ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏବେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଭୁବନେଶ୍ଵରରେ କାୟା ବିସ୍ତାର କରିଛି ଡେଙ୍ଗୁ। ରାଜଧାନୀରେ ଗତ ଦୁଇଦିନରେ ଡେଙ୍ଗୁ ଜ୍ଵରରେ ଦୁଇ ଜଣଙ୍କର ମୃତ୍ୟୁ ଅଭିଯୋଗ ପରେ ମଙ୍ଗଳବାର ରାଜ୍ୟ ବିଜେପି ପକ୍ଷରୁ ବିଏମସି ଅଫିସ ସମ୍ମୁଖରେ ପ୍ରତିବାଦ କରାଯାଇଛି। ଏଥିରେ ବିଜେପିର ଭୁବନେଶ୍ଵର ସଭାପତି ବାବୁ ସିଂହଙ୍କ ନେତୃତ୍ୱରେ ଦଳର ବହୁତ ନେତା ଓ କର୍ମୀମାନେ ସାମିଲ ହୋଇଥିଲେ।

ଭୁବନେଶ୍ଵରରେ ଡେଙ୍ଗୁ ମାମଲା ବୃଦ୍ଧିକୁ ନେଇ ବିଜେପି କର୍ମୀମାନେ ବିଏମସି ଅଫିସ ସମ୍ମୁଖ ରାସ୍ତା ଉପରେ ମଶାରି ଟାଣି ପ୍ରତିବାଦ କରିଥିଲେ। ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭୁବନେଶ୍ଵର ମେୟର ସୁଲୋଚନା ଦାସଙ୍କ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଥିଲା।

“ପ୍ରତିବର୍ଷ ବର୍ଷା ଆସିଲେ ଭୁବନେଶ୍ୱରବାସୀ ଡେଙ୍ଗୁର ଶିକାର ହେଉଛନ୍ତି। ଏଥର ମଧ୍ୟ ସହରରେ ଡେଙ୍ଗୁ ହୁ ହୁ ହୋଇ ବ୍ୟାପୁଛି। ବିଏମସି ଡେଙ୍ଗୁ ରୋକିବାରେ ବିଫଳ ହୋଇଛି। ବର୍ଷା ଆଗରୁ ବିଏମସି ପକ୍ଷରୁ ଘରେ ପାଣି ଜମିବାକୁ ଦିଆଯିବନି ବୋଲି କୁହାଯାଉଥିଲା। ଯଥେଷ୍ଟ ମଶା ମରା ତେଲ ଅଛି, ଡ୍ରୋନ ମାଧ୍ୟମରେ ମଶା ଧୂଆଁ ଦିଆଯିବ ମେୟର କହିଥିଲେ। ସେ ସବୁ ଗଲା କୁଆଡେ। ଏଥିପାଇଁ ଏବେ ସହରବାସୀ ଦଶା ଭୋଗୁଛନ୍ତି”, କହିଛନ୍ତି ବାବୁ ସିଂହ।

ସେ ଆହୁରି ମଧ୍ୟ କହିଛନ୍ତି “ଯଦି ବିଏମସି ଡେଙ୍ଗୁକୁ ରୋକିବା ଦିଗରେ ପଦକ୍ଷେପ ନେବନି, ତେବେ ଆଗକୁ ବିଜେପି ପକ୍ଷରୁ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ। ଆମେ ବିଏମସି ମେୟର ଓ କମିଶନରଙ୍କ ବିରୋଧରେ ଅଭିଯୋଗ ମଧ୍ୟ କରିବୁ।”

ଅନ୍ୟପଟେ ଓଡ଼ିଶାରେ ଡେଙ୍ଗୁ ଏବେ ନିୟନ୍ତ୍ରଣରେ ଥିବା ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି। ଡେଙ୍ଗୁ ରୋକିବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ପଦକ୍ଷେପ ନେଉଥିବା ସେ କହିଥିଲେ। ସେହିପରି ଭୁବନେଶ୍ୱରରେ ରାଜ୍ୟର ଅନ୍ୟ ସହର ତୁଳନାରେ ଅଧିକ ଡେଙ୍ଗୁ ରୋଗୀ ଥିବା ସେ ସ୍ୱୀକାର କରିଥିଲେ।

“ଚଳିତବର୍ଷ ଓଡ଼ିଶାରେ ଏ ଯାଏଁ ୧୮ ହଜାର ନମୁନା ପରୀକ୍ଷା ହୋଇଥିବା ବେଳେ ସେଥିରୁ ୫୫୦ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତବର୍ଷ ୧୦ ହଜାରରୁ ୭୦୦ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ରାଜ୍ୟର ୧୦ଟି ଜିଲ୍ଲାରେ ଜଣେ ବି ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି”, କହିଛନ୍ତି ଡାକ୍ତର ନିରଞ୍ଜନ ମିଶ୍ର।

 

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ତଥ୍ୟ ଅନୁସାରେ ଚଳିତବର୍ଷ ଖୋର୍ଦ୍ଧା ଜିଲ୍ଲାରେ ୩୩୬ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ଭୁବନେଶ୍ୱରରେ ୨୦୦ରୁ ଅଧିକ ଆକ୍ରାନ୍ତ ରହିଛନ୍ତି। ସହରରେ ଗତ ଦୁଇଦିନରେ ଡେଙ୍ଗୁ ଜ୍ଵରରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

Tags: #Dengue #BJPProtest #BMCOffice #DengueDetection #Bhubaneswar

Comment