ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀରେ ଆରମ୍ଭ ହୋଇଯାଇଛି ‘ଥାର୍ଡ ଆଇ ଫଟୋଗ୍ରାଫି ଫେଷ୍ଟିଭାଲ’। ସ୍ଥାନୀୟ ସଂସ୍କୃତି ଭବନ ପରିସରର ଲଳିତକଳା ଏକାଡେମୀ ଆର୍ଟ ଗ୍ୟାଲେରୀରେ ସୋମବାର ଦିନ ଏହି ଫଟୋଗ୍ରାଫି ମହୋତ୍ସବ ଉଦଘାଟିତ ହୋଇଛି। ଏହି ଫେଷ୍ଟିଭାଲରେ ଅନେକ ଉତ୍କୃଷ୍ଟ ଫଟୋ ପ୍ରଦର୍ଶନ କରାଯାଇଛି। ୭ ଦିନ ଧରି ହେବାକୁ ଥିବା ଏହି ପ୍ରଦର୍ଶନୀକୁ କୋଲକାତାର ‘ଥାର୍ଡ ଆଇ ଫଟୋଗ୍ରାଫି’ ଗ୍ରୁପ ପକ୍ଷରୁ ଆୟୋଜନ କରାଯାଉଛି।

ଫଟୋ ଫେଷ୍ଟିଭାଲର ପ୍ରଥମ ଦିନରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ, ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ ଏବଂ  ଓଡ଼ିଶାଲାଇଭ୍’ର ମୁଖ୍ୟ ସମ୍ପାଦକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନୀଳାମ୍ବର ରଥ ଅତିଥି ଭାବେ ଯୋଗଦେଇ ଏହାର ଉଦଘାଟନ କରିଥିଲେ। ଉଦଘାଟନୀ କାର୍ଯ୍ୟକ୍ରମରେ ଫେଷ୍ଟିଭାଲ କମିଟି ଅଧ୍ୟକ୍ଷ ଡକ୍ଟର ମିହିର କୁମାର ସାହୁ ଏହି ଫଟୋଗ୍ରାଫି ମହୋତ୍ସବ ଆଭିମୁଖ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ।  

ଥାର୍ଡ ଆଇ ଫଟୋଗ୍ରାଫି ଫେଷ୍ଟିଭାଲର ପ୍ରଥମ ଦିନର ଥିମ ରହିଥିଲା ‘ଚିତ୍ର ଚରିତ୍ରର’। ଏଠାରେ ଓଡ଼ିଶା ସମେତ ଭାରତର ବିଭିନ୍ନ ରାଜ୍ୟର କଳା, ସ୍ଥାପତ୍ୟ, ପ୍ରାକୃତିକ ସୌନ୍ଦର୍ଯ୍ୟର ଅନେକ ସୁନ୍ଦର ସୁନ୍ଦର ଫଟୋ ଗୁଡ଼ିକୁ ପ୍ରଦର୍ଶିତ କରାଯାଇଥିଲା। ଉଭୟ ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ସଂସ୍କୃତି ମଧ୍ୟରେ ଥିବା ସମନ୍ୱୟକୁ ଏଠାରେ ଆୟୋଜକମାନେ ଦର୍ଶାଇଥିଲେ।

“ଏଭଳି ଏକ ଫଟୋ ଫେଷ୍ଟିଭାଲ ପୁରୀରେ ହେବା ଆମ ପାଇଁ ବଡ଼ କଥା। ଓଡ଼ିଶାର ସଂସ୍କୃତି ଓ ପରମ୍ପରା ସହ ଅନ୍ୟ ରାଜ୍ୟର କୀର୍ତିରାଜିକୁ ଏଠାରେ ପ୍ରଦର୍ଶିତ କରାଯାଇଛି। ମୁଁ ରାଜ୍ୟ ସଂସ୍କୃତି ବିଭାଗର ସଚିବ ଥିବାବେଳେ ଏହି ଆର୍ଟ ଗ୍ୟାଲେରୀକୁ ପରିକଳ୍ପନା କରାଯାଇଥିଲା। ଏହାର ଉଦ୍ଦଶ୍ୟ ଆଜି ସଫଳ ହୋଇଛି। ବାହାର ରାଜ୍ୟର ଏକ ସଂଗଠନ ପକ୍ଷରୁ ଏଭଳି ଏକ ଫଟୋ ଫେଷ୍ଟିଭାଲ’ର ଆୟୋଜନ କରାଯାଇଛି। ଏହା ଆମ ରାଜ୍ୟର କଳା, ସାହିତ୍ୟ ଏବଂ ସଂସ୍କୃତିର ଆହୁରି ବିକାଶ କରିବ”, କହିଛନ୍ତି ରଞ୍ଜନ କୁମାର ଦାସ।

ସୋମବାରଠାରୁ ଆରମ୍ଭ ହୋଇଥିବା ଏହି ଫଟୋଗ୍ରାଫି ଫେଷ୍ଟିଭାଲ ଅଗଷ୍ଟ ୨୦ ତାରିଖ ଯାଏଁ ଚାଲିବ। ଏଠାରେ ପ୍ରତିଦିନ ସକାଳ ୧୧ଟା ୩୦ରୁ ସନ୍ଧ୍ୟା ୫ଟା ଯାଏଁ ଫଟୋ ପ୍ରଦର୍ଶନୀ ହେବ। ଏହାପରେ ସନ୍ଧ୍ୟା ୫ଟାରୁ ସନ୍ଧ୍ୟା ୭ଟା ଯାଏଁ ‘କଲ୍ଚରାଲ୍ ଆଡ୍ଡା’ ନାମରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଠାରେ ଓଡ଼ିଶାର କଳା, ଅତୁଲ୍ୟ ଭାରତ ଓ ଫଟୋଗ୍ରାଫିର ଇତିହାସ ଉପରେ ‘ସ୍ଲାଇଡ୍ ସୋ’ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମର ପ୍ରଦର୍ଶନ କରାଯିବ।

