ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ବିବୃତି ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗୁରୁବାର ଏହି ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନିଜ ମତ ରଖି ବିରୋଧୀମାନଙ୍କୁ ସମାଲୋଚନା କରିଛନ୍ତି। ଅନାସ୍ଥା ବିତର୍କରେ ସେ ବିରୋଧୀମାନଙ୍କ ଅଭିଯୋଗର କଡ଼ା ଜବାବ ଦେଇଛନ୍ତି।

“ଭାରତର ଜନସାଧାରଣ ବାରମ୍ବାର ଆମ ପ୍ରତି ବିଶ୍ୱାସ ଦେଖାଇଛନ୍ତି। ଏଥିପାଇଁ ଦେଶର ଲୋକଙ୍କ ପ୍ରତି ମୁଁ କୃତଜ୍ଞ। ବିରୋଧୀ ଦଳ ଯେତେବେଳେ ବି ଅନାସ୍ଥା ପ୍ରସ୍ତାବ ଆଣନ୍ତି, ତାହା ଆମ ସରକାର ପାଇଁ ଶୁଭ ହୋଇଥାଏ। ବିରୋଧୀମାନେ ସବୁବେଳେ ଦେଶ ସ୍ଵାର୍ଥ ଅପେକ୍ଷା ଦଳୀୟ ସ୍ଵାର୍ଥକୁ ଗୁରୁତ୍ଵ ଦେଇଆସିଛନ୍ତି। ଏଥର ମଧ୍ୟ ନିଜ ସ୍ଵାର୍ଥ ପାଇଁ ସେମାନେ ଏହି ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି”, କହିଛନ୍ତି ନରେନ୍ଦ୍ର ମୋଦୀ।

ସେ ଆହୁରି ମଧ୍ୟ କହିଛନ୍ତି, “ଏହି ଅନାସ୍ଥା ପ୍ରସ୍ତାବ ଗୃହରେ ଆମର ପରୀକ୍ଷା କରିବ ନାହିଁ ବରଂ ଏହା ବିରୋଧୀଙ୍କର ଏକତାର ପରୀକ୍ଷା କରିବ। ପୂର୍ବରୁ ଯେତେଥର ଅନାସ୍ଥା ପ୍ରସ୍ତାବ ଆସିଛି ସେତେବେଳେ ବିରୋଧୀଙ୍କ ପାଖରେ ଯେତିକି ଭୋଟ୍ ଥିଲା, ସେତିକି ବି ସେମାନେ ଜମା କରିପାରିନଥିଲେ। ଅନାସ୍ଥା ପ୍ରସ୍ତାବ ସବୁବେଳେ ଏନଡିଏକୁ ମଜବୁତ କରିଛି।

ଲୋକସଭାରେ ପ୍ରଧାନମନ୍ତ୍ରୀ ନିଜ ପ୍ରତି ହୋଇଥିବା କଟାକ୍ଷଗୁଡ଼ିକୁ ନେଇ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ। ବିରୋଧୀମାନେ ଦେଶର ଛବିକୁ ଖରାପ କରୁଥିବା ପ୍ରଧାନମନ୍ତ୍ରୀ ନିଜ ବକ୍ତବ୍ୟରେ ଅଭିଯୋଗ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ, “ବିରୋଧୀମାନେ ଦେଶରେ ହେଉଥିବା ଉନ୍ନତିମୂଳକ କାମକୁ ସବୁବେଳେ ବିରୋଧ କରିଛନ୍ତି। ଦେଶର ବିଭିନ୍ନ ସଂସ୍ଥା ବିଷୟରେ ମିଛ କଥା କହିଛନ୍ତି। ଦେଶର ବ୍ୟାଙ୍କିଂ, ହାଲ ଓ ଏଲଆଇସି ଭଳି ସଂସ୍ଥାଗୁଡ଼ିକ ବିଷୟରେ ମିଛ ଖବର ପ୍ରଘଟ କରୁଛନ୍ତି। ବିଦେଶରେ ଭାରତର ଛବିକୁ ଖରାପ କରିବାକୁ ଚେଷ୍ଟା କରୁଛନ୍ତି।”

ସେହିପରି ମଣିପୁର ପ୍ରସଙ୍ଗରେ ବିରୋଧୀମାନେ କେବଳ ରାଜନୀତି କରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ମଣିପୁର ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାର ସବୁ ପଦକ୍ଷେପ ନେଉଥିବା ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି, “ମୁଁ ମଣିପୁରର ଲୋକମାନଙ୍କୁ ବିଶ୍ଵାସ ଦେଇ କହୁଛି ଯେ ସେମାନଙ୍କ ପଛରେ ପୂରା ଦେଶ ଠିଆ ହୋଇଛି। ମଣିପୁରରେ ଶାନ୍ତି ଫେରାଇ ଆଣିବା ପାଇଁ ଆମେ ସବୁ ପଦକ୍ଷେପ ନେଉଛୁ। ମଣିପୁର ହିଂସାରେ ସାମିଲଥିବା ଲୋକମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ମୋର ବିଶ୍ଵାସ ମଣିପୁରରେ ପୁଣି ଶାନ୍ତି ଫେରି ଆସିବ।”

ଗୁରୁବାର ଏହି ଅନାସ୍ଥା ପ୍ରସ୍ତାବ ଉପରେ ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟବେଳେ କଂଗ୍ରେସ ସମେତ ଅନ୍ୟ କେତେକ ବିରୋଧୀଦଳ ଗୃହ ତ୍ୟାଗ କରିଥିଲେ। ୫୪୫ ଆସନ ବିଶିଷ୍ଟ ଲୋକସଭାରେ ସଂଖ୍ୟାବଳ କେନ୍ଦ୍ର ସରକାରଙ୍କ ସପକ୍ଷରେ ରହିଛି। କେନ୍ଦ୍ର ସରକାରଙ୍କ ପାଖରେ ୩୫୦ରୁ ଅଧିକ ସାଂସଦଙ୍କ ସମର୍ଥନ ଥିବାବେଳେ ଇ-ଣ୍ଡି-ଆ ମେଣ୍ଟ ପାଖରେ ପ୍ରାୟ ୧୫୦ ସାଂସଦଙ୍କ ସମର୍ଥନ ରହିଛି।

Tags: #Loksabha #NoConfidenceMotion #NarendraModi #Primeminister #ManipurViolence #Opposition

Comment