ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗାମୀ ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ କରିଛି କଂଗ୍ରେସ। ରବିବାର ଦିନ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ଘୋଷଣା କରାଯାଇଛି। ନୂଆ କମିଟିରେ ଓଡ଼ିଶାର କୌଣସି ଦଳୀୟ ନେତା ସ୍ଥାନ ପାଇନାହାନ୍ତି।

କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ଵ ନେବାର ପ୍ରାୟ ୧୦ ମାସ ପରେ ରବିବାର ଦିନ ମଲ୍ଲିକାର୍ଜୁନ ଖଡ଼ଗେ ନୂତନ କାର୍ଯ୍ୟକାରିଣୀ କମିଟି ଘୋଷଣା କରିଛନ୍ତି। ଏହି କମିଟି ଦଳର ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଥାଏ। ନୂଆ ତାଲିକାରେ ମୋଟ ୮୪ ଜଣଙ୍କ ନାଁ ରହିଛି। ଏଥିରେ ୩୯ ଜଣ ସିଡବ୍ଲ୍ୟୁସି ସଦସ୍ୟ, ୩୨ ଜଣ ସ୍ଥାୟୀ ଆମନ୍ତ୍ରିତ ସଦସ୍ୟ ଏବଂ ୧୩ ଜଣ ସ୍ଵତନ୍ତ୍ର ଆମନ୍ତ୍ରିତ ସଦସ୍ୟ ରହିଛନ୍ତି।

ସିଡବ୍ଲ୍ୟୁସି ସଦସ୍ୟ ତାଲିକାରେ ଶଶି ଥରୁର, ସଚିନ ପାଇଲଟ, ପ୍ରିୟଙ୍କା ଗାନ୍ଧୀ, ଦଳର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଅଧୀର ରଞ୍ଜନ ଚୌଧୁରୀ, ଏକେ ଆଣ୍ଟୋନୀ, ଅମ୍ବିକା ସୋନି, ମୀରା କୁମାର, ଦିଗବିଜୟ ସିଂ, ପି ଚିଦାମ୍ବରମ, ତାରିକ ଅନଓ୍ଵର, ମୁକୁଲ ଓ୍ଵାସନିକ, ଆନନ୍ଦ ଶର୍ମା, ରଣଦୀପ ସିଂହ ସୁରଜେଓ୍ଵାଲା, ଅଜୟ ମାକେନଙ୍କ ସହ ୩୯ ଜଣ ବରିଷ୍ଠ ନେତା ସ୍ଥାନ ପାଇଛନ୍ତି।

କିନ୍ତୁ ସିଡବ୍ଲ୍ୟୁସି ତାଲିକାରେ ଓଡ଼ିଶାର କଂଗ୍ରେସ ନେତାଙ୍କ ନାଁ ନାହିଁ, ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କିଛି ଦଳୀୟ ନେତା। ଏହାକୁ ନେଇ ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖି ତାଙ୍କ ଧ୍ୟାନ ଆକର୍ଷଣ କରାଯିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। କାର୍ଯ୍ୟକାରିଣୀ କମିଟିରେ ଓଡ଼ିଶାର ନେତାଙ୍କୁ ସାମିଲ କରିବା ପାଇଁ ଖଡଗେଙ୍କୁ ପ୍ରସ୍ତାବ ଦେବେ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।

ଗତ ନିର୍ବାଚନ ଏବଂ ଉପନିର୍ବାନରେ ଓଡ଼ିଶାରେ କଂଗ୍ରେସର ଖରାପ ପ୍ରଦର୍ଶନ ଯୋଗୁଁ ଖଡଗେଙ୍କ ନୂଆ ଟିମରେ ଓଡ଼ିଶାର ଦଳୀୟ ନେତାଙ୍କୁ ସାମିଲ କରାଯାଇ ନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।

Tags: #Politics #IndianPolitics #Congress #CWC

Comment