ଓଡ଼ିଶାଲାଇଭ୍ ବ୍ୟୁରୋ

ଖୋଲିବ ଶ୍ରୀମନ୍ଦିରର ରତ୍ନଭଣ୍ଡାର। ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ପରେ ରାଜ୍ୟ ସରକାରଙ୍କୁ ସୁପାରିସ କରାଯାଇଛି। ଏହାପୂର୍ବରୁ ଏଏସଆଇ ଦ୍ୱାରା ରତ୍ନଭଣ୍ଡାରର ଯାଞ୍ଚ କରାଯିବ। ଏନେଇ ଶୁକ୍ରବାର ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ୨୦୨୪ ରଥଯାତ୍ରା ସମୟରେ ପ୍ରଥମେ ଏଏସଆଇ ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ କରିବ। ଏଥିରେ ରତ୍ନଭଣ୍ଡାର ଭିତର କୋଠରିର ଲେଜର ସ୍କାନିଂ ଦ୍ୱାରା ଯାଞ୍ଚ କରାଯିବ। ଏହାସହ ରତ୍ନାଭଣ୍ଡାର ଖୋଲିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯିବ।

ରତ୍ନଭଣ୍ଡାରର ଯାଞ୍ଚ ପାଇଁ ଏକ କମିଟି ଗଠନ ଲାଗି ପ୍ରସ୍ତାବ ଦିଆଯାଇଛି। ଏଥିରେ ଏଏସଆଇ ଅଧିକାରୀଙ୍କ ସହ ପରିଚାଳନା କମିଟି ସଦସ୍ୟ, ଶ୍ରୀମନ୍ଦିରର ବରିଷ୍ଠ ଯନ୍ତ୍ରୀ ଏବଂ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ରହିବେ। ଏହି କମିଟି ସଦସ୍ୟଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲାଯିବ।

ସେହିପରି ୨୦୨୪ ରଥଯାତ୍ରା ସମୟରେ ମହାପ୍ରଭୁ ଶ୍ରୀମନ୍ଦିର ମଧ୍ୟରେ ରହୁନଥିବାବେଳେ ରତ୍ନଭଣ୍ଡାର ଖୋଲାଯିବ। ଏଥିରେ କିଛି ସମସ୍ୟା ହେବନି ବୋଲି ପରିଚାଳନା କମିଟି ବୈଠକରେ କୁହାଯାଇଛି। ଯାଞ୍ଚ ସରିବାପରେ ରତ୍ନଭଣ୍ଡାର କମିଟି ପରବର୍ତ୍ତୀ ପରିଚାଳନା କମିଟି ବୈଠକରେ ରିପୋର୍ଟ ଉପସ୍ଥାପନ କରିବେ।

ଦୀର୍ଘ ଦିନ ହେବ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବା ନେଇ ବିଭିନ୍ନ ମହଲରେ ଦାବି ଉଠିଆସୁଛି। ବିଭିନ୍ନ ସଙ୍ଗଠନ ସମେତ ଜଗନ୍ନାଥପ୍ରେମୀ ମଧ୍ୟ ରତ୍ନଭଣ୍ଡାର ଖୋଲିବାକୁ ଦାବି କରିଥିଲେ। ରତ୍ନଭଣ୍ଡାର ଖୋଲିବା ମାମଲାରେ ଏବେ ଓଡ଼ିଶା ହାଇକୋର୍ଟରେ ଶୁଣାଣି ଜାରି ରହିଛି।

ଶୁକ୍ରବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ପୁରୀ ଏସପି କୁଅଁର ବିଶାଲ ସିଂହ, ପରିଚାଳନା କମିଟି ସଦସ୍ୟ ମାଧବ ଚନ୍ଦ୍ର ପୂଜାପଣ୍ଡା ଏବଂ ଅନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ।

Tags: #SrimandirManagingCommitteMeeting #RatnaBhandar #ASISurvey #Srimandir #Puri

Comment