ଓଡ଼ିଶାଲାଇଭ୍ ବ୍ୟୁରୋ

ଜବତ ହୋଇଥିବା ଗଞ୍ଜେଇକୁ ପୋଲିସ ବିକ୍ରି କରୁଥିବା ଅଭିଯୋଗ କରି ଶନିବାର ଦିନ ଫିରିଙ୍ଗିଆ ଥାନାରେ ନିଆଁ ଲଗାଇଲେ ଉତ୍ତ୍ୟକ୍ତ ଲୋକେ। ଏଥିରେ ସମ୍ପୃକ୍ତି ଅଭିଯୋଗରେ ଫିରିଙ୍ଗିଆ ଥାନା ଆଇଆଇସି ଏବଂ ତାଙ୍କ ସହଯୋଗୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଏହି କାଣ୍ଡ ଘଟିଥିବା କୁହାଯାଉଛି।

ଉତ୍ତ୍ୟକ୍ତ ଜନତା ଫିରିଙ୍ଗିଆ ଥାନା ପରିସରରେ ଭଙ୍ଗାରୁଜା କରିବା ସହ ଥାନାରେ ନିଆଁ ଲଗାଇ ଦେଇଥିଲେ। ଥାନା ପରିସରରେ ଥିବା ଗାଡ଼ି ଏବଂ ଗଞ୍ଜେଇ ଭର୍ତ୍ତି ବସ୍ତା ମଧ୍ୟ ଜଳି ଦେଇଥିଲେ। ଘଟଣାସ୍ଥଳରୁ ଥାନା ଆଇଆଇସି କେଉଁଆଡ଼େ ଚାଲିଯାଇଛନ୍ତି।

ଗତ ୩ ତାରିଖ ରାତିରେ ପୋଲିସ ଗାଡ଼ିରେ ଗଞ୍ଜେଇ ଭର୍ତ୍ତି ହୋଇ ବୁଢ଼ାକାମ୍ବା ଗାଁକୁ ଯିବା ସମୟରେ ଫିରିଙ୍ଗିଆ ସରପଞ୍ଚଙ୍କ ସମେତ ଗ୍ରାମବାସୀ ଅଟକାଇଥିଲେ। ପରେ ଏକ ଭିଡିଓ ଉତ୍ତୋଳନ କରି କନ୍ଧମାଳ ଏସପିଙ୍କ ନିକଟକୁ ପଠାଇଥିଲେ। ଜବତ ହେଉଥିବା ଗଞ୍ଜେଇକୁ ପୋଲିସ ବିକ୍ରି କରୁଥିବା ଅଭିଯୋଗ କରିବାର ସହ ଫିରିଙ୍ଗିଆ ଥାନାର ଆଇଆଇସି ଏବଂ ଅନ୍ୟ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଥିଲେ।

ବର୍ତ୍ତମାନ ସୁଦ୍ଧା ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଶନିବାର ଦିନ ଫିରିଙ୍ଗିଆ ଅଞ୍ଚଳବାସୀ ବ୍ଲକ ଛକରେ ବାଉଁଶ ବାନ୍ଧି ରାସ୍ତା ରୋକ କରି ପ୍ରତିବାଦ କରିଥିଲେ। ପୋଲିସ ଆସି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବାକୁ ପହଞ୍ଚିଥିବାବେଳେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ଆରମ୍ଭ ହୋଇଥିଲା। ଏହା ପରେ ଉତ୍ତ୍ୟକ୍ତ ଲୋକେ ଥାନା ଭିତରେ ପଶି ଭଙ୍ଗା ରୁଜା କରିବା ସହ ଥାନାରେ ନିଆଁ ଲଗାଇ ଦେଇଥିଲେ।

Tags: #Phulbani #PhiringiaPoliceStation

Comment