ଓଡ଼ିଶାଲାଇଭ୍ ବ୍ୟୁରୋ

ସରକାରୀ ବାସଭବନକୁ ଫେରି ପାଇଲେ ରାହୁଲ ଗାନ୍ଧୀ। ଲୋକସଭା ସଦସ୍ୟତା ଫେରି ପାଇବା ପରେ ରାହୁଲଙ୍କୁ ମଙ୍ଗଳବାର କେନ୍ଦ୍ରୀୟ ଦିଲ୍ଲୀ ସ୍ଥିତ ସରକାରୀ ବଙ୍ଗଳା ପୁଣି ମିଳିଛି। ମୋଦୀ ସରନେମ ମାମଲାରେ ସୁପ୍ରିମକୋର୍ଟ ରାହୁଲଙ୍କ ଦଣ୍ଡାଦେଶକୁ ରୋକ ଲଗାଇବା ପରେ ସେ ନିଜ ଲୋକସଭା ସଦସ୍ୟତା ଫେରି ପାଇଥିଲେ।

ରାହୁଲ ନିଜ ସଦସ୍ୟତା ପାଇବା ପରେ ଲୋକସଭା ହାଉସିଂ କମିଟି ଦ୍ଵାରା ମଙ୍ଗଳବାର ତାଙ୍କୁ ସରକାରୀ ବାସଭବନ ଦିଆଯାଇଛି। ବଙ୍ଗଳା ମିଳିବା ପରେ ସାମ୍ବାଦିକମାନଙ୍କୁ ସାକ୍ଷାତ ଦେଇ ‘ସମଗ୍ର ଭାରତ ମୋର ଘର’ ବୋଲି କହିଛନ୍ତି ରାହୁଲ।

ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ହେବାପରେ ଲୋକସଭା ହାଉସିଂ କମିଟି ତାଙ୍କୁ ଚଳିତବର୍ଷ ଏପ୍ରିଲ ୨୨ ତାରିଖ ସୁଦ୍ଧା ବଙ୍ଗଳା ଛାଡ଼ିବାପାଇଁ ନୋଟିସ୍‌ ଦେଇଥିଲେ। ଏହାପରେ ରାହୁଲ ନିଜର ସବୁ ଜିନିଷପତ୍ର ନେଇ ବଙ୍ଗଳା ଛାଡ଼ିଥିଲେ।

୨୦୦୪ ମସିହାରୁ ରାହୁଲ ଗାନ୍ଧୀ ଦିଲ୍ଲୀର ୧୨ ତୁଗଲକ ଲେନ୍‌ ସରକାରୀ ବଙ୍ଗଳାରେ ରହି ଆସୁଥିଲେ। ଏହି ବଙ୍ଗଳା ଛାଡ଼ିବାପରେ ସେ ନିଜ ମା’ ସୋନିଆ ଗାନ୍ଧୀଙ୍କ ୧୦ ଜନପଥସ୍ଥିତ ବାସଭବନରେ ରହିଥିଲେ।

ମୋଦୀ ସରନେମ ମାମଲାରେ ସୁରଟ ସେସନ୍ସ କୋର୍ଟ ଗତ ମାର୍ଚ୍ଚ ମାସରେ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷର ଜେଲ ଦଣ୍ଡାଦେଶ ଦେଇଥିଲେ। ରାହୁଲଙ୍କ ବିରୋଧରେ ରାୟ ଆସିବାପରେ ମାର୍ଚ୍ଚ ୨୪ ତାରିଖରେ ତାଙ୍କ ସାଂସଦ ପଦ ରଦ୍ଦ ହୋଇଥିଲା।

ରାହୁଲ ନିଜ ବିରୋଧରେ ହୋଇଥିବା ରାୟକୁ ନେଇ ଗୁଜରାଟ ହାଇକୋର୍ଟରେ ଆବେଦନ କରିଥିଲେ ମଧ୍ୟ ଏହା ଖାରଜ ହୋଇଥିଲା। ଏହାପରେ ସୁପ୍ରିମକୋର୍ଟ ତାଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇଥିଲେ।

Tags: #RahulGandhi #Politics #SupremeCourt #ModiSurnameCase #IndianPolitics

 

Comment