ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ। ସୋମବାର ଏମ୍ସର ଏଣ୍ଡୋସ୍କୋପି ବିଭାଗରେ ନିଆଁ ଲାଗିଯାଇଥିଲା। ଏବେ ନିଆଁକୁ ଆୟତ୍ତ କରାଯାଇଛି। ଦମକଳ ବିଭାଗର ୮ଟି ଗାଡ଼ି ନିଆଁ ଲିଭାଇଥିଲେ। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି। ଏନେଇ ଦିଲ୍ଲୀ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ସୋମବାର ଦିନ ୧୨ଟା ବେଳେ ଦିଲ୍ଲୀ ଏମ୍ସର କର୍ମଚାରୀମାନେ ଏମର୍ଜେନ୍ସି ୱାର୍ଡ ପାଖରେ ଥିବା ଏଣ୍ଡୋସ୍କୋପି ବିଭାଗରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ। ନିଆଁ ଦ୍ୱାରା ହସ୍ପିଟାଲର ଫାୟାର ଆଲାର୍ମ ବାଜି ଉଠିଥିଲା। ଏହାପରେ କର୍ମଚାରୀମାନେ ଦମକଳ ବିଭାଗକୁ ସୂଚନା ଦେଇଥିଲେ।

ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିବା ପରେ ଏମ୍ସରେ ଆତଙ୍କ ଖେଳି ଯାଇଥିଲା। ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ବାହାରକୁ ଧାଇଁବାକୁ ଲାଗିଥିଲେ। ଏହାପରେ ଏମର୍ଜେନ୍ସି ୱାର୍ଡରେ ଥିବା ସବୁ ରୋଗୀଙ୍କୁ ସୁରକ୍ଷିତ ଭାବେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା।

ଏମ୍ସରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ଦମକଳ ବିଭାଗର ୮ଟି ଗାଡ଼ି ମୁତୟନ କରାଯାଇଥିଲା। ନିଆଁ ଲାଗିଥିବା ସ୍ଥାନରେ ଉଭୟ ଭିତରୁ ଓ ବାହାରୁ ପାଣି ପକାଯାଇଥିଲା। ପ୍ରାୟ ଦେଢ଼ ଘଣ୍ଟାପରେ ନିଆଁ ଲିଭିଥିଲା।

Tags: #AIIMSDelhi #FireIncident #Patients #HealthCareService #NewDelhi

Comment