ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଏଏସଓ ଚୟନ ପ୍ରକ୍ରିୟା ଉପରେ ରୋକ ଲଗାଇଛନ୍ତି ଓଡ଼ିଶା ହାଇକୋର୍ଟ। ଏହି ପରୀକ୍ଷାର ନୂଆ ମେରିଟ ଲିଷ୍ଟ ବାହାର କରିବା ସହ ଚୟନ ପ୍ରକ୍ରିୟାର ଅଗ୍ରଗତି ଉପରେ ବୁଧବାର ରହିତାଦେଶ ଲାଗିଛି। ଏହି ମାମଲାରେ ଜବାବ ଦାଖଲ ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)କୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ।

ଓଡ଼ିଶା ହାଇକୋର୍ଟ ଏଏସଓ ପରୀକ୍ଷା ଅନିୟମିତତା ମାମଲାରେ ପୂର୍ବରୁ ଜଣିକିଆ ବିଚାରପତିଙ୍କ ଖଣ୍ଡପୀଠ ଦେଇଥିବା ରାୟକୁ ରୋକ ଲଗାଇଛନ୍ତି। ଏବେ ସେପ୍ଟେମ୍ବର ୨୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଏଏସଓ ମାମଲାରେ ହାଇକୋର୍ଟର ଜଣିକିଆ ବିଚାରପତିଙ୍କ ଖଣ୍ଡପୀଠର ରାୟ ଆସିଥିଲା। ଏହାକୁ ବିରୋଧ କରି କେତେକ ପ୍ରାର୍ଥୀ ପୁଣି ହାଇକୋର୍ଟରେ ଆବେଦନ କରିଥିଲେ। ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତଲାପାତ୍ର ଓ ଜଷ୍ଟିସ ସାବିତ୍ରୀ ରଥ ଆବେଦନର ଶୁଣାଣି କରି ପୂର୍ବ ରାୟ ଉପରେ ରୋକ ଲଗାଇଛନ୍ତି।

ଓଡ଼ିଶା ହାଇକୋର୍ଟ ଗତ ମେ’ ୧୯ ତାରିଖରେ ଏଏସଓ ମାମଲାର ଶୁଣାଣି କରି ପ୍ରକାଶିତ ମେରିଟ୍ ଲିଷ୍ଟ ଖାରଜ କରିଥିଲେ। ଏହାସହ ପରୀକ୍ଷାର ମୋଟ ନମ୍ବର ଆଧାରରେ ନୂଆ ମେରିଟ ଲିଷ୍ଟ ବାହାର କରିବାକୁ ଓପିଏସସିକୁ ନିର୍ଦେଶ ଦେଇଥିଲେ। ବିଷୟଭିତ୍ତିକ ସର୍ବନିମ୍ନ ମାର୍କ ନିୟମ ଲାଗୁ କରାଯିବା ଏଏସଓ ନିଯୁକ୍ତି ନିୟମ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ ଦର୍ଶାଇଥିଲେ।

ଏହି ରାୟ ଆସିବା ପରେ ପ୍ରଥମ ମେରିଟ ଲିଷ୍ଟରେ ଚୟନ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଏହାକୁ ନେଇ କିଛି ପ୍ରାର୍ଥୀ ରାୟ ଉପରେ ପୁନର୍ବିଚାର କରିବା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ। ଯାହାର ଶୁଣାଣି କରି ହାଇକୋର୍ଟ ଏଗୁଡ଼ିକୁ ଖାରଜ କରି ନିଜର ପୂର୍ବ ରାୟକୁ କାଏମ ରଖିଥିଲେ।

Tags: #ASOExam #OdishaHighcourt #Examination #Employment #OPSC

 

LEAVE A REPLY

Please enter your comment!
Please enter your name here