ଓଡ଼ିଶାଲାଇଭ୍ ବ୍ୟୁରୋ

ମଙ୍ଗଳବାର ଦିନଠାରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ବାୟୁସେନାର ସ୍ଵତନ୍ତ୍ର ବିମାନ ଯୋଗେ ମଙ୍ଗଳବାର ସନ୍ଧ୍ୟା ୬ଟା ୧୦ ମିନିଟରେ ଭୁବନେଶ୍ଵରରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିମାନ ବନ୍ଦରଠାରେ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବ। ଏହା ପରେ ସନ୍ଧ୍ୟା ୬ଟା ୨୦ରେ ବିମାନବନ୍ଦରରୁ ରାଷ୍ଟ୍ରପତି ରାଜଭବନ ଯିବେ। ସନ୍ଧ୍ୟା ୭ଟାରେ ମେଡିକାଲ ଛାତ୍ରଛାତ୍ରୀଙ୍କ ଦ୍ଵାରା ଆୟୋଜିତ ‘ଅତୁଟ ବନ୍ଧନ’ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଏହାର ଓ୍ଵେବସାଇଟକୁ ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଜଭବନରେ ରାତ୍ରୀଯାପନ କରିବେ।

ଜୁଲାଇ ୨୬ ତାରିଖ ସକାଳ ସାଢ଼େ ୮ଟା ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଟକ ଅଭିମୁଖେ ଗସ୍ତ କରିବେ। ସକାଳ ୯ଟା ୧୫ରେ ରାଷ୍ଟ୍ରପତି କଟକ ଚଣ୍ଡିମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ୧୦ଟା ୧୫ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିବେ। ସେଠାରୁ ୧୦ଟା ୪୫ରେ ଜବାହରଲାଲ ନେହରୁ ଇନଡୋର ଷ୍ଟାଡିୟମ ପହଞ୍ଚିବେ।

ଏହାପରେ ସକଟିକସ୍ଥିତ ଓଡ଼ିଶା ହାଇକୋର୍ଟର ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଜାତୀୟ ଆଇନ ବିଶ୍ଵବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ସହ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟା ୬ଟା ସୁଦ୍ଧା ରାଷ୍ଟ୍ରପତି ରାଜଭବନ ପହଞ୍ଚି ରାତ୍ରୀଯାପନ କରିବେ।

ଜୁଲାଇ ୨୭ ତାରିଖ, ଗୁରୁବାର ସକାଳ ୯ଟା ୧୫ରେ ରାଜଭବନରେ ଆଦିମ ଜନଜାତି ସମ୍ପ୍ରଦାୟଙ୍କ ସହ ମତ ବିନିମୟ କରିବେ। ଏହା ପରେ ସକାଳ ୧୦ଟା ୧୫ରେ ଭୁବନେଶ୍ଵରସ୍ଥିତ ତମାଣ୍ଡୋର ଦଶବାଟିଆଠାରେ ପ୍ରଜାପିତା ବ୍ରହ୍ମକୁମାରୀ କେନ୍ଦ୍ରର ଲାଇଟ ହାଉସ କମ୍ପ୍ଲେକ୍ସର ଶିଳାନ୍ୟାସ କରିବା ସହ ବାଲିଆପାଳଠାରେ ଆୟୋଜିତ ହେବାକୁ ଥିବା ଏକ ସାଧାରଣ ସଭାରେ ରାଷ୍ଟ୍ରପତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜଭବନରେ ପହଞ୍ଚିବା ପରେ ଅପରାହ୍ଣ ୪ଟା ୨୫ରେ ଦିଲ୍ଲୀ ଫେରିଯିବେ।

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସୋମବାର ଦିନ କଟକ ଏବଂ ଭୁବନେଶ୍ୱରରେ କାରକେଡ ରିହର୍ସଲ କରାଯାଇଛି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ଲାଗି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସୁରକ୍ଷା ପାଇଁ ୩୬ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ଵରେ ରହିବେ ୧୨ ଜଣ ଆଡିସନାଲ ଡିସିପି, ୨୫ ଜଣ ଏସିପି, ୪୦ ଜଣ ଇନ୍ସପେକ୍ଟର ଓ ୧୨୦ ଜଣ ସବଇନ୍ସପେକ୍ଟର।

ଟ୍ରାଫିକ ପରିଚାଳନା ପାଇଁ ସ୍ଵତନ୍ତ୍ର ଭାବେ ୧୬୦ ଟ୍ରାଫିକ୍ କର୍ମଚାରୀ ଏବଂ ୧୫୦ ହୋମଗାର୍ଡ ମଧ୍ୟ ମୁତୟନ ହେବେ। କାର୍କେଡରେ ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ମଧ୍ୟ ମୁତୟନ ରହିବେ। ରାଷ୍ଟ୍ରପତି ଯୋଗାଦେବାକୁ ଥିବା ସମସ୍ତ ସ୍ଥାନରେ କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Tags: #PresidentOfIndia #DroupadiMurmu #OdishaVisit #SecuritySystemForPresidentsVisit

Comment