ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳନ୍ତା ଟ୍ରେନରେ ଗୁଳିକାଣ୍ଡ। ଜୟପୁର-ମୁମ୍ବାଇ ଏକ୍ସପ୍ରେସରେ ସୋମବାର ଜଣେ ଆରପିଏଫ୍ କନଷ୍ଟେବଳଙ୍କ ଗୁଳିମାଡ଼ରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଆରପିଏଫ୍ ଏଏସଆଇ ଏବଂ ୩ ଜଣ ଯାତ୍ରୀ ରହିଛନ୍ତି। ଘଟଣାବେଳେ ଟ୍ରେନଟି ମୁମ୍ବାଇ ନିକଟସ୍ଥ ମିରାରୋଡ ଷ୍ଟେସନ ପାଖରେ ପହଞ୍ଚିଥିଲା।

ସୋମବାର ଭୋର ୫ଟା ୨୦ ବେଳେ ଜୟପୁରରୁ ମୁମ୍ବାଇ ଅଭିମୁଖେ ଆସୁଥିବା ଟ୍ରେନ ୧୨୯୫୬ ଜୟପୁର-ମୁମ୍ବାଇ ଏକ୍ସପ୍ରେସର ‘ବି୫’ ଏସି ବଗିରେ ଗୁଳିକାଣ୍ଡ ଘଟିଥିଲା। ଫାୟାରିଂ ପରେ କନଷ୍ଟେବଳ ଟ୍ରେନ୍‌ରୁ ଡେଇଁ ଖସି ଯାଇଥିଲେ। ଏହାପରେ ମୁମ୍ବାଇ ପୋଲିସ ଅଭିଯୁକ୍ତ କନଷ୍ଟେବଳଙ୍କୁ ଗିରଫ କରିବା ସହ ବନ୍ଧୁକ ଜବତ କରିଥିବା ସୂଚନା ମିଳିଛି।

ଏହି ଘଟଣାରେ ପ୍ରାଣ ହରାଇଥିବା ଆରପିଏଫ୍ ଏଏସଆଇ ଜଣକ ନାମ ଟିକାରାମ ମୀଣା ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ସେହିପରି ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀମାନଙ୍କ ମୃତଦେହକୁ ମୁମ୍ବାଇର ଶତାବ୍ଦୀ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ମୃତକ ଯାତ୍ରୀଙ୍କ ପରିବାର ଲୋକଙ୍କୁ ଘଟଣା ବାବଦରେ ସୂଚନା ଦିଆଯାଇଛି।

ଅନ୍ୟପଟେ ଅଭିଯୁକ୍ତକୁ କନଷ୍ଟେବଳଙ୍କୁ ମିରା ରୋଡରୁ ମୁମ୍ବାଇ ପୋଲିସ ଗିରଫ କରିଛି। ଅଭିଯୁକ୍ତ କନଷ୍ଟେବଳଙ୍କ ନାମ ଚେତନ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ପୋଲିସ ଏବେ ତାଙ୍କୁ ଘଟଣା ବାବଦରେ ଅଧିକ ପଚରାଉଚରା କରୁଛି।

ତେବେ ସୋମବାର ସକାଳେ ଘଟିଥିବା ଏହି ଘଟଣାରେ ଗୁଳି ବିନିମୟର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବିକ ଅଭିଯୁକ୍ତ ଆରପିଏଫ କନଷ୍ଟେବଳ ଏବଂ ତାଙ୍କ ବରିଷ୍ଠ ଏଏସଆଇ ମଧ୍ୟରେ କିଛି ପ୍ରସଙ୍ଗକୁ ନେଇ ଯୁକ୍ତିତର୍କ ହୋଇଥିଲା। ଯାହା ପରେ କନଷ୍ଟେବଳ ଜଣକ ରାଗିଯାଇ ଗୁଳି ଚଳାଇଥିଲେ। ଏଥିରେ ୩ ଜଣ ଯାତ୍ରୀଙ୍କୁ ମଧ୍ୟ ଗୁଳି ବାଜିଥିଲା। ସମସ୍ତଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

Tags: #TrainShootout #Jaipur-MumbaiExpress #RPFPersonel #Mumbai #IndianRailways

Comment