ଓଡ଼ିଶାଲାଇଭ୍ ବ୍ୟୁରୋ

ସବୁ ବାଦ ବିବାଦ ଉପରେ ପୂର୍ଣ୍ଣଚ୍ଛେଦ ପଡ଼ି ଅନୁଷ୍ଠିତ ହେଲା ବଡ଼ଠାକୁରଙ୍କ ବନକଲାଗି ନୀତି। ଦୀର୍ଘ ଦେଢ଼ମାସ ପରେ ବୁଧବାର ଦିନ ମହୁପ୍ରଭୁଙ୍କର ହେଲା ଶ୍ରୀମୁଖ ଶିଙ୍ଗାର। ଚମକିଲା ମଳିନ ପଡ଼ିଯାଇଥିବା ଦାରୁବିଗ୍ରହଙ୍କ ମୁଖମଣ୍ଡଳ।

ବଡ଼ଠାକୁରଙ୍କ ବନକଲାଗି ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ବୁଧବାର ଦିନ ଜୟ ବିଜୟ ଦ୍ଵାର ବନ୍ଦ କରାଯାଇ ଏହି ନୀତି ସମ୍ପନ୍ନ କରାଯାଇଥିଲା। ଦ୍ଵିପ୍ରହର ଧୂପ ସାରି ସନ୍ଧ୍ୟା ୫ଟା ୨୦ ମିନିଟରେ ପହଡ଼ ଆଳତି କରାଯାଇଥିଲା। ଏହା ପରେ ସନ୍ଧ୍ୟା ୫ଟା ୪୫ ମିନିଟରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶିଙ୍ଗାର କରିବା ଲାଗି ପ୍ରବେଶ କରିଥିଲେ।

ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧନରେ ଦାରୁ ବିଗ୍ରହଙ୍କ ଶ୍ରୀମୁଖ ଶିଙ୍ଗାରକୁ ବନଲାଗି କୁହାଯାଏ। ଏଥିପାଇଁ ଦତ୍ତମହାପାତ୍ର ସେବାୟତମାନେ ଶୁଦ୍ଧପୁତ ଭାବେ ପ୍ରସାଧନ ପ୍ରସ୍ତୁତ କରିଥାନ୍ତି। ବନକଲାଗି ନୀତି ପରେ ମହାସ୍ନାନ ହୋଇ ଅନ୍ୟାନ୍ୟ ନୀତି ସମ୍ପାଦନ କରାଯାଇଥାଏ।

ନୀଳାଦ୍ରି ବିଜେ ପରଠାରୁ ମହାପ୍ରଭୁଙ୍କ ବନକ ଲାଗି ନୀତି ହୋଇପାରି ନଥିଲା। ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତମହାପାତ୍ର ସେବାୟତ ନିଜ ଜିଦରେ ଅଟଳ ରହିବାରୁ ବନକଲାଗି ନୀତି ହୋଇପାରୁନଥିଲା। ମହାପ୍ରଭୁଙ୍କର ବନକଲାଗି ନୀତି ବୁଧବାର ହେବ ନା ଗୁରୁବାର ଦିନ ହେବ ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା।

ଶେଷରେ ବୁଧବାର ଦିନ ବଡ଼ଠାକୁରଙ୍କର ଶ୍ରୀମୁଖ ଶିଙ୍ଗାର କରାଯିବାକୁ ନିଷ୍ପତ୍ତି ହୋଇଥିଲା। ବନକଲାଗି ନୀତି ହୋଇନଥିବାରୁ ମହାପ୍ରଭୁଙ୍କର ମୁଖ ମଳିନ ଦିଶୁଥିବା ଭକ୍ତମାନେ ଅଭିଯୋଗ କରିଥିଲେ।

Tags: #SriJagannath #SriMandiraPuri #BanakalagiNiti #Culture #Tradition

Comment