ଓଡ଼ିଶାଲାଇଭ୍ ବ୍ୟୁରୋ

ସାଂସଦ ପଦ ଫେରି ପାଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ମୋଦୀ ସରନେମ ମାମଲାରେ ସୁପ୍ରିମକୋର୍ଟ ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇବାପରେ ସେ ନିଜ ଲୋକସଭା ସଦସ୍ୟତା ଫେରିପାଇଛନ୍ତି। ଏନେଇ ସୋମବାର ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୁପ୍ରିମକୋର୍ଟଙ୍କ ରହିତାଦେଶ ଜାରି କରିବାର ୩ ଦିନ ପରେ ରାହୁଲ ଲୋକସଭା ସଦସ୍ୟତା ଫେରି ପାଇଛନ୍ତି। ଗତ ଅଗଷ୍ଟ ୪ ତାରିଖରେ ସୁପ୍ରିମକୋର୍ଟ ମୋଦୀ ସରନେମ ମାମଲାରେ ସୁରଟ ସେସନ୍ସ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦେଇଥିବା ଦୁଇ ବର୍ଷର ଦଣ୍ଡାଦେଶକୁ ରୋକ ଲଗାଇଥିଲେ।

ସୁପ୍ରିମକୋର୍ଟ ନିଜ ରାୟରେ କହିଥିଲେ, “ମୋଦୀ ସରନେମ ମାମଲାରେ ସୁରଟ ସେସନ୍ସ କୋର୍ଟ ରାହୁଲଙ୍କୁ ସର୍ବାଧିକ ଦଣ୍ଡାଦେଶ ଶୁଣାଇଛନ୍ତି। ୨ ବର୍ଷର ଦଣ୍ଡାଦେଶରୁ ଯଦି ଗୋଟିଏ ଦିନ କମ୍‌ ହୋଇଥାନ୍ତା ସେ ଅଯୋଗ୍ୟ ଘୋଷିତ ହୋଇ ନଥାନ୍ତେ। ସୁରଟ କୋର୍ଟ ଏଠାରେ ସର୍ବାଧିକ ଦଣ୍ଡାଦେଶ ଦିଆଯିବାର କାରଣ ମଧ୍ୟ ଦର୍ଶାଇ ନାହାନ୍ତି। ତେଣୁ ଚୂଡ଼ାନ୍ତ ବିଚାର ହେବା ଯାଏଁ ଏହି ଦଣ୍ଡାଦେଶ ଉପରେ ରହିତାଦେଶ ଜାରି ରହିବ।”

ସୁପ୍ରିମକୋର୍ଟରେ ଜଷ୍ଟିସ ବି ଆର୍‌ ଗୱାଇ, ଜଷ୍ଟିସ ପି ଏସ୍‌ ନରସିମହା ଓ ଜଷ୍ଟିସ ସଞ୍ଜୟ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ରାହୁଲ ଗାନ୍ଧୀଙ୍କ ଆବେଦନର ଶୁଣାଣି କରିଥିଲେ।

ଲୋକସଭା ସଦସ୍ୟତା ଫେରି ପାଇବାପରେ ରାହୁଲ ଗାନ୍ଧୀ ସୋମବାରଠାରୁ ଲୋକସଭାରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି। ସେ ଆଗକୁ କେନ୍ଦ୍ର ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନାରେ ଭାଗ ନେବେ।

୨୦୧୯ ଲୋକସଭା ନିର୍ବାଚନ ସମୟରେ କର୍ଣ୍ଣାଟକରେ ହୋଇଥିବା ଏକ ରାଲିରେ ‘ମୋଦୀ’ ସରନେମକୁ ନେଇ ରାହୁଲ ଗାନ୍ଧୀ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ଗୁଜରାଟର ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ ରାହୁଲଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ରୁଜୁ କରିଥିଲେ।

ଏହି ମାମଲାରେ ଚାରି ବର୍ଷ ପରେ ଗତ ମାର୍ଚ୍ଚ ୨୩ ତାରିଖରେ ସୁରଟ ସେସନ୍ସ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷର ଜେଲ ଦଣ୍ଡାଦେଶ ଦେଇଥିଲେ। ରାହୁଲଙ୍କ ବିରୋଧରେ ରାୟ ଆସିବାପରେ ମାର୍ଚ୍ଚ ୨୪ ତାରିଖରେ ତାଙ୍କ ସାଂସଦ ପଦ ରଦ୍ଦ ହୋଇଥିଲା।

ରାହୁଲ ନିଜ ବିରୋଧରେ ହୋଇଥିବା ରାୟକୁ ନେଇ ଗୁଜରାଟ ହାଇକୋର୍ଟରେ ଆବେଦନ କରିଥିଲେ ମଧ୍ୟ ଏହା ଖାରଜ ହୋଇଥିଲା। ଏହାପରେ ସେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ।

Tags: #RahulGandhi #Politics #SupremeCourt #ModiSurnameCase #IndianPolitics

 

LEAVE A REPLY

Please enter your comment!
Please enter your name here