୦ଟି ଲେଖାଏଁ ସିଟ୍‌ରେ ନାମଲେଖା ପାଇଁ ଅନୁମତି ମିଳିଛି। ଏଥିପାଇଁ କାଉନସେଲିଂ କରିବା ଦିଗରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି।

ଚଳିତବର୍ଷ ଏହିସବୁ ମେଡିକାଲ ସିଟରେ ନାମଲେଖା ପାଇଁ ଓଜେଇଇ ପକ୍ଷରୁ କାଉନସେଲିଂ ହେବ। ଓଜେଇଇ ପକ୍ଷରୁ ୧ ହଜାର ୮୨୦ଟି ସିଟ୍‌ ଲାଗି କାଉନସେଲିଂ କରାଯିବ। ସେଥିରେ ୧ ହଜାର ୬୬୬ଟି ଏମବିବିଏସ୍‌ ଓ ୧୫୪ଟି ବିଡିଏସ୍ ସିଟ୍‌ ରହିଛି। ଛାତ୍ରଛାତ୍ରୀଙ୍କ ନିଟ୍ ପରୀକ୍ଷା ରେଜଲ୍ଟକୁ ନେଇ ସେମାନଙ୍କୁ ମେଡିକାଲ ସିଟ ଦିଆଯିବ।

ସେହିପରି ଏଥିର କଟକସ୍ଥିତ ଏସସିବି ଓ ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜରେ ୨୧୨ଟି ଲେଖାଏଁ ସିଟରେ ନାମଲେଖା ହେବ। ଏହାସହ ବୁର୍ଲା ଭିମ୍‌ସାରରେ ୧୭୦, କୋରାପୁଟ ଓ ବାରିପଦା ମେଡିକାଲ କଲେଜରେ ୧୦୬ଟି ଲେଖାଏଁ ସିଟରେ ନାମଲେଖା ହେବ।

ଅନ୍ୟପଟେ ବଲାଙ୍ଗୀର, ବାଲେଶ୍ୱର, ପୁରୀ, ସୁନ୍ଦରଗଡ଼, ଭବାନୀପାଟଣା ଓ କେନ୍ଦୁଝର ମେଡିକାଲ କଲେଜରେ ୮୫ଟି ଲେଖାଏଁ ମେଡିକାଲ ସିଟରେ ନାମଲେଖା ହେବ। ଏହାବ୍ୟତୀତ ହାଇଟେକ୍ ଭୁବନେଶ୍ୱରରେ ୧୫୦, ରାଉରକେଲା ହାଇଟେକ୍‌ ଓ କଟକସ୍ଥିତ ଡ୍ରିମ୍‌ସ ମେଡିକାଲ କଲେଜରେ ୧୦୦ଟି ଲେଖାଏଁ ଏମବିବିଏସ୍ ସିଟରେ ନାମଲେଖା ହେବ।

Tags: #MedicalStudy #MedicalColleges #MedicalSeats #HealthCare #HFWOdisha

Comment