ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀରେ ଅନୁଷ୍ଠିତ ହେବାକୁ ଯାଉଛି ‘ଥାର୍ଡ ଆଇ ଫଟୋଗ୍ରାଫି ଫେଷ୍ଟିଭାଲ’। ପୁରୀ ସ୍ଥିତ ଲଳିତକଳା ଏକାଡେମୀ ପରିସରରେ ଅଗଷ୍ଟ ୧୪ ତାରିଖରୁ ୨୦ ତାରିଖ ଯାଏଁ ଏହି ଫଟୋଗ୍ରାଫି ଫେଷ୍ଟିଭାଲ ଚାଲିବ। ଅଗଷ୍ଟ ୧୯ରେ ବିଶ୍ଵ ଫଟୋଗ୍ରାଫି ଦିବସ ଉପଲକ୍ଷେ ଏହାର ଆୟୋଜନ କରାଯାଉଛି। କୋଲକାତାର ‘ଥାର୍ଡ ଆଇ ଫଟୋଗ୍ରାଫି’ ଗ୍ରୁପ ପକ୍ଷରୁ ଏହି ୭ ଦିନିଆ ପ୍ରଦର୍ଶନୀକୁ ଆୟୋଜନ କରାଯିବ।

ଏହି ଫଟୋଗ୍ରାଫି ଫେଷ୍ଟିଭାଲରେ ଅନେକ ସୁନ୍ଦର ଫଟୋଗୁଡ଼ିକର ପ୍ରଦର୍ଶନ କରାଯିବ। ଓଡ଼ିଶା ସମେତ ଭାରତର ବିଭିନ୍ନ ରାଜ୍ୟର କଳା, ସ୍ଥାପତ୍ୟ, ପ୍ରାକୃତିକ ସୌନ୍ଦର୍ଯ୍ୟ ଆଦି ବିଭିନ୍ନ କ୍ଷେତ୍ରର ଉତ୍କୃଷ୍ଟ ଫଟୋ ଏଠାରେ ପ୍ରଦର୍ଶିତ ହେବ। ଏହାସହ କୋଲକାତାର ପ୍ରସିଦ୍ଧ ଦୁର୍ଗାପୂଜାର ଐତିହ୍ୟକୁ ନେଇ ଏଠାରେ ବିଶେଷ ଫଟୋ ପ୍ରଦର୍ଶନୀ ଅନୁଷ୍ଠିତ ହେବ।

ଏହି ଫେଷ୍ଟିଭାଲରେ ନୃତ୍ୟ, ସଙ୍ଗୀତ ଏବଂ ସିନେମା ଜଗତର ଅନେକ ସେଲିବ୍ରେଟି, ସାହିତ୍ୟିକ, ଚିତ୍ରକାର, କଳାପ୍ରେମୀ, ଫଟୋଗ୍ରାଫର ତଥା ରାଜନେତାମାନେ ଯୋଗଦେବେ। ଫେଷ୍ଟିଭାଲକୁ ଆହୁରି ବ୍ୟାପକ କରିବା ପାଇଁ ଏଠାରେ ଫଟୋ ପ୍ରଦର୍ଶନୀ ସହ ଲାଇଟ ସୋ, ସାହିତ୍ୟ ସଭା, ଚିତ୍ରକଳା ପ୍ରତିଯୋଗିତା ସହ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଫାଇନ ଆର୍ଟ କ୍ଷେତ୍ରରେ ଫଟୋଗ୍ରାଫିର ମହତ୍ତ୍ଵ ବିଷୟରେ ଲୋକମାନଙ୍କୁ ସଚେତନ କରିବା ପାଇଁ ଏହି ଫେଷ୍ଟିଭାଲର ଆୟୋଜନ କରାଯାଉଛି।

“ଭାରତରେ ଅନେକ ଫିଲ୍ମ ଫେଷ୍ଟିଭାଲ, ନୃତ୍ୟ ତଥା ଅନ୍ୟାନ୍ୟ କଳାକୁ ନେଇ ବିଭିନ୍ନ ପ୍ରଦର୍ଶନୀ ହୋଇଆସୁଛି। ହେଲେ ଫଟୋଗ୍ରାଫି ଫେଷ୍ଟିଭାଲ ଭଳି ବଡ଼ ଫଟୋ ପ୍ରଦର୍ଶନୀ ଖୁବ କମ ଦେଖିବାକୁ ମିଳେ। ଫଟୋଗ୍ରାଫିର ପ୍ରଚାର ପ୍ରସାର କରିବା ପାଇଁ ଆମ ଗ୍ରୁପ ୩୬ ବର୍ଷ ଧରି ବିଭିନ୍ନ ପ୍ରଦର୍ଶନୀ କରିଆସୁଛି। ଆମେ ଭାରତରେ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଭଳି ବଡ଼ ବଡ଼ ସହରରେ ପୂର୍ବରୁ ଫଟୋଗ୍ରାଫି ଫେଷ୍ଟିଭାଲ ଆୟୋଜନ କରିଛୁ। ଓଡ଼ିଶାରେ ଫଟୋଗ୍ରାଫିକୁ ନେଇ ଏଭଳି ବଡ଼ ଫେଷ୍ଟିଭାଲ ପ୍ରଥମଥର ପାଇଁ ହେବାକୁ ଯାଉଛି”, କହିଛନ୍ତି ଥାର୍ଡ ଆଇ ଫଟୋଗ୍ରାଫି ଗ୍ରୁପର ନିର୍ଦେଶକ ଅତନୁ ପଲ।

