ଓଡ଼ିଶାଲାଇଭ୍ ବ୍ୟୁରୋ

ସରିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନି ଦିନିଆ ଓଡ଼ିଶା ଗସ୍ତ। ଗୁରୁବାର ଅପରାହ୍ଣରେ ସେ ଭୁବନେଶ୍ୱର ବିମାନବନ୍ଦରରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଫେରି ଯାଇଛନ୍ତି। ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରପତିଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ।

ରାଷ୍ଟ୍ରପତି ଗୁରୁବାର ଭୁବନେଶ୍ଵର ନିକଟସ୍ଥ ତମାଣ୍ଡୋରେ ବ୍ରହ୍ମାକୁମାରୀ ଆଶ୍ରମରେ ଇୟର ଅଫ୍ ପଜିଟିଭ୍ ଚେଞ୍ଜ କାର୍ଯ୍ୟକ୍ରମରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେଠାରେ ସେ ଡିଭାଇନ ଲାଇଟ୍ ହାଉସ୍ କଂପ୍ଲେକ୍ସର ଶିଳାନ୍ୟାସ କରିଥିଲେ। ଏହା ସହ ନିଜ ଓଡ଼ିଶା ଗସ୍ତର ଶେଷ ଦିନରେ ରାଷ୍ଟ୍ରପତି ୧୦ଟି ବିଲୁପ୍ତପ୍ରାୟ ଜନଜାତି ଗୋଷ୍ଠୀର (ପିଭିଟିଜି) ପ୍ରତିନିଧିଙ୍କ ସହ ରାଜଭବନରେ ସାକ୍ଷାତ କରିଥିଲେ।

ଏହାପୂର୍ବରୁ ବୁଧବାର ରାଷ୍ଟ୍ରପତି କଟକ ଗସ୍ତରେ ଯାଇ ଓଡ଼ିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହାପରେ ସେ ଏସସିବି ମେଡିକାଲ କଲେଜର ବାର୍ଷିକ ଉତ୍ସବ ଏବଂ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଦଶମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ସେହିପରି ରାଷ୍ଟ୍ରପତି କଟକରେ ମା’ ଚଣ୍ଡୀଙ୍କ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ଏହାପରେ ଶୈଳବାଳା ମହିଳା ମହାବିଦ୍ୟାଳୟ, ମଧୁବାବୁଙ୍କ ବାସଭବନ ଏବଂ ନେତାଜୀ ସଂଗ୍ରହାଳୟ ପରିଦର୍ଶନ କରିଥିଲେ ରାଷ୍ଟ୍ରପତି। ସେ ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀରୁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ନିଜ ଓଡ଼ିଶା ଗସ୍ତ ଆରମ୍ଭ କରିଥିଲେ।

ଗୁରୁବାର ରାଷ୍ଟ୍ରପତିଙ୍କ ଫେରିବା ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ସହ ଓଡ଼ିଶାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଭୁବନେଶ୍ୱର ମେୟର ସୁଲୋଚନା ଦାସ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Tags: #DroupadiMurmu #PresidentofIndia #OdishaVisit #Bhubaneswar

 

Comment