ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତିକୁ ନେଇ ଏବେବି ଜାରି ରହିଛି ବିବାଦ। ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତମହାପାତ୍ର ନିଯୋଗ ମଧ୍ୟରେ ତିକ୍ତତା ଦେଖାଦେଇଛି। ଶୁକ୍ରବାର ହୋଇଥିବା ଶ୍ରୀମନ୍ଦିର ନୀତି ସବକମିଟି ବୈଠକରୁ ମଧ୍ୟ ବନକଲାଗି ନୀତିକୁ ନେଇ କୌଣସି ନିଷ୍କର୍ଷ ବାହାରିପାରିନି। ମଙ୍ଗଳବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହାକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି।

ଶୁକ୍ରବାର ନୀତି ସବକମିଟି ବୈଠକରେ ଦତ୍ତ ମହାପାତ୍ର ନିଯୋଗ ବୁଧବାର ବନକଲାଗି ନୀତି କରିବାକୁ ନେଇ ରାଜି ହୋଇଥିଲେ। ହେଲେ ନିଯୋଗ ପକ୍ଷରୁ କୌଣସି ଲିଖିତ ପ୍ରତିଶ୍ରୁତି ଦିଆଯାଇନଥିବାରୁ ବୈଠକରେ ବନକଲାଗିକୁ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନଥିଲା।

“ଆମେ ଦତ୍ତମହାପାତ୍ର ସେବାୟତମାନଙ୍କୁ ଅନୁରୋଧ କରୁଛି, ଯେ ସେମାନେ ମହାପ୍ରଭୁଙ୍କ ବନକଲାଗି ନୀତି କରିବାରେ ମନ୍ଦିର ପ୍ରଶାସନର ସହଯୋଗ କରନ୍ତୁ। ମହାପ୍ରଭୁଙ୍କ ସେବାପୂଜା ଅଧିକାରର ଦୁରୂପଯୋଗ ନକରନ୍ତୁ। ଏବେବି ସମୟ ଅଛି ସେମାନେ ମହାପ୍ରଭୁଙ୍କ କାମରେ ଯୋଗ ଦିଅନ୍ତୁ। ଯଦି ନିଯୋଗ ନିଜ ଜିଦରେ ଅଟଳ ରହନ୍ତି ତେବେ ଆମେ ବିକଳ୍ପ ବିଧି ଆପଣେଇବୁ”, କହିଛନ୍ତି ରଞ୍ଜନ କୁମାର ଦାସ।

ଅନ୍ୟପଟେ ମଙ୍ଗଳବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଯଦି ବୁଧବାର ବନକଲାଗି ନୀତିକୁ କରିବାକୁ ନିଷ୍ପତ୍ତି ହେବ ତାହାକୁ ମାନିବାକୁ ଦତ୍ତମହାପାତ୍ର ନିଯୋଗ ପକ୍ଷରୁ କୁହାଯାଇଛି। ଏହି ବୈଠକରେ ହିଁ ବନକଲାଗି ନୀତିକୁ ନେଇ ଲାଗି ରହିଥିବା ବିବାଦର ସମାଧାନ ହେବ ବୋଲି ଆଶା କରାଯାଉଛି।

ଶୁକ୍ରବାର ନୀତି ସବକମିଟି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଶ୍ରୀମନ୍ଦିର ନୀତି ପ୍ରଶାସକ, ଶ୍ରୀମନ୍ଦିର କମାଣ୍ଡର, ଦତ୍ତମହାପାତ୍ର ନିଯୋଗ ସମ୍ପାଦକ ମଦନମୋହନ ଦତ୍ତ ପ୍ରମୁଖ ଯୋଗ ଦେଇଥିଲେ। ଏହାସହ ଦତ୍ତମହାପାତ୍ର ନିଯୋଗ ଓ ଶ୍ରୀମନ୍ଦିର ପରିଚାଳନା କମିଟିର ଅନ୍ୟ ସଦସ୍ୟମାନେ ବୈଠକରେ ସାମିଲ ହୋଇଥିଲେ।

ଶ୍ରୀମନ୍ଦିରରେ ନୀଳାଦ୍ରୀ ବିଜେ ପରଠାରୁ ଏ ଯାଏଁ ମହାପ୍ରଭୁଙ୍କ ବନକଲାଗି ନୀତି ବା ଶ୍ରୀମୁଖ ଶୃଙ୍ଗାର ହୋଇନାହିଁ। ଗୁରୁବାର ମହାପ୍ରଭୁଙ୍କ ବନକଲାଗି ନୀତି କରିବାକୁ ଦତ୍ତମହାପାତ୍ର ନିଯୋଗ ଦାବି କରି ଅସୁଥିବାବେଳେ ବୁଧବାର ଏହି ନୀତି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଜ ଜିଦରେ ଅଟଳ ରହିଛି।

ପୂର୍ବରୁ ଶ୍ରୀମନ୍ଦିରରେ ଗୁରୁବାର ବନକଲାଗି ନୀତି ହେଉଥିଲା। ତେବେ ଗୁରୁବାର ମା’ ଲକ୍ଷ୍ମୀ, ମା’ ସରସ୍ଵତୀ ଓ ପ୍ରଭୁ ମଦନମୋହନଙ୍କ ମାର୍ଜନା ବିଧି ରହୁଥିବାରୁ ମହାପ୍ରଭୁଙ୍କ ନୀତିରେ ବିଳମ୍ବକୁ ଏଡ଼ାଇବା ପାଇଁ ୨୦୧୮ ମସିହାରୁ ପ୍ରତି ବୁଧବାର ବନକଲାଗି ନୀତି ହୋଇ ଆସୁଥିଲା। ସେତେବେଳେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା।

Tags: #SriMandir #BanakaLagiRitual #LordJagannath #SJTA #Puri

Comment