ସେ ଆହୁରି ମଧ୍ୟ କହିଛନ୍ତି, “ଓଡ଼ିଶା ଏବଂ ଭାରତର ଅନ୍ୟ ରାଜ୍ୟର କଳା, ସ୍ଥାପତ୍ୟ, ପ୍ରାକୃତିକ ସୌନ୍ଦର୍ଯ୍ୟ ଅନେକଙ୍କୁ ଆକୃଷ୍ଟ କରିଥାଏ। ଆମେ ଏହି ଫେଷ୍ଟିଭାଲ ମାଧ୍ୟମରେ ସେ ସବୁର ଫଟୋକୁ ଲୋକଙ୍କ ଗହଣକୁ ନେଇ ଆସିବୁ। ଚିତ୍ରକଳା, ମୂର୍ତ୍ତିକଳା ଓ ଫଟୋଗ୍ରାଫି ହେଉଛି ଫାଇନ ଆର୍ଟ ବା ଲଳିତ କଳାର ୩ଟି ମୁଖ୍ୟ ଶାଖା। ଏଥିରୁ ଚିତ୍ରକଳା, ମୂର୍ତ୍ତିକଳା ହଜାର ହଜାର ବର୍ଷରୁ ହୋଇଆସୁଛି। ହେଲେ ଫଟୋଗ୍ରାଫିର ଇତିହାସ ମାତ୍ର ୧୮୪ ବର୍ଷ ପୁରୁଣା। ତେବେ ଏହାର ମହତ୍ତ୍ଵ ବିଷୟରେ ଲୋକମାନେ ଖୁବ ଅଳ୍ପ ଜାଣିଛନ୍ତି। ଏହି ଫେଷ୍ଟିଭାଲ ମାଧ୍ୟମରେ ଲୋକେ ଫଟୋଗ୍ରାଫି ବାବଦରେ ବହୁତ କିଛି ଜାଣିପାରିବେ ବୋଲି ମୋର ଆଶା।”

ଅଗଷ୍ଟ ୧୪ ତାରିଖରୁ ଆରମ୍ଭ ହେଉଥିବା ଏହି ଫଟୋଗ୍ରାଫି ଫେଷ୍ଟିଭାଲରେ ପ୍ରତିଦିନ ସକାଳ ୧୧ଟା ୩୦ରୁ ଅପରାହ୍ଣ ୫ଟା ଯାଏଁ ଫଟୋ ପ୍ରଦର୍ଶନୀ ହେବ। ଏହାପରେ ଅପରାହ୍ଣ ୫ଟାରୁ ସନ୍ଧ୍ୟା ୭ଟା ଯାଏଁ ‘କଲ୍ଚରାଲ୍ ଆଡ୍ଡା’ ନାମରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଠାରେ ଓଡ଼ିଶାର କଳା, ଅତୁଲ୍ୟ ଭାରତ ଓ ଫଟୋଗ୍ରାଫିର ଇତିହାସ ଉପରେ ‘ସ୍ଲାଇଡ୍ ସୋ’ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମର ପ୍ରଦର୍ଶନ କରାଯିବ।

