ଓଡ଼ିଶାଲାଇଭ୍ ବ୍ୟୁରୋ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ନିଜର ଓଡ଼ିଶା ଗସ୍ତର ଶେଷ ଦିନରେ ଭୁବନେଶ୍ଵର ନିକଟସ୍ଥ ତମାଣ୍ଡୋରେ ଥିବା ବ୍ରହ୍ମାକୁମାରୀ ଆଶ୍ରମରେ ପହଞ୍ଚିଥିଲେ। ଏଠାରେ ହେଉଥିବା ରାଜ୍ୟସ୍ତରୀୟ ‘ଇୟର ଅଫ୍ ପଜିଟିଭ୍ ଚେଞ୍ଜ’ କାର୍ଯ୍ୟକ୍ରମରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ଆଶ୍ରମରେ ବ୍ରହ୍ମାକୁମାରୀ ଡିଭାଇନ ଲାଇଟ୍ ହାଉସ୍ କମ୍ପ୍ଲେକ୍ସର ଶିଳାନ୍ୟାସ କରିଥିଲେ।

ବୁଧବାର ଦିନ ୧୧ଟା ବେଳେ ରାଷ୍ଟ୍ରପତି ରାଜଭବନରୁ ଆସି ବ୍ରହ୍ମାକୁମାରୀ ଆଶ୍ରମରେ ପହଞ୍ଚିଥିଲେ। ତାଙ୍କୁ ଆଶ୍ରମର ସଦସ୍ୟମାନେ ସ୍ଵାଗତ କରିଥିଲେ। ସେ ପ୍ରଥମେ ଏଠାରେ ଏକ ବୃକ୍ଷ ରୋପଣ କରିଥିଲେ। ଏହାପରେ ଡିଭାଇନ ଲାଇଟ୍ ହାଉସ୍ କମ୍ପ୍ଲେକ୍ସର ଶିଳାନ୍ୟାସ କରିବାପରେ ସେ ମୁଖ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

“ପରିବର୍ତ୍ତନ ହେଉଛି ଏକମାତ୍ର ସତ୍ୟ। ସବୁ ସମାଜରେ ସବୁ ସମୟରେ କିଛି ନା କିଛି ପରିବର୍ତ୍ତନ ହୋଇଥାଏ। ବ୍ୟକ୍ତି ମାନସିକ ଶାନ୍ତି ପାଇ ନିଜ ଚିନ୍ତାଧାରାକୁ ସକରାତ୍ମକ କଲେ ସମାଜର ଉନ୍ନତି ହୁଏ। ଏହା ହିଁ ବ୍ରହ୍ମାକୁମାରୀ ସଂସ୍ଥାର ବିଚାରଧାରା। ଏଥିପାଇଁ ସମାଜରେ ଆଧ୍ୟାତ୍ମିକ ଚେତନାର ପ୍ରଚାର କରି ଲୋକଙ୍କୁ ମାନସିକ ଶାନ୍ତି ଦେବାରେ ସଂସ୍ଥା ନିଜର ପ୍ରୟାସ ଜାରି ରଖିଛି। ମାନସିକ ଶାନ୍ତି ହେଉଛି ପ୍ରକୃତ ଶାନ୍ତି”, କହିଛନ୍ତି ଦ୍ରୌପଦୀ ମୁର୍ମୁ।  

ସେ ଆହୁରି ମଧ୍ୟ କହିଛନ୍ତି, “ଆତ୍ମଚିନ୍ତନ ଅଭାବରୁ ହିଁ ଆମେ ନକରାତ୍ମକ ଭାବନାର ଶିକାର ହେଉ। ଯଶ, କ୍ଷମତା ପଛରେ ଦୌଡ଼ି ଦୌଡ଼ି ମଣିଷ ଆଜି କ୍ଲାନ୍ତ। ନିଜ ଭିତରେ ଥିବା ସଦଗୁଣକୁ ଆମେ ଚିହ୍ନି ପାରୁନୁ। ଏ ଦିଗରେ ଥରେ ଭଲଭାବେ ଚିନ୍ତା କଲେ ଆମେ ନିଜକୁ ପରିବର୍ତ୍ତନ କରିପାରିବା।”

ସେ ଆହୁରି କହିଛନ୍ତି, “ଓଡ଼ିଶା ସହ ବ୍ରହ୍ମାକୁମାରୀ ସଂସ୍ଥାର ସମ୍ପର୍କ ଅତି ପୁରୁଣା। ୧୯୩୬ ମସିହାରେ ଯେତେବେଳେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା, ସେହି ବର୍ଷ ହିଁ ବ୍ରହ୍ମାକୁମାରୀ ସଂସ୍ଥା ଆରମ୍ଭ ହୋଇଥିଲା। ମୁଁ ଯେତେବେଳେ ମୋ ସ୍ଵାମୀ ଓ ପିଲାଙ୍କୁ ହରାଇ ଅବସାଦଗ୍ରସ୍ତ ହୋଇଥିଲେ, ଏହି ସଂସ୍ଥାର ଆଧ୍ୟାତ୍ମିକ ଚେତନା ମତେ ନୂଆ ଜୀବନ ଦେଇଥିଲା।”

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାର୍ଯ୍ୟକ୍ରମ ପରେ ବ୍ରହ୍ମାକୁମାରୀ ସଂସ୍ଥାର ସଦସ୍ୟମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ପାଇଁ ଏଠାରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା।

ବ୍ରହ୍ମାକୁମାରୀ ଆଶ୍ରମ କାର୍ଯ୍ୟକ୍ରମରେ ପ୍ରଫେସର ରାଜ୍ୟପାଳ ଗଣେଶୀ ଲାଲ, ଓଡ଼ିଶା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇଥିଲେ। ଏହାସହ ବ୍ରହ୍ମାକୁମାରୀ ସଂସ୍ଥାର ଅନେକ ବରିଷ୍ଠ ସଦସ୍ୟମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ବ୍ରହ୍ମାକୁମାରୀ ଆଶ୍ରମରେ କାର୍ଯ୍ୟକ୍ରମ ପୂର୍ବରୁ ବୁଧବାର ସକାଳେ ରାଜଭବନରେ ରାଷ୍ଟ୍ରପତି କେତେକ ବିଲୁପ୍ତପ୍ରାୟ ଜନଜାତି ଗୋଷ୍ଠୀର (ପିଭିଟିଜି) ପ୍ରତିନିଧିଙ୍କ ସହ ସାକ୍ଷାତ କରିଥିଲେ। ଏଥିରେ ମାଙ୍କିଡ଼ିଆ, ଖରିଆ, କୁଟିଆ କନ୍ଧ ଆଦି ୧୦ଟି ଜନଜାତିର ପ୍ରାୟ ୫୦ ଜଣ ପ୍ରତିନିଧି ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଥିଲେ। ସେମାନଙ୍କ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ରୋଜଗାର ଆଦି ବିଷୟକୁ ନେଇ ରାଷ୍ଟ୍ରପତି ଏଠାରେ ଆଲୋଚନା କରିଥିଲେ।

ବ୍ରହ୍ମାକୁମାରୀ ଆଶ୍ରମରେ କାର୍ଯ୍ୟକ୍ରମ ସାରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜଭବନ ଯାଇଛନ୍ତି। ସେଠାରୁ ସେ ବୁଧବାର ଅପରାହ୍ଣରେ ବାୟୁସେନାର ସ୍ଵତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରିଯିବେ।

Tags: #PresidentDroupadiMurmu #OdishaVisit #BrahmaKumariAshram #YearOfChangeFunction #Bhubaneswar

Comment