“ମୁଁ ଓଡ଼ିଶାର ବିଭିନ୍ନ ସ୍ଥାନ ବିଶେଷ କରି ପୁରୀକୁ ବହୁତ ବର୍ଷ ଧରି ଆସୁଛି। ଏଠାକାର କଳା, ସଂସ୍କୃତି ଏବଂ ଐତିହ୍ୟ ମତେ ସବୁବେଳେ ଆକର୍ଷିତ କରିଛି। ଆମ ଗ୍ରୁପ ଭାରତର ବିଭିନ୍ନ ସହରରେ ବିଭିନ୍ନ ଫଟୋ ପ୍ରଦର୍ଶନୀ କରିଆସିଛି। ତେବେ ପ୍ରଥମଥର ପାଇଁ ପୁରୀରେ ଏଭଳି ଏକ ଫଟୋଗ୍ରାଫି ଫେଷ୍ଟିଭାଲ ଆୟୋଜନ କରି ମତେ ବହୁତ ଖୁସି ଲାଗୁଛି। ଏଠାକାର କଳାପ୍ରେମୀମାନେ ଆମକୁ ବହୁତ ସମ୍ମାନ ଦେବା ସହ ଆମକୁ ଉତ୍ସାହିତ ମଧ୍ୟ କରିଛନ୍ତି। ଏହି ଫେଷ୍ଟିଭାଲ ମାଧ୍ୟମରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗର ସଂସ୍କୃତି ଆହୁରି ନିକଟତର ହେବ ବୋଲି ମୋର ଆଶା”,  କହନ୍ତି ଥାର୍ଡ ଆଇ ଫଟୋଗ୍ରାଫି ଗ୍ରୁପର ନିର୍ଦେଶକ ଅତନୁ ପଲ।

ଆଗକୁ ଏହି ଫେଷ୍ଟିଭାଲରେ ନୃତ୍ୟ, ସଙ୍ଗୀତ ଏବଂ ସିନେମା ଜଗତର ଅନେକ ସେଲିବ୍ରେଟି, ସାହିତ୍ୟିକ, ଚିତ୍ରକାର, କଳାପ୍ରେମୀ, ଫଟୋଗ୍ରାଫର ତଥା ରାଜନେତାମାନେ ଯୋଗଦେବେ। ଫେଷ୍ଟିଭାଲକୁ ଆହୁରି ବ୍ୟାପକ କରିବା ପାଇଁ ଏଠାରେ ଫଟୋ ପ୍ରଦର୍ଶନୀ ସହ ଲାଇଟ ସୋ’, ସାହିତ୍ୟ ସଭା, ଚିତ୍ରକଳା ପ୍ରତିଯୋଗିତା ସହ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ।

ଅଗଷ୍ଟ ୧୯ ତାରିକରେ ବିଶ୍ଵ ଫଟୋଗ୍ରାଫି ଦିବସ ଉପଲକ୍ଷେ ଏହାର ଆୟୋଜନ କରାଯାଉଛି। ଫାଇନ ଆର୍ଟ କ୍ଷେତ୍ରରେ ଫଟୋଗ୍ରାଫିର ମହତ୍ତ୍ଵ ବିଷୟରେ ଲୋକମାନଙ୍କୁ ସଚେତନ କରିବା ଏହି ଫେଷ୍ଟିଭାଲର ମୂଳ ଉଦ୍ଦେଶ୍ୟ।

‘ଥାର୍ଡ ଆଇ ଫଟୋଗ୍ରାଫି ଫେଷ୍ଟିଭାଲ’ର ଉଦଘାଟନୀ କାର୍ଯ୍ୟକ୍ରମରେ ଫଟୋ ମହୋତ୍ସବର ସଂଯୋଜକ ଶ୍ୟାମ ପ୍ରକାଶ ସେନପତି, ଫେଷ୍ଟିଭାଲ ପରିଚାଳନା କମିଟି ସଦସ୍ୟ ଡକ୍ଟର ଦିଲ୍ଲୀପ କୁମାର ସ୍ଵାଇଁ, ଜୟ ଦଶଗୁପ୍ତା, କାମଦେବ ମହାରଣା, ହେମନ୍ତ ଛୋଟରାୟ ପ୍ରମୁଖ ଯୋଗ ଦେଇଥିଲେ। ଏହା ବ୍ୟତୀତ ଅନେକ କଳାପ୍ରେମୀ, ଛାତ୍ରଛାତ୍ରୀ ଏବଂ ଥାର୍ଡ ଆଇ ଫଟୋଗ୍ରାଫି ଗ୍ରୁପର ଏକାଧିକ ସଦସ୍ୟ ଉପସ୍ଥିତ ଥିଲେ।

Tags: #ThirdEyePhotographyFestival #Photography #PhotoExabition #Finearts #Puri

Comment