“ବର୍ତ୍ତମାନ ସମୟରେ ଫଟୋଗ୍ରାଫି ଏକ ବଳିଷ୍ଠ ମାଧ୍ୟମ ପାଲଟିଛି। ଏହାକୁ ଆଧାର କରି ଆମେ ବିଭିନ୍ନ ପ୍ରକ୍ରିୟା ତଥା କାର୍ଯ୍ୟକୁ ସହଜରେ ଅନ୍ୟମାନଙ୍କୁ ଜଣାଇପାରୁଛୁ। ଓଡ଼ିଶାର କଳା ଓ ସଂସ୍କୃତିକୁ ପ୍ରାଧାନ୍ୟ ଦେଇ ପୁରୀରେ ପ୍ରଥମଥର ପାଇଁ ଏଭଳି ଏକ ଜାତୀୟ ସ୍ତରର ଫଟୋଗ୍ରାଫି ଫେଷ୍ଟିଭାଲର ଆୟୋଜନ ହେବାକୁ ଯାଉଛି। ଏଠାରେ ଓଡ଼ିଶା ଏବଂ ଦେଶର ବିଭିନ୍ନ କଳା, ସ୍ଥାପତ୍ୟ ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ଫଟୋ ପ୍ରଦର୍ଶିତ ହେବ”, କହିଛନ୍ତି କେନ୍ଦ୍ର ସାହିତ୍ୟ ଏକାଡେମୀର ପୂର୍ବତନ କାର୍ଯ୍ୟକ୍ରମ ଅଧିକାରୀ ତଥା ଫେଷ୍ଟିଭାଲର ଅଧ୍ୟକ୍ଷ ଡକ୍ଟର ମିହିର କୁମାର ସାହୁ।

ସେ ଆହୁରି ମଧ୍ୟ କହିଛନ୍ତି, “ଏହି ପ୍ରଦର୍ଶନୀରେ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଥିବା ସାଂସ୍କୃତିକ ସମନ୍ଵୟ ମଧ୍ୟରେ ଆଲୋଚନା କରାଯିବ। ଏହାସହ ଫଟୋଗ୍ରାଫିର ମହତ୍ତ୍ଵ ଓ ଏଥିରେ କ୍ୟାରିୟର କରିବାର ସୁଯୋଗ ବାବଦରେ ଲୋକେ ଏଠାରେ ଜାଣିବାକୁ ପାଇବେ।”

ଏହି ଥାର୍ଡ ଆଇ ଫଟୋଗ୍ରାଫି ଫେଷ୍ଟିଭାଲର ଉଦଘାଟନୀ କାର୍ଯ୍ୟକ୍ରମରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ, ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ ଏବଂ ଓଡ଼ିଶାଲାଇଭ୍’ର ମୁଖ୍ୟ ସମ୍ପାଦକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନୀଳାମ୍ବର ରଥ ଅତିଥି ଭାବେ ଯୋଗ ଦେବେ। ସେହିପରି ଫେଷ୍ଟିଭାଲର ଅନ୍ୟ ଦିବସଗୁଡ଼ିକରେ ବିଶିଷ୍ଟ ସାହିତ୍ୟିକ ଦେବୀ ପ୍ରସନ୍ନ ପଟ୍ଟନାୟକ, ବିଶିଷ୍ଟ ଚିତ୍ରକାର ରବି ନାରାୟଣ ରଥ, କବି ରାଜେନ୍ଦ୍ର କିଶୋରେ ପଣ୍ଡା, ଲେଖିକା ମନୋରମା ବିଶ୍ଵାଳ ମହାପାତ୍ର, ବରିଷ୍ଠ କଥାକାର ଦାଶ ବେନହୁର,ସମ୍ବିତ ପାତ୍ର, ସମୀର ମହାନ୍ତିଙ୍କ ଭଳି ରାଜନେତା ପ୍ରମୁଖ ଅତିଥି ଭାବେ ଯୋଗ ଦେବେ।

ଥାର୍ଡ ଆଇ ଫଟୋଗ୍ରାଫି ଗ୍ରୁପର ନିର୍ଦେଶକ ଅତନୁ ପଲଙ୍କ ସମେତ ଗ୍ରୁପର ୫୦ରୁ ଅଧିକ ସଦସ୍ୟ ଫେଷ୍ଟିଭାଲରେ ଯୋଗଦେବେ। ଏହି ପ୍ରଦର୍ଶନୀର ପ୍ରତିଦିନର କାର୍ଯ୍ୟକ୍ରମଗୁଡ଼ିକୁ ଡକ୍ଟର ମିହିର କୁମାର ସାହୁ ସଂଯୋଜନା ଏବଂ ପରିକଳ୍ପନା କରିଛନ୍ତି। ଓଡ଼ିଶାର ଅଗ୍ରଣୀ ଡିଜିଟାଲ୍‍ ମିଡିଆ ପ୍ଲାଟ୍‍ଫର୍ମ ‘ଓଡ଼ିଶାଲାଇଭ୍’ ଏହି ଥାର୍ଡ ଆଇ ଫଟୋଗ୍ରାଫି ଫେଷ୍ଟିଭାଲର ମିଡିଆ ପାର୍ଟନର ରହିଛି।

Tags: #ThirdEyePhotographyFestival #Photography #PhotoExabition #Finearts #Puri

 

Comment