ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ୫୧ ରାଙ୍କ୍ ରଖି ସଫଳତା ହାସଲ କରିଛନ୍ତି ପୁରୀର ଝିଅ ସ୍ୱାତୀ ସ୍ନିଗ୍ଧା ସୁଆର।
ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ସ୍ୱାତୀ ସ୍ନିଗ୍ଧା ସୁଆର। ଚତୁର୍ଥ ଚେଷ୍ଟାରେ ୫୧ ରାଙ୍କ୍ ରଖି ଏହି ସଫଳତା ପାଇଛନ୍ତି ପୁରୀର ସେବାୟତ ପରିବାରର ଝିଅ ସ୍ୱାତୀ ସ୍ନିିଗ୍ଧା। ଏହା ପୂର୍ବରୁ ସେ ସାମ୍ବାଦିକତା କରୁଥିଲେ। ନିକଟରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ନିଯୁକ୍ତି ପାଇଥିଲେ ସ୍ୱାତୀ ସ୍ନିଗ୍ଧା।
୭ ବର୍ଷର ସାମ୍ବାଦିକତା କ୍ୟାରିୟର ପରେ ଓଏଏସ୍
“ସାମ୍ବାଦିକତା କ୍ଷେତ୍ରରେ ୭ ବର୍ଷର କ୍ୟାରିୟର ପରେ ମୁଁ ଓଡ଼ିଶା ପ୍ରଶାସନିକ ସେବାରେ ଯୋଗ ଦେବାକୁ ଭାବିଥିଲି। ଚାକିରି ଜୀବନ ପରେ ପୁଣିଥରେ ଛାତ୍ରୀ ଭାବେ ଦିନକୁ ୬/୭ ଘଣ୍ଟା ଟେବୁଲ ପାଖରେ ବସି ପାଠ ପଢ଼ିବା ମୋ ପାଇଁ ଚାଲେଞ୍ଜିଂ ଥିଲା। କିନ୍ତୁ ପରିବାର ଏବଂ ମୋ ଜୀବନସାଥୀଙ୍କ ସମର୍ଥନରେ ମୁଁ ପ୍ରସ୍ତୁତି ଆରମ୍ଭ କରିଥିଲି। କଠିନ ପରିଶ୍ରମ ପରେ ଆଜି ଏହି ସଫଳତା ମିଳିଛି”, କହନ୍ତି ସ୍ୱାତୀ ସ୍ନିଗ୍ଧା ସୁଆର।
ବିବାହ ପରେ ୨୦୧୭ରୁ ବିଧିବଦ୍ଧ ଭାବେ ଓଡ଼ିଶା ପ୍ରଶାସିନକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ସ୍ୱାତୀ। ୩ ଥର ପରୀକ୍ଷା ଦେଇ ନିରାଶ ହୋଇଥିଲେ ମଧ୍ୟ ସେ ହାର୍ ମାନିନଥିଲେ।
“ବିଫଳତା ହିଁ ସଫଳତାର ଚାବିକାଠି। ଯେପର୍ଯ୍ୟନ୍ତ ମଣିଷ ବିଫଳତାକୁ ସାମ୍ନା କରିନି, ସେ ସଫଳତାର ସ୍ୱାଦକୁ ଚାଖି ପାରିବନି। ତେଣୁ କେବେ ଭାଙ୍ଗି ପଡ଼ିନି ବରଂ ମନରେ ବେଶୀ ଦୃଢ଼ତା ଆସିଛି’’, କହନ୍ତି ସ୍ୱାତୀ।
“ବିବାହ ପରେ ଓଏଏସ୍ ହେବାର ସ୍ୱପ୍ନ ଦେଖିଥିଲି’’
“ଲୋକ କହନ୍ତି ବିବାହ ପରେ ଝିଅମାନଙ୍କ ଜୀବନ ବଦଳିଯାଏ। ଅନେକ କ୍ଷେତ୍ରରେ ସେମାନଙ୍କ ସ୍ୱପ୍ନ ଅଧାରେ ରହିଯାଏ। କିନ୍ତୁ ମୁଁ ବିବାହ ପରେ ଓଏଏସ୍ ହେବାର ସ୍ୱପ୍ନ ଦେଖିଥିଲି। ଆଜି ସେଇ ସ୍ୱପ୍ନ ମୋର ସତ ହୋଇଛି। ଏଥିରେ ମତେ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି ମୋର ସ୍ୱାମୀ”, କହନ୍ତି ସ୍ୱାତୀ ସ୍ନିଗ୍ଧା ସୁଆର।
ପୁରୀର ସେବାୟତ ପରିବାରର ପ୍ରଥମ ଓଏଏସ୍ ଝିଅ
ପୁରୀର ସେବାୟତ ପରିବାରରେ ସ୍ୱାତୀଙ୍କର ଜନ୍ମ। ସାମନ୍ତ ଚନ୍ଦ୍ରଶେଖର କଲେଜରେ ଜୁଲୋଜି ଅନର୍ସରେ ଗ୍ରାଜୁଏସନ କରିବା ପରେ ଢେଙ୍କାନାଳ ସ୍ଥିତ ଆଇଆଇଏମସିରେ ଇଂରାଜୀରେ ସାମ୍ବାଦିକତା ପଢ଼ିଥିଲେ ସ୍ୱାତୀ। ତା’ ପରେ ଓଡ଼ିଶାର ବିିଭିନ୍ନ ଚ୍ୟାନେଲରେ କାମ କରିଛନ୍ତି ସ୍ୱାତୀ।
ନିକଟରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ନିଯୁକ୍ତି ପାଇଥିଲେ ସ୍ୱାତୀ। ଏବେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାସଲ କରିବା ପରେ ତାଙ୍କୁ ନେଇ ଗର୍ବ କରୁଛନ୍ତି ପରିବାର ଓ ପୁରୀବାସୀ।
“ମୋର କିଛି ସ୍ପେସାଲ ଷ୍ଟ୍ରାଟେଜି ନଥିଲା”
“ପରୀକ୍ଷା ପାଇଁ ମୋର ସେମିତି କିଛି ସ୍ପେସାଲ ଷ୍ଟ୍ରାଟେଜି ନଥିଲା। ଅଫିସ, ଘର ଏବଂ ଦାୟିତ୍ୱ ଭିତରେ ମୁଁ ପଢ଼ାକୁ ବେଶୀ ସମୟ ଦେଇପାରୁନଥିଲି। ରାତିରେ ୩ରୁ ୪ ଘଣ୍ଟା ପଢ଼ୁଥିଲି। କିନ୍ତୁ ମନ ଦେଇ ପଢ଼ୁଥିଲି। କିଛି କୋଚିଂ ସେଣ୍ଟରରେ ମକ୍ ଇଣ୍ଟରଭ୍ୟୁ ଦେଇଥିଲି। ଅଧିକରୁ ଅଧିକ ଲେଖିବାର ଅଭ୍ୟାସ କରୁଥିଲି। ସେଇ ଅଭ୍ୟାସ ଫଳପ୍ରଦ ହେଲା”, କହନ୍ତି ସ୍ୱାତୀ।
“ଶିିକ୍ଷା, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ କାମ କରିବାକୁ ଲକ୍ଷ୍ୟ”
“ମତେ ରାଜ୍ୟ ସରକାର ଯାହା ବି ଦାୟିତ୍ୱ ଦେବେ ମୁଁ ନିଷ୍ଠାର ସହ ତାକୁ କରିବି। ମୋର ଲକ୍ଷ୍ୟ ଅଛି ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି କ୍ଷେତ୍ରରେ କାମ କରିବାକୁ। କାରଣ ଶିକ୍ଷା ଗୋଟିଏ ଏମିତି ବିଷୟ, ଯାହା ଅନେକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ସହ ସମାଜରେ ପରିବର୍ତ୍ତନ ଆଣେ। ସେହିପରି କୋଭିଡ ସମୟରେ ଆମେ ସମସ୍ତେ ଅନୁଭବ କଲେ ଯେ ଯେଉଁ ଦେଶ ବା ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ ସେଇମାନେ ଏହି ପରିସ୍ଥିତିକୁ ମୁକାବିଲା କରିପାରିଲେ। ତେଣୁ ମତେ ଏଇ କ୍ଷେତ୍ରରେ କାମ କରି ଲୋକଙ୍କ ପାଇଁ କିଛି କରିବାର ଇଚ୍ଛା ଅଛି। ସେଇପରି ଆମ ରାଜ୍ୟ ସରକାର ମହିଳାଙ୍କ ସଶକ୍ତିକରଣ ଏବଂ ଶିଶୁଙ୍କ ବିକାଶ ପାଇଁ ଅନେକ ପଦକ୍ଷେପ ନେଉଛନ୍ତି ତେଣୁ ସେଇ କ୍ଷେତ୍ରରେ ବି କାମ କରିବାର ସୁଯୋଗ ମିଳିଲେ ମୁଁ କୃତଜ୍ଞ ହେବି”, କହନ୍ତି ସ୍ୱାତୀ।
“ସିଭିଲ ସର୍ଭିସ ଆଶାୟୀମାନେ କେବେ ହେଲେ ନିରାଶ ହୁଅନ୍ତୁନି”
ଯେଉଁ ଛାତ୍ରଛାତ୍ରୀ ବା ପ୍ରାର୍ଥୀମାନେ କୌଣସି ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ସେମାନେ କେବେ ଭାବନ୍ତୁନି ଯେ ପ୍ରଥମ ଚେଷ୍ଟାରେ ସଫଳ ହୋଇଯିବେ। ଯେଉଁ ଯାଏଁ ସଫଳତା ମିଳିନି ସେ ଯାଏଁ କଠିନ ପରିଶ୍ରମ କରନ୍ତୁ। ଦୃଢ଼ ମନୋବଳ ରଖନ୍ତୁ। ଆଜି ନହେଲେ କାଲି ଆପଣ ସଫଳତା ପାଇବେ ବୋଲି କହନ୍ତି ସ୍ୱାତୀ ସ୍ନିଗ୍ଧା ସୁଆର।
Tags: #OAS #OASResult2023 #SwatiSnigdhaSuar #OdishaAdministrativeService