ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ ଶୁକ୍ରବାର ରାତି ୧୨ଟା ବେଳେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଥିଲେ। ତାଙ୍କୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ଦଳର ଅନ୍ୟ ବରିଷ୍ଠ ନେତାମାନେ ସ୍ଵାଗତ କରିଥିଲେ। ସେ ଶନିବାର ଲୋକସେବା ଭବନରେ ରାଜ୍ୟ ସରକାରଙ୍କ ସହ ବିଭିନ୍ନ ବିଷୟରେ ଗୁରୁତ୍ଵପୂର୍ଣ୍ଣ ବୈଠକ କରିବେ।

ଅମିତ ଶାହଙ୍କୁ ସ୍ଵାଗତ କରିବା ପାଇଁ ବିମାନ ବନ୍ଦର ବାହାରେ ଶତାଧିକ ବିଜେପି କର୍ମୀ ଅପେକ୍ଷା କରିଥିଲେ। ଅମିତ ଶାହ ସେମାନଙ୍କ ଗହଣକୁ ଯାଇ ଦେଖାକରିବା ସହ ହାତ ହଲାଇ ଅଭିବାଦନ ଜଣାଇଥିଲେ। ଏହାପରେ ସେ ହୋଟେଲ ମେ ଫେୟାର ଯାଇ ସେଠାରେ ରାତିରେ ରହିଥିଲେ।

ଶନିବାର ଅମିତ ଶାହ ରାଜ୍ୟରେ ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ଏଥିରେ କେନ୍ଦ୍ରାପଡ଼ା, ଯାଜପୁର ଓ କଳାହାଣ୍ଡି ଜିଲ୍ଲାରେ ଜାତୀୟ ରାଜପଥ ପ୍ରକଳ୍ପ ସାମିଲ ଅଛି।

ଏହାପରେ ଗୃହମନ୍ତ୍ରୀ ଓଡ଼ିଶା ଲୋକସେବା ଭବନରେ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନାକୁ ନେଇ ବୈଠକ କରିବେ। ଏଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହିବେ। ବୈଠକରେ ରାଜ୍ୟରେ ମାଓ ମୁକାବିଲାକୁ ନେଇ ମଧ୍ୟ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି।

ଅପରାହ୍ଣରେ ଅମିତ ଶାହ ରାଜ୍ୟ ବିଜେପି ମୁଖ୍ୟାଳୟରେ ଦଳୀୟ ପଦାଧିକାରୀ ଏବଂ ନୂଆ ଟିମ ସହ ବୈଠକ କରିବେ। ଏଠାରେ ୨୦୨୪ ନିର୍ବାଚନର ରଣନୀତି ବାବଦରେ ଚର୍ଚ୍ଚା କରାଯିବ। ଏହାପରେ ଭୁବନେଶ୍ୱରରେ ସବୁ ବୈଠକ ସାରି ସନ୍ଧ୍ୟାବେଳେ ଦିଲ୍ଲୀ ଫେରିଯିବେ ଅମିତ ଶାହ।

Tags: #AmitShah #OdishaVisit #CentralHomeMinister #Bhubaneswar

 

Comment