ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଶ୍ରାବଣ ମାସର ସୋମବାରରେ ରାଜ୍ୟର ସବୁ ଶୈବ ପୀଠରେ ଜଳ ଲାଗି ପାଇଁ କାଉଡିଆଙ୍କ ଭିଡ଼ ଲାଗିଛି। ହଜାର ହଜାର ସଂଖ୍ୟାରେ କାଉଡ଼ିଆମାନେ ମହାଦେବଙ୍କୁ ଜଳ ଅର୍ପଣ କରି ଶୁଭ ମନାସୁଛନ୍ତି। ମଳମାସ ସରିବା ପରେ ସୋମବାରରେ ରାଜ୍ୟର ପ୍ରମୁଖ ଶିବ ମନ୍ଦିରଗୁଡ଼ିକରେ ଜଳଲାଗି କରିବା ପାଇଁ କାଉଡ଼ିଆଙ୍କ ମଧ୍ୟରେ ଅନେକ ଉତ୍ସାହ ରହିଥିବା ଦେଖିବାକୁ ମିଳିଛି।

ସୋମବାର ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, କଟକର ଧବଳେଶ୍ଵର ମନ୍ଦିର, ପୁରୀର ଲୋକନାଥ ମନ୍ଦିର ଏବଂ ଢେଙ୍କାନାଳର କପିଳାଶ ମନ୍ଦିର ଭଳି ପ୍ରମୁଖ ଶୈବ ପୀଠରେ ଭୋରରୁ ପ୍ରବଳ ଗହଳି ଦେଖିବାକୁ ମିଳିଛି।

ଜଳଲାଗି କରିବା ପାଇଁ କାଉଡ଼ିଆମାନେ ଗତ ଦିନେ ଦୁଇ ଦିନ ପୂର୍ବରୁ ବିଭିନ୍ନ ନଦୀରୁ ପାଣି ନେଇ ବିଭିନ୍ନ ଶିବ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। ସେମାନେ ରବିବାର ରାତିରୁ ମନ୍ଦିରରେ ପହଞ୍ଚି ଜଳ ଲାଗି କରିବାକୁ ଅପେକ୍ଷା କରିଥିଲେ। ଏହାପରେ ସୋମବାର ଭୋରରୁ ମନ୍ଦିର ଖୋଲିବାପରେ ଜଳଲାଗି କରିଛନ୍ତି।

ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପ୍ରବଳ ଗହଳିକୁ ନଜରରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେହିପରି ରାଜ୍ୟର ବିଭିନ୍ନ ଜଳ ଉଠାଇବା ସ୍ଥାନ ତଥା ପ୍ରମୁଖ ନଦୀ ପଠାରେ କୌଣସି ଅଘଟଣରୁ ସୁରକ୍ଷା କରିବା ପାଇଁ ଓଡ୍ରାଫ ଓ ଅଗ୍ନିଶମ ସେବାର ଟିମ୍ ନିୟୋଜିତ ହୋଇଥିଲେ।

ଚଳିତବର୍ଷ ଯୋଡ଼ା ଶ୍ରାବଣ ପଡ଼ୁଥିବାରୁ ଜୁଲାଇ ମାସରେ ୧୦ ତାରିଖ ଓ ୧୭ ତାରିଖ ଦିନ ଜଳଲାଗି କରାଯାଇଥିଲା। ସେହିପରି ଦ୍ଵିତୀୟ ଭାଗରେ ଅଗଷ୍ଟ ୨୧ ତାରିଖ ସୋମବାର ଦିନ ଜଳଲାଗି ହୋଇଛି। ଏହାପରେ ଅଗଷ୍ଟ ୨୮ ତାରିଖ ଦିନ ଏ ବର୍ଷର ଶେଷ ସୋମବାରରେ ମମହାଦେବଙ୍କୁ ଜଳଲାଗି ହେବ।

ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ଜଳ ଲାଗି କଲେ ସବୁ ମାନସ୍କାମନା ପୂରଣ ହୁଏ ବୋଲି ମାନ୍ୟତା ରହିଛି। ଏଥିପାଇଁ କାଉଡ଼ିଆଙ୍କ ମଧ୍ୟରେ ବିଶେଷ ଉତ୍ସାହ ରହିଥାଏ।

Tags: #SravanaMasa #Sombar #LordShivaTemple #BolBam

Comment