ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଥମ ପର୍ଯ୍ୟାୟ ଭାରତ ଯୋଡ଼ୋ ଯାତ୍ରାକୁ ସଫଳତା ମିଳିବା ପରେ ପୁଣି ଏହାକୁ ନିର୍ବାଚନ ଅସ୍ତ୍ର କରିବା ଲକ୍ଷ୍ୟରେ ଅଛନ୍ତି ରାହୁଲ ଗାନ୍ଧୀ

ସାଧାରଣ ନିର୍ବାଚନ ପୂର୍ବରୁ ପୁଣି ଥରେ ଭାରତ ଯୋଡ଼ୋ ଯାତ୍ରାରେ ବାହାରିବାକୁ ଯୋଜନା କରିଛନ୍ତି ରାହୁଲ ଗାନ୍ଧୀ। ପ୍ରଥମ ପର୍ଯ୍ୟାୟ ଭାରତ ଯୋଡ଼ୋ ଯାତ୍ରାରେ କଂଗ୍ରେସକୁ କର୍ଣ୍ଣାଟକରେ ଫାଇଦା ମିଳିଥିଲା। ରାହୁଲଙ୍କ ଗ୍ରହଣୀୟତା ମଧ୍ୟ ବୃଦ୍ଧି ପାଇଥିଲା। ତେଣୁ ସ୍ଵାଭାବିକ ଭାବେ ଏହା କଂଗ୍ରେସକୁ ଉତ୍ସାହିତ କରିଛି। ତେଣୁ ଦ୍ଵିତୀୟ ପର୍ଯ୍ୟାୟର ଭାରତ ଯୋଡ଼ୋ ଯାତ୍ରା ମଧ୍ୟ କଂଗ୍ରେସକୁ ଅଧିକ ଲାଭ ଦେବ ବୋଲି କଂଗ୍ରେସର ଷ୍ଟ୍ରାଟେଜିଷ୍ଟ ଆକଳନ କରିଛନ୍ତି।

ଦ୍ଵିତୀୟ ପର୍ଯ୍ୟାୟ ଯାତ୍ରା ଗୁଜୁରାଟ ପୋରବନ୍ଦରରୁ ଆରମ୍ଭ ହୋଇ ତ୍ରିପୁରାର ଅଗରତାଲା ପର୍ଯ୍ୟନ୍ତ ଚାଲିବ। ପ୍ରାଥମିକ ଭାବେ ଏହା ଅଗଷ୍ଟ ୧୫ରୁ ଆରମ୍ଭ ହେବ ବୋଲି କୁହାଯାଉଥିଲେ ମଧ୍ୟ ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀକୁ ଏହା ଘୁଞ୍ଚି ପାରେ। ପଶ୍ଚିମ ଭାରତରୁ ଆରମ୍ଭ ହେଉଥିବା ଏହି ଯାତ୍ରାରେ ରାହୁଲ ଉତ୍ତର ଭାରତ ଦେଇ ପୂର୍ବ ଓ ଉତ୍ତର ପୂର୍ବ ଭାରତର ବିଭିନ୍ନ ଅଞ୍ଚଳ ଦେଇ ଯିବେ। ନିର୍ଦ୍ଦିଷ୍ଟ ଭାବେ ରୁଟ୍ ଚାର୍ଟ ପ୍ରସ୍ତୁତ ହୋଇନଥିଲେ ମଧ୍ୟ ସାଧାରଣ ନିର୍ବାଚନ ପୂର୍ବରୁ ଯେଉଁ ସବୁ ରାଜ୍ୟର ଉପନିର୍ବାଚନ ଅଛି ସେହି ରାଜ୍ୟଗୁଡ଼ିକୁ ପ୍ରାଧାନ୍ୟ ଦେବାକୁ ଯୋଜନା ରହିଛି।

ରାଜନୀତି ସମୀକ୍ଷକଙ୍କ ମତରେ ଏହି ଯାତ୍ରା କଂଗ୍ରେସର କର୍ମୀମାନଙ୍କୁ ଉତ୍ସାହିତ କରିବ। ଏହା ସହିତ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ରେ  ରାହୁଲଙ୍କ ଗ୍ରହଣୀୟତାକୁ ଆହୁରି ବଢ଼ାଇବ। ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ବହୁତ ପ୍ରସଂଗ ରହିଛି। କିନ୍ତୁ ବିଜେପି ବିରୋଧରେ କଂଗ୍ରେସକୁ ବିକଳ୍ପ ଭାବି ପାରୁନାହାନ୍ତି ଲୋକେ। ତେଣୁ ଏହି ଭାରତ ଯୋଡ଼ୋ ଯାତ୍ରା ରାହୁଲଙ୍କ ନେତୃତ୍ଵକୁ ଅଧିକ ଫାଇଦା ଦେବ।

