ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତିକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତମହାପାତ୍ର ନିଯୋଗ ମଧ୍ୟରେ ବିବାଦ ଜାରି ରହିଛି। ଶ୍ରୀମନ୍ଦିର ପ୍ରଶାସନ ବୁଧବାର ବନକଲାଗି ନୀତି କରିବାକୁ ନିର୍ଦେଶ ଦେଇଥିଲେ ମଧ୍ୟ ଏହା ହୋଇପାରିନି। ଦତ୍ତମହାପାତ୍ର ନିଯୋଗ ଗୁରୁବାର ବନକଲାଗି ନୀତି କରିବାକୁ ନିଜ ଜିଦରେ ଅଟଳ ରହିଛନ୍ତି।

ଶ୍ରୀମନ୍ଦିର ସତ୍ତ୍ଵଲିପି ଅନୁସାରେ ଗୁରୁବାର ମହାପ୍ରଭୁଙ୍କ ବନକଲାଗି ନୀତି କରିବାକୁ ଦତ୍ତମହାପାତ୍ର ନିଯୋଗ ଯୁକ୍ତି ବାଢ଼ିଛି। ନୀଳାଦ୍ରୀ ବିଜେ ପରଠାରୁ ଏ ଯାଏଁ ମହାପ୍ରଭୁଙ୍କ ବନକଲାଗି ନୀତି ବା ଶ୍ରୀମୁଖ ଶୃଙ୍ଗାର ହୋଇନାହିଁ। ଅନ୍ୟପଟେ ବୁଧବାର ବନକଲାଗି ନୀତି ନହେବାରୁ ଶ୍ରୀମନ୍ଦିର ପ୍ରଶାସନ ନିଯୋଗ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ପକ୍ରିୟା ଆରମ୍ଭ କରିଛି।

ସେହିପରି ଯଦି ଦତ୍ତମହାପାତ୍ର ନିଯୋଗ ବନକଲାଗି ନୀତି ନ କରନ୍ତି, ତେବେ ବିକଳ୍ପ ଯୋଜନା ଅନୁସାରେ କିଛି ବରିଷ୍ଠ ସୁଆରଙ୍କ ଜରିଆରେ ଏହି ନୀତି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ତେବେ ଏହାକୁ ନେଇ ସତ୍ତ୍ଵଲିପିରେ କ’ଣ ଉଲ୍ଲେଖ ରହିଛି, ତାହାର ତର୍ଜମା କରାଯାଉଛି।

ଆଗରୁ ଗୁରୁବାର ବନକଲାଗି ନୀତି ହେଉଥିଲା। ତେବେ ଗୁରୁବାର ଦିନ ହିଁ ମା’ ଲକ୍ଷ୍ମୀ, ମା’ ସରସ୍ଵତୀ ଓ ପ୍ରଭୁ ମଦନମୋହନଙ୍କ ମାର୍ଜନା ବିଧି କରାଯାଏ। ଏଥିପାଇଁ ମହାପ୍ରଭୁଙ୍କ ନୀତିରେ ବିଳମ୍ବକୁ ଏଡ଼ାଇବା ପାଇଁ ୨୦୧୮ ମସିହାରୁ ପ୍ରତି ବୁଧବାର ବନକଲାଗି ନୀତି ହୋଇ ଆସୁଥିଲା। ସେତେବେଳେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା।

ଏବେ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଲାଗିଥିବା ଏହି ବିବାଦ, ଶ୍ରୀମନ୍ଦିର ରୀତିନୀତି ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଗକୁ ହେବାକୁ ଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ମଧ୍ୟ ଏହି ପ୍ରସଙ୍ଗ ଉଠିବ ବୋଲି ଆଶା କରାଯାଉଛି।

Tags: #SriMandir #BanakaLagiRitual #LordJagannath #SJTA #Puri

 

Comment