ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀମନ୍ଦିର ରତ୍ନଭଣ୍ଡାରର ସୁରକ୍ଷାକୁ ନେଇ ଓଡ଼ିଶା ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ଏଥିରେ ରତ୍ନଭଣ୍ଡାର ସୁରକ୍ଷିତ ଥିବା କୁହାଯାଇଛି। ରତ୍ନଭଣ୍ଡାରରେ ୧୪୯ କିଲୋ ୪୬୦ ଗ୍ରାମ ସୁନା ଏବଂ ୧୮୪ କିଲୋଗ୍ରାମ ରୁପା ଅଳଙ୍କାର ଥିବା ସତ୍ୟପାଠରେ କୁହାଯାଇଛି। ଶେଷଥର ପାଇଁ ରତ୍ନଭଣ୍ଡାରକୁ ୧୯୭୮ ମସିହାରେ ଖୋଲାଯାଇଥିଲା ବୋଲି ହାଇକୋର୍ଟରେ ତଥ୍ୟ ରଖିଛନ୍ତି ଶ୍ରୀମନ୍ଦିର ପ୍ରଶାସନ।

ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ତିନୋଟି କୋଠରି ରହିଛି। ସବୁଠୁ ଭିତର କୋଠରିରେ ୫୦ କିଲୋ ୬୦୦ ଗ୍ରାମ ସୁନା ଏବଂ ୧୩୪ କେଜି ୫୦ ଗ୍ରାମର ରୁପା ଅଳଙ୍କାର ରହିଛି। ଏହି ଅଳଙ୍କାର ବ୍ୟବହାର କରାଯାଇ ନଥାଏ।

ସେହିପରି ବାହାର ଭଣ୍ଡାରରେ ୯୫ କିଲୋ ୩୨୦ ଗ୍ରାମ ସ୍ୱର୍ଣ୍ଣ ଅଳଙ୍କାର ଏବଂ ୧୯ କେଜି ୪୮୦ ଗ୍ରାମର ରୁପା ଅଳଙ୍କାର ରହିଛି। ଏହି ସବୁ ଅଳଙ୍କାର ବିଭିନ୍ନ ପର୍ବପର୍ବାଣୀ ଏବଂ ସୁନାବେଶରେ ତିନିଠାକୁରଙ୍କୁ ପିନ୍ଧା ଯାଇଥାଏ। ଏହାଛଡ଼ା ଶ୍ରୀମନ୍ଦିରର ଚଳନ୍ତିଭଣ୍ଡାରରେ ଥିବା ପ୍ରାୟ ୩ କେଜି ସୁନା ଏବଂ ୩୦ କେଜି ରୁପା ଅଳଙ୍କାର ମହାପ୍ରଭୁଙ୍କ ଦୈନନ୍ଦିନ ବ୍ୟବହାରେ ଲାଗିଥାଏ।

୧୯୭୮ ମସିହାରେ ଯେତେବେଳେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲା ଯାଇଥିଲା, ଏଥିରେ କେତେ ଅଳଙ୍କାର ରହିଛି ତାହାର ଯାଞ୍ଚ କରାଯାଇ ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା। ଏବେ ରତ୍ନଭଣ୍ଡାରର ଚାବି ହଜି ଯାଇଥିବାରୁ ଏହାକୁ ଖୋଲାଯାଇ ପାରୁନଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି।

ଅନ୍ୟପଟେ ହାଇକୋର୍ଟରେ ସତ୍ୟପାଠ ଦାଖଲ ପରେ ରତ୍ନଭଣ୍ଡାରର ସୁରକ୍ଷାକୁ ନେଇ ବିରୋଧୀ ଦଳମାନେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ୧୯୭୮ ମସିହାରୁ ଏ ଯାଏଁ ୪୫ ବର୍ଷ ଭିତରେ ରତ୍ନଭଣ୍ଡାର ଆଦୌ ଖୋଲାଯାଇ ନଥିବାବେଳେ ଏହା ସୁରକ୍ଷିତ ଅଛି ବୋଲି ସରକାର କେମିତି ଜାଣିଲେ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି।

Tags: #Srimandir #RatnaBhandar #OdishaHighCourt #SJTA #Puri

Comment