ଏଥର ସାଧାରଣ ନିର୍ବାଚନ ପାଇଁ ବିଜେପି ପାଖରେ ପ୍ରସଂଗର ଅଭାବ ରହିଛି। ଗତ ନିର୍ବାଚନରେ ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ବିଜେପିକୁ ବଡ଼ ଶକ୍ତି ଦେଇଥିଲା। ପାକିସ୍ତାନ ବିରୋଧୀ ହାଓ୍ଵାର ଫାଇଦା ନେଇ ଭୋଟରଙ୍କୁ ଏକାଠି କରିବାରେ ସଫଳ ହୋଇଥିଲା ବିଜେପି। ଏଥର ପାକିସ୍ତାନ ନିଜେ ଆର୍ଥିକ ସମସ୍ୟାରେ ଉବୁଟୁବୁ ହେଉଥିବା ବେଳେ ପାକିସ୍ତାନ ପ୍ରସଂଗ ହୁଏତ କାମ କରିନପାରେ ବୋଲି ରାଜନୀତି ସମୀକ୍ଷକଙ୍କ ମତ। ଅନ୍ୟପଟେ ମଣିପୁର ପ୍ରସଂଗ ମଧ୍ୟ ବିଜେପି ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି। ଏଭଳି ସ୍ଥିତିରେ ରାହୁଲଙ୍କୁ ତାଙ୍କ ଭାରତ ଯୋଡ଼ୋ ଯାତ୍ରା ବଡ଼ ସୁଯୋଗ ଦେଇପାରେ ବୋଲି କଂଗ୍ରେସର ରାଜନୈତିକ ପରାମର୍ଶଦାତା ଅନୁମାନ କରୁଛନ୍ତି।

ବିଶେଷ କରି ଉତ୍ତରପ୍ରଦେଶରେ କଂଗ୍ରେସର ସ୍ଥିତି ଅତି ଖରାପ ରହିଛି। ଗତ ସାଧାରଣ ନିର୍ବାଚନରେ ମଧ୍ୟ ରାହୁଲ ନିଜେ ପରାଜିତ ହୋଇଥିଲେ। ପ୍ରଥମ ପର୍ଯ୍ୟାୟ ଭାରତ ଯୋଡ଼ୋ ଯାତ୍ରାରେ ଉତ୍ତରଭାରତର ଦକ୍ଷିଣରେ ଥିବା ୩ଟି ଜିଲ୍ଲା ଦେଇ ଯାଇଥିଲେ। କିନ୍ତୁ ଏଥର ଉତ୍ତରପ୍ରଦେଶରେ ଅଧିକ ସମୟ ବିତାଇବା ପାଇଁ ରାଜ୍ୟ କଂଗ୍ରେସ ଦାବି କରିଛି। ଦ୍ଵିତୀୟ ପର୍ଯ୍ୟାୟ ଯାତ୍ରାରେ ପ୍ରିୟଙ୍କା ଗାନ୍ଧୀ ରାହୁଲଙ୍କ ସହ ପୂରା ସମୟ ରହିବେ ବୋଲି ମଧ୍ୟ କଂଗ୍ରେସ ମହଲରେ ଚର୍ଚ୍ଚା ହେଉଛି।

ଭାରତ ଯୋଡ଼ୋ ଯାତ୍ରା କୋଅର୍ଡିନେସନ କମିଟିର ମୁଖ୍ୟ ଦିଗବିଜୟ ସିଂହ ଏ ସଂକ୍ରାନ୍ତରେ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିଛନ୍ତି। ଦ୍ଵିତୀୟ ପର୍ଯ୍ୟାୟ ଯାତ୍ରା ପାଇଁ ସମସ୍ତେ ସହମତି ଦେଇ ସାରିଥିବା ବେଳେ କେବେ ଆରମ୍ଭ ହେବ ଓ ଏହାର ରୁଟ୍ ଚାର୍ଟ କ’ଣ ରହିବ ସେ ନେଇ ପୁଣି ଆଲୋଚନା ହେବ। ଏହାକୁ ଅଗଷ୍ଟ ୧୫ ତରିଖରୁ ଆରମ୍ଭ କରିବା ପାଇଁ କିଛି ନେତା ମତ ଦେଇଥିବା ବେଳେ ପାଣିପାଗ ସମସ୍ୟା ପାଇଁ ଏହାକୁ ଅକ୍ଟୋବର ୨ରୁ ଆରମ୍ଭ କରିବା ପାଇଁ ଅନ୍ୟମାନେ ମତ ଦେଇଛନ୍ତି। କିନ୍ତୁ ଅକ୍ଟୋବରରୁ ଆରମ୍ଭ ହେଲେ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଯାତ୍ରାକୁ ସାରିବା କଷ୍ଟକର ହୋଇଯିବ। ଏହାକୁ ଦୃଷ୍ଟିରେ ରଖି ଖୁବ୍ ଶୀଘ୍ର ତାରିଖ ଘୋଷଣା କରାଯିବ ବୋଲି ସୂଚନା ମିଳିଛି।

Tags: #Politics #IndianPolitics #BharatJodoYatra #RahulGandhi #PoliticalAgenda

Comment